ଦରମା ନଦେଲେ ଟ୍ରାନ୍ସପୋର୍ଟ ବନ୍ଦ
କାଳିଆପାଣି : ଆମେ ଓଡିଶା ଖଣି ନିଗମର କୌଣସି କ୍ଷତି କରିନାହୁଁ । କମ୍ପାନୀ ନିଜଆଡୁ କାମ ବନ୍ଦ କରିଛି । ଦୀର୍ଘ ତିନିମାସ ଆମେ ଘରେ ବେରୋଜଗାର ହୋଇ ବସିଛୁ । ଆମକୁ ଦରମା ମିଳୁ । ଏଭଳି ଦାବିକୁ ନେଇ ଓଡିଶା ଖଣି ନିଗମ ଅଧିନରେ ଥିବା କାଣ୍ଡୋଇ ଟ୍ରାନ୍ସପୋର୍ଟର ଶ୍ରମିକଗଣ ଦାବି କରିଛନ୍ତି ।
ପ୍ରକାଶ ଯେ, ଚଳିତ ବର୍ଷ ଫେବୃଆରୀ ୧୯ତାରିଖ ଠାରୁ କାଣ୍ଡୋଇ ଟ୍ରାନ୍ସପୋର୍ଟ ବିଭିନ୍ନ ଆଳ ଦେଖାଇ ଖଣିକାର୍ଯ୍ୟ ବନ୍ଦ କରି ସରେଣ୍ଡର କରିଦେବା ପରେ ଏଥିରେ କାର୍ଯ୍ୟରତ ୨୫୬ ଜଣ ଶ୍ରମିକ ଜୀବିକା ହରାଇଛନ୍ତି । ସେହି ଦିନଠାରୁ ବେରୋଜଗାର ହୋଇ ଘରେ ବସିବାକୁ ବାଧ୍ୟ ହୋଇଛନ୍ତି । ତେବେ ଓଡିଶା ଖଣି ନିଗମ ଦୀର୍ଘ ତିନିମାସ ହେବ ଏଠାରେ କୌଣସି ଠିକସଂସ୍ଥାକୁ ଟେଣ୍ଡର ନ ଦେଇ ସୁକୁରୁଙ୍ଗୀ ଖଣିଟିକୁ ବନ୍ଦ କରି ରଖିଛି । ଏଥିପାଇଁ ପ୍ରାୟ୧୫୦ଖଣି ଶ୍ରମିକ ଓଏମସିକୁ ଦାବି କରିଛନ୍ତି କି, କମ୍ପାନୀ ଖଣି କାର୍ଯ୍ୟ ବନ୍ଦ କରିଥିଲେ ବି ଛଟେଇ ଶ୍ରମିକମାନଙ୍କୁ କମ୍ପାନୀ ନିୟମ ଅନୁଯାଇ ମାସକୁ ମାସ ଦରମା ପ୍ରଦାନ କରିବା ଉଚିତ । ଯେପରିକି, ନିକଟରେ ଥିବା ଫେକର ବେଦାନ୍ତ କମ୍ପାନୀ ପ୍ରାୟ ୧୪୦ଜଣ ଛଟେଇ ଶ୍ରମିକଙ୍କୁ ଦୀର୍ଘ ୨ବର୍ଷ ହେବ ଘରେ ବସେଇ ରୀତିମତ ମାସକୁ ମାସ ଦରମା ଦେଇଆସୁଛି । ଠିକ୍ ସେହିପରି ନିଗମ ଖଣି କାର୍ଯ୍ୟ ଚାଲୁ ରଖୁ କି ନରଖୁ ଆମକୁ ଦରମା ମିଳିବା ଆବଶ୍ୟକ । ନଚେତ ଆସନ୍ତା ଏକ ସପ୍ତାହ ପରେ ଆମେ ଖଣିରୁ କୌଣସି ମାଲ ପରିବହନ କରାଇଦେବୁ ନାହିଁ । ଏ ନେଇ ଗତକାଲି ସୁକୁରୁଙ୍ଗୀ ଠାରେ ଦଶରଥ ମହାନ୍ତଙ୍କ ନେତୃତ୍ୱରେ ଘନଶ୍ୟାମ ପରିଡା, ଲାଲଚାନ୍ଦ ମହାନ୍ତ, ବିଜୟ ପରିଡା, ଗଣେଶ ନାୟକ, ହିମାଂଶୁ ବାରିକ, ରଘୁ ମହାନ୍ତ, ଅଭୟ ମହାନ୍ତ, ଛତିଶ ମହାନ୍ତ, ବୁଲୁ ବେହେରା, ଯୁଧିଷ୍ଠିର ବାରିକ, ଅଶୋକ ପ୍ରଧାନ ପ୍ରମୁଖ ଖଣି ଶ୍ରମିକଙ୍କ ସହିତ ଶତାଧିକ ଶ୍ରମିକ ଖଣି ନିଗମକୁ ଚେତାବନୀ ଦେଇଛନ୍ତି ।