ଦୀପଂ ଜ୍ୟୋତିଃ ନମସ୍ତୁତେ
ମୁରଲୀଧର ସାମଲ : ଶୁଭମ୍ କରୋତି କଲ୍ୟାଣମ୍, ଆରୋଗ୍ୟ ଧନ ସମ୍ପାଦାମ୍ । ଶତ୍ରୁବୃଦ୍ଧି ବିନାଶାୟ, ଦୀପଂ ଜ୍ୟୋତିଃ ନମସ୍ତୁତେ । ଦୀପୋତ୍ସର୍ଗର ପ୍ରାଧାନ୍ୟ ହିଁ ଦୀପାବଳି ଉତ୍ସବର ସାର୍ଥକତା ବୋଲି ଏହା "ଦୀପାନ୍ୱିତା' ନାମରେ ଆଖ୍ୟାୟିତ । ବେଦ, ପୁରାଣ ଓ ତନ୍ତ୍ର ଏଇ ତିନିଟିର ସମନ୍ୱୟରେ ସମଗ୍ର ଭାରତରେ ଦୀପାବଳି ଉତ୍ସବ ସମନ୍ୱିତ । ଭାରତରେ ସବୁଠାରୁ ପ୍ରାଚୀନ ଏହି ଲୋକୋତ୍ସବ ମହିମାନ୍ୱିତ ଜାତୀୟ ଉତ୍ସବ ଭାବେ ସ୍ମରଣାତୀତକାଳରୁ ଅନୁଷ୍ଠିତ ହୋଇଆସୁଛି । ଦୀପାନ୍ୱିତା ହୁଏ କାର୍ତ୍ତିକ ଅମାବାସ୍ୟାରେ । ଦେଶରେ ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ଦେବତାଙ୍କ ନାମରେ ସଂଗଠିତ ହୋଇଥାଏ । ଦେଶର ସମସ୍ତ ମନ୍ଦିର ଓ ଘରେ ଘରେ ମାଳ ମାଳ ଦୀପ ଜଳାଇବା ମାଧ୍ୟମରେ ଏଇ ଜାତୀୟ ଉତ୍ସବ ପ୍ରକାଶିତ ହୁଏ ।
ଦୀପ ଦାନର ବିଧିଟି କାର୍ତ୍ତିକ ମାସରେ ପ୍ରଶସ୍ତ । କାର୍ତ୍ତିକ ମାସର ଶ୍ରେଷ୍ଠତା ବିଷୟରେ ବ୍ରହ୍ମ ପୁରାଣରେ ଅଛି "ନ କାର୍ତ୍ତିକ ସମୋ ମାସୋ ନ କୃତେନ ସମଃ - ଯୁଗମ୍ । ନ ବେଦଃ ସଦୃଶଃ ଶାସ୍ତ୍ରଃ ନ ତୀର୍ଥଃ ଗଙ୍ଗୟା ସମମ୍ ।' ଏଇ କାର୍ତ୍ତିକ ମାସରେ ଭାରତର ଗ୍ରାମ ଓ ସହରରେ ସର୍ବତ୍ର ଆକାଶ ଦୀପ ଦେବାର ରୀତି ଆଜି ମଧ୍ୟ ସମଧିକ ଭାବେ ପ୍ରଚଳିତ । ମାସ ସାରା ଦୀପଦାନ ଭଳି ପୁଣ୍ୟ କର୍ମ ଆଉ ନାହିଁ ବୋଲି ଧର୍ମପ୍ରାଣ ଭାରତବାସୀଙ୍କ ବିଶ୍ୱାସ । ଏଇ ଦୀପ ଉତ୍ସର୍ଗ ମନ୍ତ୍ର ଦ୍ୱାରା ନିଜ ନିଜ କ୍ଷୁଦ୍ର ଜୀବନ ଦୀପଟିକୁ ଦେବତାଙ୍କ ନିକଟରେ ଅର୍ପଣ କରିହୁଏ । ଦୀପଦାନର ଏଇ ଅନୁପମ ମନ୍ତ୍ରଟି ହେଲା "ଅଗ୍ନି ଜ୍ୟୋତିଃ ରବି ଜ୍ୟୋତିଃ ଶ୍ଚନ୍ଦ୍ର ଜ୍ୟୋତିସ୍ତଥୈବ ଚ । ଉତ୍ତମ ସର୍ବଜ୍ୟୋତିରାଃ ପ୍ରତି ଗୃହ୍ୟତାମ୍ । । ଅର୍ଥାତ୍ ଅଗ୍ନି ଓ ଜ୍ୟୋତିଃ, ରବି ଓ ଜ୍ୟୋତିଃ, ଚନ୍ଦ୍ର ଓ ଜ୍ୟୋତିଃ, ଏସବୁ ଜ୍ୟୋତିଃନିଶ୍ଚୟ, କିନ୍ତୁ ସମସ୍ତ ଜ୍ୟୋତିଃର ଶ୍ରେଷ୍ଠ ଯେଉଁ ଜ୍ୟୋତିଃ ତାହା ହେଉଛି ମୋ ପ୍ରଦତ୍ତ ଏଇ ଦୀପ ତାହା ଗ୍ରହଣ କରନ୍ତୁ ।ଏଇ ଦୀପ, ଅନ୍ଧକାର ବିନାଶୀ ଜ୍ଞାନ ଦୀପର ପ୍ରତୀକ ଭାବେ ଜ୍ଞାନ ଜ୍ୟୋତିଃରେ, ଦେହ ମନରେ ଅଜ୍ଞାନ ଅନ୍ଧକାର ଦୂରକାର ଆଲୋକଙ୍କ ପଥରେ ନେଇଯିବାର ଭାବନା ହିଁ ଦୀପାବଳିର ଶ୍ରେଷ୍ଠତ୍ୱ । "ତମସୋ ମା ଜ୍ୟୋତିର୍ଗମୟ' ବେଦମନ୍ତ୍ର ଦୀପାନ୍ୱିତାର ଅଧିଷ୍ଠାତ୍ରୀ ମା'କାଳିକାଙ୍କ ପ୍ରାଣମନ୍ତ୍ର ଓ ମାନବ କୁଳର ଚିର ଆକୁତି ।
ମୋ : ୭୯୭୮୮୪୧୭୪୧