ତ୍ରିପୁର ସିଲେଇ କେନ୍ଦ୍ରରେ ନିର୍ଯାତନା : ବ୍ଲକ୍ ଉପାଧ୍ୟକ୍ଷଙ୍କ ଉଦ୍ୟମରେ ଫେରିଲେ ୩ ଯୁବତୀ

କୋକସରା :  ତାମିଲନାଡୁ ତ୍ରିପୁରାକୁ ସିଲେଇ କରିବାକୁ ଯାଇଥିବା କୋକସରା ଅଞ୍ଚଳର ୩ଜଣ ଯୁବତୀ ସିଲେଇ କେନ୍ଦ୍ରରେ ନିର୍ଯାତିତ ହେଉଥିଲେ । ଏହି ଖବର ଜାଣିବା ପରେ କୋକସରା ବ୍ଲକ୍ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଜିଲ୍ଲା ପ୍ରଶାସନକୁ ଅବଗତ କରି ସେମାନଙ୍କୁ ଉଦ୍ଧାର କରାଯାଇଛି । କୋକସରା ଅଞ୍ଚଳର କିଛି ଯୁବତୀଙ୍କ ସହିତ ଏହି ଯୁବତୀ ଗତ ୮ମାସ ତଳେ ତାମିଲନାଡୁ ତ୍ରିପୁରାକୁ ସିଲେଇ କରିବା ପାଇଁ ଯାଇ ସେଠାକାର ଏକ ସିଲେଇ କେନ୍ଦ୍ରରେ କାମ କରୁଥିଲେ । ହେଲେ ସିଲେଇ କେନ୍ଦ୍ରରେ ସେମାନଙ୍କୁ ଅଳ୍ପ ଟଙ୍କା ଦେଇ ୧୨ ଘଣ୍ଟାରୁ ଊର୍ଦ୍ଧ୍ୱ ପରିଶ୍ରମ କରାଇ ଆସୁଥିଲେ । ଏହା ସହ କାହାର ସ୍ୱାସ୍ଥ୍ୟ ଖରାପ ହେଲେ କିମ୍ବା ଘରକୁ ଫେରିବାକୁ କହିଲେ ମଧ୍ୟ ଛୁଟି ନଦେଇ ମାନସିକ ନିର୍ଯାତନା ଦେଉଥିଲେ । ଏନେଇ ତିନି ଜଣ ଯୁବତୀ କୌଣସି ପ୍ରକାରେ କୋକସରା ବ୍ଳକ ଉପାଧ୍ୟକ୍ଷଙ୍କୁ ଜଣାଇଥିଲେ । ଏହାପରେ ବ୍ଳକ ଉପାଧ୍ୟକ୍ଷ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି ଉକ୍ତ ଯୁବତୀ ମାନଙ୍କୁ ଉଦ୍ଧାର କରିବା ପାଇଁ ସିଲେଇ କେନ୍ଦ୍ରର ମାଲିକ ସହିତ କଥା ହୋଇଥିଲେ । ଯୁବତୀଙ୍କ ଭାଇଙ୍କୁ ତ୍ରିପୁର ପଠାଇ ଉଦ୍ଧାର କରାଯାଇଥିବା ବେଳେ, ସେମାନେ ନିଜ ଗାଁକୁ ଫେରିଥିବା ଜଣାପଡିଛି ।