ଈଶବାସ୍ୟମ୍ ଇଦଂ ସର୍ବଂ
ଶ୍ରୀରାମକୃଷ୍ଣ ପରମହଂସ ସର୍ବଦା ସରଳ ଓ ବୋଧଗମ୍ୟ ଭାଷାରେ ନିତିଦିନିଆ ସଂସାରରୁ ଦୃଷ୍ଟାନ୍ତ ଦେଇ ଆଧ୍ୟାତ୍ମିକ ତତ୍ତ୍ୱମାନ ବୁଝାଉଥିଲେ । ଏକଦା ଆଶ୍ରମରେ ସମବେତ ଶିଷ୍ୟଙ୍କୁ ଉପଦେଶ ଛଳରେ କହିଲେ "ଆଧ୍ୟାତ୍ମିକ ମାର୍ଗ ଅବଲମ୍ବନ ମାଧ୍ୟମରେ ମନୁଷ୍ୟର ମୋକ୍ଷ ପ୍ରାପ୍ତି ହୁଏ । ମାତ୍ର ମୂଢ଼ ମନୁଷ୍ୟ ଆଧ୍ୟାତ୍ମିକତାର ସଦୁପଯୋଗ କରେନାହିଁ । ଏହା ତା'ର ଅଜ୍ଞାନତା ହୋଇପାରେ କିମ୍ବା ଆବଶ୍ୟକ ସାହସ ଅଭାବରୁ ହୋଇପାରେ । ଏଣୁ, ମନୁଷ୍ୟ ନିଜ ବିବେକ ଓ ଜ୍ଞାନ ପ୍ରୟୋଗ କରି ସାହସ ସଞ୍ଚୟ କରିବା ଦରକାର । ଏଭଳି ସୁଯୋଗ କେବଳ ମଣିଷକୁ ମିଳେ ।' କଥାଟିକୁ ଆଉ ଟିକେ ପ୍ରାଞ୍ଜଳ ଭାବେ ବୁଝାଇବାକୁ ଯାଇ ସେ ପ୍ରିୟ ଶିଷ୍ୟ ବିବେକାନନ୍ଦଙ୍କୁ କହିଲେ, ତୁମେ ନିଜକୁ ମାଛିଟିଏ ଭାବ । ଏ କଥା ବି କଳ୍ପନା କର ଯେ ତୁମ ସମ୍ମୁଖରେ ରହିଛି ଗୋଟିଏ ଅମୃତ ଭାଣ୍ଡ । ଅମୃତର ସ୍ୱାଦ ଚାଖିବା ପାଇଁ ଭାଣ୍ଡ ଭିତରକୁ ତୁମେ ଡେଇଁବ ନା ଏହାର ଧାରରେ ବସିରହି ଧୀରେ ଧୀରେ ଅମୃତ ପାନକରିବ ? ବିବେକାନନ୍ଦ ସାମାନ୍ୟ ଅପ୍ରତିଭ ହୋଇ ଉତ୍ତର ଦେଲେ, "ମୁଁ ଭାଣ୍ଡ ଧାରରେ ବସି ଅମୃତ ପାନ କରିବାକୁ ଚେଷ୍ଟା କରିବି । ତା' ଭିତରକୁ ଡେଇଁଲେ ହୁଏ ତ ମୋ ଜୀବନ ଚାଲିଯାଇପାରେ ।' ତାଙ୍କ ଉତ୍ତର ଶୁଣି ଶ୍ରୀରାମକୃଷ୍ଣ କହିଲେ, "ମୂର୍ଖ, ଅମୃତ ଆଣେ ଅମରତ୍ୱ । ଅମତୃରେ ସ୍ନାନ କରି ସଂପୂର୍ଣ୍ଣ ଭାବେ ନିଜକୁ ସେଥିରେ ହଜାଇ ଦେବାରେ କୁଣ୍ଠା କାହିଁକି ? ଏଥିରେ ତ ଭୟର କୌଣସି କାରଣ ନାହିଁ । ଏହା ହେଉଛି ତୁମର ଅଜ୍ଞାନତା । ସାହସର ସହ ସେଥିରେ ସଂପୂର୍ଣ୍ଣ ଡୁବିଗଲେ, ନିମଜ୍ଜିତ ରହିଲେ ଯାଇ ତୁମ ଜୀବନ ସାର୍ଥକ ହେବ । ତଥାପି ସେ ଏକ ଜୀବନ୍ତ ସତ୍ୟ; ସେ ଅତ୍ୟନ୍ତ ବାସ୍ତବ ସତ୍ତା । ବହ୍ମ କୌଣସି ନୈୟାୟିକ ବିମୂର୍ତ୍ତତା ନୁହନ୍ତି । ସେ ହେଉଛନ୍ତି ପୂର୍ଣ୍ଣତମ ତଥା ପରମ ବାସ୍ତବ ସତ୍ତା । ଅହଂକାରଶୂନ୍ୟ ହୋଇଯାଆନ୍ତୁ । ସେହି ଶୂନ୍ୟସ୍ଥାନ ଈଶ୍ୱରଭାବରେ ପୂର୍ଣ୍ଣ ହୋଇଯିବ । ନିଜର ବ୍ୟକ୍ତିତ୍ୱ ବା ଅହଂତ୍ୱ ହରାଇଦିଅନ୍ତୁ । ଆପଣ ଦିବ୍ୟ ଜୀବନ ଲାଭ କରିବେ, ଈଶ୍ୱର ସାକ୍ଷାତକାର ଲାଭ କରିବେ ।
ବିଜୟଲକ୍ଷ୍ମୀ ଶତପଥି,ମୋ : ୯୬୬୮୭୬୬୮୭୦