ରକ୍ଷଣା ବେକ୍ଷଣ ଅଭାବ : ଭୂତକୋଠି ପାଲଟିଛି ରାଜବାଟୀ

 କବାଟବନ୍ଧରୁ ଚିତ୍ରସେନ ନାଥ :  ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବଳରାମପୁର ଗଡ଼ । ବଳରାମପୁର ଗଡ଼ର ଅନେକ କିମ୍ବଦନ୍ତୀ ରହିଛି । ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ସାଙ୍ଗକୁ ସବୁଜ ବନାନୀ ଏବଂ ପାହାଡି ଝରଣା ବେଶ ଆକୃଷ୍ଟ କରିଥାଏ ପର୍ଯ୍ୟଟକଙ୍କୁ । ସତେ ଯେମିତି ପ୍ରକୃତି ରାଣୀ ସବୁକିଛି ସୌନ୍ଦର୍ଯ୍ୟକୁ ଢାଳିଦେଇଛି ଏହିଠାରେ ।  ଜିଲ୍ଲାର ଅନେକ ସ୍ଥାନ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇଥିଲେ ମଧ୍ୟ ଏହା ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇପାରିନି । ଆମେ କହୁଛୁ ଧର୍ମଶାଳା ବ୍ଲକ ତାଳଜଙ୍ଗ ପଞ୍ଚାୟତ ବଳରାମପୁର ଗଡ଼ ରାଜବାଟୀର କଥା । ଏଠାକୁ ଆସିବାକୁ ହେଲେ ଚଣ୍ଡିଖୋଲ-ଡ଼ୁବୁରୀ ୫୩ ନମ୍ବର ଜାତୀୟ ରାଜପଥ ବା ଚଣ୍ଡିଖୋଲ ଠାରୁ ୨୫କି.ମି ଦେଇ ଗଲେ ବ୍ରାହ୍ମଣୀ ସେତୁ ଅତିକ୍ରାନ୍ତ କରିବା ପୂର୍ବରୁ ବାମପାର୍ଶ୍ୱରେ ପଡେ ବଳରାମପୁର ଗଡ଼ । ଏହା ସମୁଦ୍ର ପତନ ଠାରୁ ୬ଶହ ଫୁଟ ଉଚ୍ଚା ବା ସମତଳ ଠାରୁ ୨୭୪ ଫୁଟ ଉପରେ ଅବସ୍ଥିତ ଏହି ରାଜ ପ୍ରସାଦ । ୭୦-୮୦ ପରିବାର ଏଠାରେ ବସ ବାସ କରନ୍ତି । ଏଠାରେ ରହିଛି ରାଜା ରାଜଯୋଡ଼ା ସମୟର ଭଗ୍ନ ରାଜପ୍ରସାଦ । ପୂଜା ପାଉଛନ୍ତି ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥ । ଆଜି ନାହିଁ ରାଜ ରାଜଯୋଡ଼ା ଶାସନ । କିନ୍ତୁ ବଞ୍ଚô ରହିଛି ରାଜ କୀର୍ତି, ରାଜରାଜଯୋଡାଙ୍କର ପ୍ରିୟ ଆରାଧ୍ୟ ଦେବତାଙ୍କ ମନ୍ଦିର । ଏଠାରେ ରହିଛି ସୂର୍ଯ୍ୟବଂଶୀ ରାଜାଙ୍କ ସମୟର ଭଗ୍ନ ରାଜବାଟୀ । ଗଡ଼ର ମଧ୍ୟଭାଗରେ ଅବସ୍ଥିତ ପ୍ରଭୁ ଜଗନ୍ନାଥ ମନ୍ଦିର । ଏହାଯାଜପୁର ଜିଲ୍ଲାର ସର୍ବ ପୁରାତନ ଜଗନ୍ନାଥ ମନ୍ଦିର । କିମ୍ବଦନ୍ତୀ କହେ ଦେଢ଼ ହଜାର ବର୍ଷ ପୂର୍ବେ ଅର୍ଥାତ ୫୫୩ ଖ୍ରୀଷ୍ଟାବ୍ଦରେ ରାଜସ୍ଥାନର ଜୟପୁର ରାଜବଂଶଜ ଦୁଇ ଭାଇବଳରାମ ସିଂ ଏବଂ ମଧୁ ସିଂ ଏଠାକୁ ବୁଲିବାକୁ ଆସିଥିଲେ, ସେତେ ବେଳେ ପ୍ରାଚୀନ ଓଡିଶାର ରାଜଧାନୀ ଥିଲା "ଯଜ୍ଞପୁର’ ବା ଏବର ଯାଜପୁର । ରାଜା ଯଯାତି କେଶରୀ, ସେତେ ବେଳେ ପରିଭ୍ରମଣରେ ଯାଉଥିବା ସମୟରେ ହଠାତ ଏକ ବାଘ ତାଙ୍କୁ ଆକ୍ରମଣ କରିଥିଲା । ଏହି ସମୟରେ ବଳରାମ ସିଂହ ରାଜା ଯଯାତି କେଶରୀଙ୍କୁ ରକ୍ଷା କରିଥିଲେ । ଯାହା ଦ୍ୱାରା ରାଜା ଖୁସି ହୋଇ ତାଙ୍କୁ ସ୍ଥାନୀୟ ଅଞ୍ଚଳ ଦାୟିତ୍ୱ ଦେଇଥିଲେ । ସେହି ଦିନଠାରୁ ଏହି ଅଞ୍ଚଳ "ବଳରାମପୁର"ଭାବରେ ନାମିତ ହୋଇଛି ବୋଲି ଶୁଣାଯାଏ । ଏଠାରେ ରହିଛି ସୂର୍ଯ୍ୟବଂଶୀ ରାଜାଙ୍କ ସମୟର ରାଜବାଟୀ, ଜମିଦାରୀ ଓ ରାଜ ରାଜୁଡା ଶାସନର ବିଲୋପ ପରେ ଏଠାରେ ରାଜପ୍ରସାଦର ଭଗ୍ନାଶ ପଡ଼ିରହିଛି । ଅର୍ଥ ଅଭାବରୁ ବର୍ଷ ବର୍ଷ ଧରି ରାଜବାଟୀର କୌଣସି ରକ୍ଷଣବେକ୍ଷଣ କରାଗଲା ନାହିଁ । ଯାହା ଫଳରେ ଭାଙ୍ଗିରୁଜି ମାଟିରେ ମିଶି ଗଲାଣି । ଏହା ଭୁତ କୋଠୀରେ ପରିଣତ ହୋଇଛି । ଶେଷ ସ୍ୱାଧୀନ ରାଜାଥିଲେ ପ୍ରବୋଧ ଚନ୍ଦ୍ର ଧୀର ବୀରବର ହରିଚନ୍ଦନଙ୍କ ମୃତୁ୍ୟ ପରେ ପୁତ୍ର ପ୍ରବୀର ଚନ୍ଦ୍ର ଧୀରଦେଓଙ୍କୁ ମିଶାଇଲେ ୪୬ପୁରୁଷ ଚାଲିଛି । ଦ୍ୱିତୀୟ ମନ୍ଦିର ଆଠଗଡ଼ ରାଜାଙ୍କ ଭଉଣୀ ଆଠଗଡ଼ ରାଣୀ ରାଧାପ୍ରିୟା ପାଟ୍ଟଦେଇଙ୍କ ଦ୍ୱାରା ଜଗନ୍ନାଥ ମନ୍ଦିର ୧୩୨୬ସାଲରେ ଆରମ୍ଭ ହୋଇଥିଲା ୧୩୩୧ସାଲ ବୈଶାଖ ୨୫ ଅକ୍ଷୟ ତୃତୀୟ ଦିନ ପ୍ରତିଷ୍ଠା ହୋଇଥିଲା । ପ୍ରଥମ ନବକଳେବର ୧୯୨୪ମସିହାରେ କରାଯାଇଥିଲା ଏବଂ ଦ୍ୱିତୀୟ ନବେକଳେବର ୨୦୧୫ ମସିହାରେ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ଦ୍ୱାରା କରାଯାଇଥିଲା । ପ୍ରତ୍ୟକ ପାର୍ବଣ ବହୁ ଆଡମ୍ବର ସହକାରେ ପାଳନ ହୋଇଆସୁଛି । ଏଠାକୁ ବହୁ ଦୂର ଦୁରାନ୍ତରୁ ପର୍ଯ୍ୟଟକ ମାନେ ବୁଲିବାକୁ ଆସିଥାନ୍ତି ।  ଉକ୍ତ ଗ୍ରାମକୁ ଗୋଟିଏ ଗାଡ଼ି ଗଲେ ଅନ୍ୟ ଗାଡ଼ିଗୋଟିଏ ଆସିବା ସମ୍ଭବ ପରନୁହେଁ । ରାସ୍ତା ଘାଟର ସୁବିଧା ହେଲେ ସମସ୍ତେ ଉପକୃତ ହୋଇପାରନ୍ତେ ବୋଲି ଜନସାଧାରଣ ଆଶା ପୋଷଣ କରିଛନ୍ତି । ଏଠାରେ ମୁଖ୍ୟ ସମସ୍ୟା ପାନୀୟ ଜଳର ସଙ୍କଟ । ସ୍ୱାଧୀନତା ପୂର୍ବରୁ ରାଜାଙ୍କ ଦ୍ୱାରା ତିଆରି ହୋଇଥିବା ଏକମାତ୍ର ବାମ୍ଫି ଏଠାକାର ଲୋକମାନଙ୍କ ତୃଷ୍ଣା ମେଣ୍ଟାଉଛି । ବାରମ୍ବାର ସରକାରୀ ସ୍ତରରେ ଅଭିଯୋଗ ପରେବି ପାନୀୟ ଜଳର ସମସ୍ୟା ପୂରଣ ହୋଇ ପାରୁନାହିଁ । ନିର୍ବାଚନ ଆସିଲେ ସମସ୍ତ ରାଜନୈତିକ ନେତାମାନେ ଯାଇ ଲମ୍ବା ଭାଷଣ ଦେଇ ଆସିଥାନ୍ତି । ଆମେ ଆପଣଙ୍କ ଅସୁବିଧାକୁ ଦୂର କରିଦେବୁ । ରାଜନୈତିକ ବୈତରଣୀ ପାର ହୋଇଗଲେ ଯେଉଁକଥାକୁ ସେହିକଥାରେ ସୀମିତ ରହିଯାଏ । ଆଜି ପର୍ଯ୍ୟନ୍ତ ଏହି ଗ୍ରାମକୁ ପାନୀୟ ଜଳର ସ୍ଥାୟୀ ବ୍ୟବସ୍ଥା କରାଯାଇନାହିଁ । ଏଠାରେ ରହିଛି ରାଜାଙ୍କ ଦ୍ୱାରା ୫ଶହ ବର୍ଷର ଏକ ପୋଖରୀ । ଏହା କେବେ ହେଲେ ପୁନଃରୁଦ୍ଧାର ହୋଇନାହିଁ । ଏହି ଅଂଚଳର କିଛି ସମାଜସେବୀ ଏହାର ଉନ୍ନତି ମୂଳକ କାର୍ଯ୍ୟକରିବାକୁ ଅଣ୍ଟା ଭିଡ଼ିଛନ୍ତି । ରାଜ୍ୟ ସରକାର ଅନେକ ଜାଗାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇଥିବା ବେଳେ ବଳରାମପୁର ଗଡ଼ ସରକାରଙ୍କ ଦୁଷ୍ଟି ଆଢୁଆଳରେ ରହିଯାଇଛି । ଯଦି ସରକାର ସହଯୋଗର ହାତବଢ଼ାଇ ଏହାକୁ ମାନ୍ୟତା ଦିଅନ୍ତେ ତେବେଏଠାକୁ ଅନେକ ପର୍ଯ୍ୟଟକ ମାନଙ୍କର ସୁଅ ଛୁଟନ୍ତା । ମୋହନ ସରକାର ଏହାକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।