ନବ ନିଯୁକ୍ତ ଜିଲ୍ଲା ସଭାପତିଙ୍କୁ ସମ୍ବର୍ଦ୍ଧନା 

  ନିଆଳି:  ଭାରତୀୟ ଜନତା ପାର୍ଟିର ନବ ନିଯୁକ୍ତ ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ବେହେରାଙ୍କୁ ପ୍ରାକ୍ତନ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଜିଲ୍ଲା ପକ୍ଷରୁ ଏକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସ୍ଥାନୀୟ ମିଶନ୍ ପଡ଼ିଆରୁ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରାରେ ନବ ନିଯୁକ୍ତ ଜିଲ୍ଲା ସଭାପତି ଇଶ୍ୱର ଚନ୍ଦ୍ର ବେହେରାଙ୍କୁ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ରେମୁଣା ବିଧାୟକ ତଥା ଶାସକ ଦଳର ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ସଦର ବିଧାୟକ ମାନସ କୁମାର ଦତ୍ତ, ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ସମେତ ଦଳର ବରିଷ୍ଠ ନେତାମାନେ ଖାନନଗର ସ୍ଥିତ ଜିଲ୍ଲା ମୁଖ୍ୟକାର୍ଯ୍ୟାଳୟକୁ ନେଇଥିଲେ । ଏହା ପରେ ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ମଞ୍ଚ ଆହ୍ୱାନ କରିଥିବାବେଳେ ପ୍ରାକ୍ତନ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ସଭାପତିତ୍ୱ କରିଥିଲେ । ଅତିଥି ପରିଚୟ, ପ୍ରଦୀପ ପ୍ରଜ୍ୱଳନ ଓ ସାମୂହିକ ବନେ୍ଦ ମାତରଂ ଗାନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ସଭାରେ ବକ୍ତା ଭାବରେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ, ପୂର୍ବତନ ଜିଲ୍ଲା ସଭାପତି ଲମ୍ବୋଦର ନାୟକ, ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୋଭନା ମହାନ୍ତି, ବାଲେଶ୍ୱର ଜିଲାର ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ମୟୁରଭଞ୍ଜ ଜିଲ୍ଲାର ନବ ନିଯୁକ୍ତ ଜିଲ୍ଲା ସଭାପତି ନିହାର ମୋଦି ଓ ସହଅଧିକାରୀ ଶୁଭଙ୍କର ମହାପାତ୍ର, ରାଜ୍ୟ ପ୍ରବକ୍ତା ଠାକୁର ରଣଜିତ ଦାସ ନୂତନ ସଭାପତିଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । ତାଙ୍କ ସାଂଗଠନିକ ଅଭିଜ୍ଞତା ବିଷୟରେ ଆଲୋକପାତ କରିଥିଲେ । ଶେଷରେ ନୂତନ ସଭାପତି ତାଙ୍କର ବ୍ୟକ୍ତବ୍ୟରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଏହାପରେ ବିଧାନସଭା ସ୍ତରରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଜିଲ୍ଲାର ସମସ୍ତ ମୋର୍ଚ୍ଚା, ସେଲ୍ ଓ ବରିଷ୍ଠ ନେତୃତ୍ୱ ନୂତନ ସଭାପତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସର୍ବଶେଷରେ ଅନ୍ୟତମ ନିର୍ବାଚନ ସହଅଧିକାରୀ ଆଶିଷ ଘୋଷ ଧନ୍ୟବାଦ ଅର୍ପଣ କରିଥିଲେ ।