ଧସିଲା ସାନଗୁମୁଡା ପୋଲ, ଯୋଗାଯୋଗ ବିଚ୍ଛିନ୍ନ ଆଶଙ୍କା
କୋଷାଗୁମୁଡା : ଦିନକୁ ଦିନ ବଢୁଥିବା ବେଆଇନ ବାଲି ଚାଲାଣ ଯୋଗୁଁ ପ୍ରଥମେ ପୋଲର ମୂଳଦୂଆ ଆଉ ଏବେ ପୋଲଟି ଧସିବାରେ ଲାଗିଛି । ଅଞ୍ଚଳବାସୀଙ୍କ ଯୋଗାଯୋଗର ଯୋଗସୂତ୍ର ପାଲଟିଥିବା ପୋଲଟି ନଷ୍ଟ ହେବାକୁ ଯାଉଥିବାବେଳେ ଯୋଗାଯୋଗ ବିଚ୍ଛିନ୍ନ ଆଶଙ୍କାରେ ଅଞ୍ଚଳବାସୀ ।
ଏଭଳି ଘଟଣାଟି ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସାନଗୁମୁଡା ଭାସ୍କେଲ ପୋଲ ନିକଟରେ । ଅଙ୍ଗିନଦୀ ଓ ବାଲିଆ ଯୋଡି ନାଳ ଯୋଗୁଁ ପୂର୍ବରୁ ଅଞ୍ଚଳବାସୀଙ୍କ ଦାବିରେ ଅଙ୍ଗିନଦୀ ଉପରେ ନୁନପାଣି-ସାନଗୁମୁଡା ନଦୀ ଉପରେ ନବରଙ୍ଗପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରାୟ ୬କୋଟି ଟଙ୍କା ବ୍ୟୟରେ ଏକ ପୋଲ ଓ ରାସ୍ତା ନିର୍ମାଣ କରଯାଇଥିଲା । ବ୍ୟସ୍ତ ବହୁଳ ୪ଟି ପଞ୍ଚାୟତକୁ ସଂଯୋଗ ରାସ୍ତା ଉପରେ କୋଡିଙ୍ଗା, ବିଏମ ସେମଳା, ଏକୋରୀ, ବଡ-ଗୁମୁଡା, ତାରାଗାଁ, ଆଟିଗାଁ, ମୋତିଗାଁ, ଏମ.କେରାଗାଁ ପଞ୍ଚାୟତର ପ୍ରାୟ ୬୦ଖଣ୍ଡ ଗାଁର ଲୋକେ ଏହି ପୋଲ ଦେଇ ଥାନା, ତହସିଲ, ଲ୍ୟାମ୍ପସ, ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ କଲେଜ, ହାଟ ବଜାର, ସ୍ୱାସ୍ଥ୍ୟସେବା ପାଇଁ ନିର୍ଭର କରନ୍ତି । ବ୍ଲକ ଲୋକସଂଖ୍ୟାର ଏକ ତୃତୀୟାଂଶ ଲୋକେ ଏହି ପୋଲ ଉପରେ ନିର୍ଭର କରନ୍ତି । ଅଙ୍ଗିନଦୀ ଉପରେ ଖଣି ବିଭାଗର ବାଲି ସୌରାତ ରହିଥିଲେ ମଧ୍ୟ ପୋଲର ସ୍ଥିତିକୁ ଦୃଷ୍ଟିରେ ରଖି ବେଆଇନ ଭାବେ ନଦୀ ନିକଟରୁ ବାଲି ନ ଉଠାଇବା ସହ ଭାରିଯାନ ଚଳାଚଳ ନ କରିବା ପାଇଁ ନବରଙ୍ଗପୁର ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ ମଧ୍ୟ ନିଦେ୍ର୍ଦଶକୁ ବେଖାତିର କରି ବେଆଇନ ଭାବେ ପ୍ରତିଦିନ ଶହ ଶହ ଟିପ୍ପରରେ ବାଲି ଉଠାଇ ଚାଲାଣ କରାଯାଉଥିବା ଯୋଗୁଁ ପୋଲଟି ଧସିଯାଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ପ୍ରଥମେ ପୋଲର ମୂଳଦୁଆ ଆଉ ଏବେ ପୋଲଟି ଧୀରେ ଧୀରେ ସମ୍ପୂର୍ଣ୍ଣ ଭାବେ ଧସିବାରେ ଲାଗିଛି । ଲଗାଣ ବର୍ଷା ଅପେକ୍ଷା ପୋଲ ନିକଟରୁ ବାରମ୍ବାର ବେଆଇନ ବାଲି ଉଠାଣ ଫଳରେ ପୋଲଟି ଧସିଯାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ବିପଦସଂକୁଳ ଅବସ୍ଥାରେ ଧସି ଯାଇଥିବା ହେତୁ ଭାରିଯାନ ଚଳାଚଳ, ଲୋକେ ଯାତାୟାତ ପାଇଁ ଭୟଭୀତ ଅବସ୍ଥାରେ ରହିଛନ୍ତି । ଉକ୍ତ ରାସ୍ତା ଦେଇ ସାଧାରଣ ଲୋକ ଚାଲିକି ଗଲେ ପୋଲଟି ଦୋହଲୁ ଥିବା ଲୋକେ ଅଭିଯୋଗ କରିଛନ୍ତି । ଯାହାଫଳରେ ପୋଲ ଉପରେ ଲକ୍ଷ୍ମୀ ବସ ଚଳାଚଳ ବନ୍ଦ ରହିବା ସହ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ମଧ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ପୋଲରେ ଯାତାୟତ ବନ୍ଦ ରହିବା ଦ୍ୱାରା ଏକୋରି, ବଡଗୁମୁଡା, କୋଟାଗାଁ, କୋଡିଙ୍ଗା, ବି.ଏମ.ସେମଳା ଓ ଆଟିଗାଁ ପଞ୍ଚାୟତର ପ୍ରାୟ ୪୦ହଜାରରୁ ଊଦ୍ଧ୍ୱର୍ ଲୋକ ଯାତାୟାତ ପାଇଁ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗିବା ସହ ଅଞ୍ଚଳଟି ବିଚ୍ଛିନ୍ନ ହେବାର ସମ୍ଭାବନା ରହିଛି । ତେବେ ଖବର ପାଇଁ ନବରଙ୍ଗପୁର ଗ୍ରାମ୍ୟ ନିର୍ମାଣ ବିଭାଗ କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ଭୋଇ ଓ ଅଧିକ୍ଷକ ଯନ୍ତ୍ରୀ ଦେବର୍ଷି ନାୟକ ପୋଲ ନିକଟରେ ପହଞ୍ଚô ମାଟି ପକାଇବା ସହ ପୋଲ ଉପରୁ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ସୂଚନା ଦେଇଛନ୍ତି । ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ଜରୁରୀକାଳୀନ ସ୍ଥିତିରେ ଆବଶ୍ୟକତା ଦେଖି ମୋରମ ମାଟି ପକେଇ ହାଲୁକା ଯାନ ଓ ଲୋକ ଯାତାୟତ ସୁବିଧା କରାଯିବା ପାଇଁ ଶୀଘ୍ର ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।