ନଳକୂପ ଅଚଳ, ଲୋକେ ହନ୍ତସନ୍ତ

 ଯଖପୁରା : ଖରା ଦିନ ଆସୁ ଆସୁ ଦିନର ତାପମାତ୍ରା ୪୦ ଡିଗ୍ରୀ ଧରିଲାଣି । ଅସହ୍ୟ ଗୁଳୁଗୁଳି ହେଉଛି । ପ୍ରଚଣ୍ଡ ଖରାରେ ନାଳ, ନଈ, ପୋଖରୀର ପାଣି ଶୁଖିଗଲାଣି । ଗାଁ ଗଣ୍ଡାରେ ଥିବା ନଳକୂପରୁ ପାଣି ପାହାରୁ ନଥିବା ବେଳେ କୂଅ ଶୁଖିଗଲାଣି । ଏଣେ ରାଜ୍ୟ ସରକାରର ବିଭାଗୀୟ ଅଧିକାରୀ କହୁଛନ୍ତି ଯେଉଁ ଜାଗାରେ ନଳକୂପ ଅଚଳ ହୋଇଥିବାର ଅଭିଯୋଗ ଆସିବ ୨୪ ଘଣ୍ଟା ଭିତରେ ମରାମତି କରାଯିବ । ତୁରନ୍ତ ଲୋକଙ୍କ ସମସ୍ୟା ଦୂର କରାଯାଇ ପାଣି ଯୋଗାଇ ଦିଆଯିବ । 
ସରକାର କହୁଛନ୍ତି ଗୋଟେ କଥା, କିନ୍ତୁ ବାସ୍ତବ କ୍ଷେତ୍ରରେ କାର୍ଯ୍ୟ ହେଉଛି ଅନ୍ୟ ପ୍ରକାର । ନଳକୂପ ଅଚଳ ହେବାର ଅଭିଯୋଗ କରିବାର ୮ ଦିନ ପରେ ମଧ୍ୟ ତାକୁ  ମରାମତି କରାଯାଇ ପାରୁନାହିଁ । ସେମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଦାନଗଦୀ ବ୍ଲକ୍ ଅନ୍ତର୍ଗତ ମାଣତୀରା ପଞ୍ଚାୟତର ରାବଣା ଛକରେ । ରାବଣା ଛକରେ ଗୋଟିଏ ମାତ୍ର ନଳକୂପ ରହିଛି । ଯେଉଁ ନଳକୂପ ଉପରେ ଛକରେ ଥିବା ୬୦ରୁ ଅଧିକ ଦୋକାନୀ ଠାରୁ ଆରମ୍ଭକରି ବାଟ ଗଲା ଲୋକ ଓ ଆବଶ୍ୟକ ପଡ଼ିଲେ ରାବଣା ପ୍ରାଥମିକ ସ୍କୁଲ, ଉପ୍ରା ବିଦ୍ୟାଳୟ ଓ ଅଙ୍ଗନୱାଡି ପାଣି ପାଇଁ ନିର୍ଭର କରନ୍ତି । ନଳ କୂପଟିର ଅନେକ ଗୁରୁତ୍ୱ ଥିବା ସତ୍ୱେ ତାହା ଆଜକୁ ପ୍ରାୟ ୧୫ ଦିନ ହେବ ଅଚଳ ହୋଇପଡିଛି । ଅଭିଯୋଗ କରିଲେ ମଧ୍ୟ କୌଣସି ବାବୁଙ୍କର ଦେଖାନାହିଁ । ଅଭିଯୋଗ କରିବା ପରେ ବିଭାଗୀୟ ବାବୁମାନେ କହୁଛନ୍ତି ଆଜି ଯାଉଛୁ, କାଲି ଯିବୁ ଏମିତି କହି ଦିନ ଗଡାଇ ଚାଲିଛନ୍ତି ।  ଏପଟେ କିନ୍ତୁ ପାଣି ମୁନେ୍ଦ ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି । ପାଣି ପାଇଁ ବାରଦୁଆର ତେର ପିଣ୍ଡା ହେବାକୁ ପଡୁଛି । କହିବ କାହାକୁ ଶୁଣିବା କିଏ ନ୍ୟାୟରେ ସବୁ ଚାଲିଛି । ସରକାର ଓ ବିଭାଗୀୟ ଅଧିକାରୀଙ୍କ କଥାରେ ତାଳମେଳ ନାହିଁ । ସରକାର କେବଳ ଭାଷଣ ବାଜି ମାରିଦେଲେ ଚାଲିବ ନାହିଁ କି ଆମର ଦୁଃଖ ଦୂର ହେବ ନାହିଁ ବୋଲି ସାଧାରଣ ଲୋକେ କହିଛନ୍ତି । ତୁରନ୍ତ ଆମ ସମସ୍ୟାର ସମାଧାନ ହେବା ଦରକାର ବୋଲି ଲୋକେ କହିଛନ୍ତି । ନହେଲେ ପାଣି ପାଇଁ ଆମେ ରାଜ ରାସ୍ତାକୁ ଓହ୍ଲାଇବ ବୋଲି କହିଛନ୍ତି । ଦେଖାଯାଉ କେବେ ନଳକୂପ ସଚଳ କରାଯାଇ ଲୋକଙ୍କ ଅସୁବିଧା ଦୂର କରାଯାଉଛି ।