ପଟ୍ଟାମୁଣ୍ଡାଇ ଶାନ୍ତି କମିଟି ଗଠିତ : ପୂଜାରେ ଶାନ୍ତିଶୃଙ୍ଖଳା ଓ ଭାଇଚରା ବଜାୟ ରଖିବାକୁ ନିଷ୍ପତ୍ତି

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ସମଗ୍ର ଓଡିଶାରେ ସଦଭାବନା ଓ ଭାଇଚାରାର ସହର ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । କୌଣସି ପରିସ୍ଥିତିରେ ପଟ୍ଟାମୁଣ୍ଡାଇରେ ସଦଭାବନା ଓ ଭାଇଚାରା ନଷ୍ଟ ହେବାର ନଜିର ନାହିଁ । ପଟ୍ଟାମୁଣ୍ଡାଇରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଓ ପୂଜା ଉତ୍ସବର ମାହୋଲକୁ ଅଧିକ ସରସସୁନ୍ଦର ଓ ଆନନ୍ଦଉଲ୍ଲାସମୟ କରିବା ପାଇଁ ପଟ୍ଟାମୁଣ୍ଡାଇର ସମସ୍ତ ରାଜନୈତିକ ଦଳ, ବିଭିନ୍ନ ସଂଗଠନ ସମେତ ସମାଜର ବିଭିନ୍ନ ବର୍ଗର ଲୋକମାନଙ୍କୁ ନେଇ ପଟ୍ଟାମୁଣ୍ଡାଇ ଶାନ୍ତି କମିଟି ଗଠନ କରାଯାଇଛି । ପଟ୍ଟାମୁଣ୍ଡାଇ ତହସିଲଦାର ପଂଚାନନ ନାୟକଙ୍କ ଅଧ୍ୟକ୍ଷତାରେ ଗଠିତ ଶାନ୍ତି କମିଟିରେ ପଟ୍ଟାମୁଣ୍ଡାଇ ଏସଡିପିଓ କ୍ଷମାସାଗର ପଣ୍ଡା, ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ର, ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ, ବିଡିଓ ଶୀତଲ ଅଗ୍ରୱାଲ, ପୌର ନିର୍ବାହୀ ଅଧିକାରୀ ରଞ୍ଜନ ଦାଶଙ୍କ ସମେତ ବଣିକ ସଂଘ, ପଟ୍ଟାମୁଣ୍ଡାଇ ମୁସଲମାନ ବସ୍ତି , ଓକିଲ ସଂଘ, ସମାଜସେବୀ ମାନଙ୍କୁ ସଦସ୍ୟ ଭାବେ ନିଆ ଯାଇଛି । ବିଭିନ୍ନ ବର୍ଗରୁ ୩୫ଜଣ ସଦସ୍ୟଙ୍କୁ ସାମିଲ କରାଯାଇଥିଲା । ପଟ୍ଟାମୁଣ୍ଡାଇ ଶାନ୍ତି କମିଟି ଅଧକ୍ଷ ତହସିଲଦାର ଜରୁରୀ କାର୍ଯ୍ୟରେ ବାହାରେ ଥିବାରୁ ଅଧକ୍ଷଙ୍କ ଅନୁମତି କ୍ରମେ ଶାନ୍ତି କମିଟିର ପ୍ରଥମ ବୈଠକ ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ରଙ୍କ ପୌରହିତ୍ୟରେ ପଟ୍ଟାମୁଣ୍ଡାଇ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଏସଡିପିଓ କ୍ଷମାସାଗର ପଣ୍ଡା ଓ କମିଟିର ଅଧିକାଂଶ ସଦସ୍ୟ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ ।