ଦୁଇ କୋଠରୀରେ ପଢୁଛନ୍ତି ୫ଶ୍ରେଣୀର ପିଲା 

ଦଶରଥପୁର : ସରକାରୀ ଶିକ୍ଷାନୁଷ୍ଠାନରେ ଘରୋଇ ଶିକ୍ଷାନୁଷ୍ଠାନ ଭଳି ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ପାଇଁ ସରକାର ପଦକ୍ଷେପ ମାନ ନେଉଛନ୍ତି । ଶ୍ରେଣୀଗୃହ ଅଭାବ ଦୂର, ସ୍ୱଚ୍ଛ ପରିବେଶ, ଛାତ୍ରଛାତ୍ରୀ ମାନଙ୍କ ନିରାପଦ ଅଧ୍ୟୟନ ବିଦ୍ୟାଳୟର ଉନ୍ନତିକରଣ  ପାଇଁ ପାଣି ଭଳି ଅର୍ଥ ଖର୍ଚ୍ଚ କରୁଥିବାବେଳେ କେତେକ୍ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ସରକାରଙ୍କର ଏହି ପ୍ରୟାସ ପଣ୍ଡ ହେବାର ଦେଖାଯାଇଛି । ଯାହାର ଏକ ନିଛକ ଉଦାହରଣ ଦଶରଥପୁର ବ୍ଲକ ଅଧିନସ୍ଥ ଇଜାପୁର ପଂଚାୟତର ଇଜାପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ । ୧୯୪୯ ମସିହାରେ ସ୍ଥାପିତ ହୋଇଥିବା ଏହି ବିଦ୍ୟାଳୟର ପାରିପାର୍ଶ୍ୱିକ ଅବସ୍ଥାକୁ ଲକ୍ଷ୍ୟକଲେ ବିଦ୍ୟାଳୟର ଛାତ୍ରଛାତ୍ରୀ ବିପଦ ସଂକୁଳ ଅବସ୍ଥାରେ ବିଦ୍ୟାଳୟକୁ ଯାଉଥିବାର ଦୃଶ୍ୟମାନ ହୁଏ ।  ବିଦ୍ୟାଳୟର ସାମ୍ନାରେ ଏକ ବଡ଼ ପୋଖରୀ ଥିବାରୁ ପିଲା ଅସୁରକ୍ଷିତ । 
ବିଦ୍ୟାଳୟରେ ପ୍ରଥମରୁ ପଂଚମ ଶେଣୀ ପର୍ଯ୍ୟନ୍ତ ଥିବା ବେଳେ ୨ଟି ଶେଣୀ ଗୃହ ରହିଛି । ଛାତ୍ରଛାତ୍ରୀ ସଂଖ୍ୟା ୧୫୦ । ଅଫିସ୍ ଗୃହ ନାହିଁ । ୩ଜଣ ଶିକ୍ଷକକୁ ନେଇ ଇଜାପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ ଚାଲିଛି । ୨ବର୍ଷ ଧରି ପ୍ରଧାନ ଶିକ୍ଷକ ନଥିବାରୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ଜେନା ଦାୟିତ୍ୱ ତୁଲାଉଛନ୍ତି । ଅତିରିକ୍ତ ଶ୍ରେଣୀ କୋଠରୀ ନିର୍ମାଣ ଓ ୨ଜଣ ଶିକ୍ଷକ ନିଯୁକ୍ତି ଦେବାକୁ ଅଭିଭାବକ ଦାବି କରିଛନ୍ତି । ୭୫ବର୍ଷର ବିଦ୍ୟାଳୟର ମୌଳିକ ଆବଶ୍ୟକତା ପୂରଣ ନହେବା ଦୁର୍ଭାଗ୍ୟଜନକ ବୋଲି ଅଭିଭାବକ ଏବଂ ଅଂଚଳବାସୀ କୁହନ୍ତି ।