ମହେଶ୍ୱରପୁର-ବ୍ରହ୍ମବରଦା କାମ ଆରମ୍ଭରୁ କେଁ... ବିନା ଫଳକରେ ନଦୀବନ୍ଧ କାମ

ବ୍ରହ୍ମବରଦା : ରାଜ୍ୟ ସରକାର ନଦୀକୂଳିଆ ବାସୀଙ୍କୁ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ପ୍ରତି ଦୁର୍ବଳ ନଦୀବନ୍ଧ ରାସ୍ତାକୁ ସୁଦୃଢ଼ ଓ ପ୍ରଶସ୍ତିକରଣ କରିବା ପାଇଁ ଅହରହ ଉଦ୍ୟମ ଚଳାଇଛନ୍ତି । ନଦୀବନ୍ଧ ରାସ୍ତାକୁ ପିଚୁ କରିବା ସହିତ କେଉଁଠି ନଦୀକୂଳ ପାର୍ଶ୍ୱରେ କଙ୍କ୍ରିଟ୍‌ ପାଚେରୀତ ଆଉ କେଉଁଠି ପଥର ପ୍ୟାକିଂର ବ୍ୟବସ୍ଥା କରୁଛନ୍ତି । ଏନେଇ ବିଭିନ୍ନ ଯୋଜନା ପ୍ରସ୍ତୁତ କରି କୋଟି କୋଟି ଟଙ୍କାଅର୍ଥ ବିନିଯୋଗ କରୁଛନ୍ତି । କିନ୍ତୁ ସରକାରଙ୍କ ତରଫରୁ ଏତେସବୁ ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମିଲିଭଗତରେ ନଦୀବନ୍ଧ ରାସ୍ତା କାମ ଗୁଡ଼ିକ ସୁଦୃଢ଼ ହେବା ବଦଳରେ ଦୁର୍ବଳ ହେବାରେ ଲାଗିଛି । ଯାହାଦ୍ୱାରା ସାଧାରଣ ଲୋକେ ସୁନ୍‌ଦଣ୍ଡ ଭୋଗୁଛନ୍ତି । ସୁଚନାନୁଯାୟୀକି ଜାରକା ଜଳସମ୍ପଦ ବିଭାଗ ବରୀ ଉପଖଣ୍ଡ ଅଧିନରେ ଥିବା ରସୁଲପୁର ବ୍ଲକ ମହେଶ୍ୱରପୁର ବଜାରଘାଟ ବ୍ରିଜ୍‌ ଠାରୁ ବ୍ରହ୍ମବରଦା ହାଟ ପର୍ଯ୍ୟନ୍ତ ୨କି.ମି ବ୍ରାହ୍ମଣୀ ନଦୀବନ୍ଧ ରାସ୍ତାର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ନଦୀବନ୍ଧର ରାସ୍ତାର ପ୍ରସସ୍ଥିକରଣ ଓ ପିଚୁ ପାଇଁ ଚଳିତ ମାସ ବିଭାଗ ପକ୍ଷରୁ ୨କୋଟି ଟଙ୍କା ମଞ୍ଜୁୁର ହୋଇଛି । ଠିକାଦାର ମଧ୍ୟ କାର୍ଯ୍ୟ ଆରମ୍ଭ କରିଛନ୍ତି । କିନ୍ତୁ କାମ ଆରମ୍ଭରୁ କେଁ ଥିବା, ବିନା ସୂଚନା ଫଳକରେ କାମ ଆରମ୍ଭ ହେବା ଓ ନିମ୍ନମାନର କାମ ହେଉଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଗ୍ରାମବାସୀ  ବିରୋଧ କରିଛନ୍ତି । ଠିକାଦାର  ବିଭାଗୀୟ ଅଟକଳ ଅନୁଯାୟୀ କାର୍ଯ୍ୟ କରୁ ନଥିବା ଓ ରାସ୍ତାର ଉଭୟ ପାଶ୍ୱର୍କୁ ୨ଫୁଟ୍‌ ନ ଖୋଳି ଓ ଉଭୟ ପାଶ୍ୱର୍କୁ ୩ ଫୁଟ ଲେଖାଏଁ ଚଉଡା ନ କରି କାମ ଚାଲୁ ରଖିଛନ୍ତି । ଠିକାଦାର କେବଳ ରାସ୍ତା ଉପରେ ଉପରେ ମାଟି ପକାଇ କାମ ଶେଷ କରି ଦେବାକୁ ବସିଛନ୍ତି । ଯାହାକୁ ଗ୍ରାମବାସୀ  ବିରୋଧ କରିଛନ୍ତି ।
ପ୍ରକାଶ ଥାଉକି ଗତ ୫ ବର୍ଷ ମଧ୍ୟରେ ଏହି ନଦୀବନ୍ଧରେ ୩ ଥର ଘାଇ ସୃଷ୍ଟି ହୋଇ ଅନେକ ଗ୍ରାମବାସୀଙ୍କ ଭିଟାମାଟି ନିଶ୍ଚିହ୍ନ ହୋଇଥିବା ବେଳେ, ଶହଶହ ଏକରର ଚାଷ ଜମିକୁ ବାଲି ମାଡି ଯାଇଛି । ସେହିପରି ଗ୍ରାମର ଜଣେ ଶିଶୁର ଜୀବନ ମଧ୍ୟ ଯାଇଛି । ୨୦୨୦ମସିହା ବନ୍ୟାରେ ବନ୍ଧଡିହ କାଣ୍ଡିଆ ସାହି ଠାରେ ଘାଇ ସୃଷ୍ଟି ହୋଇ ରମଣୀରଂଜନଙ୍କ ଦୁଇ ମହଲା କୋଠାକୁ ନଦୀଶ୍ରୋତରେ ଭଷାଇ ନେବା ଘଟଣା ସାରା ଅଞ୍ଚଳବାସୀଙ୍କୁ ସ୍ତବ୍ଦ କରିଦେଇଥିଲା । ପରେପରେ ୨୦୨୧ରେ ନାବାର୍ଡ ପକ୍ଷରୁ ଏହି ନଦୀବନ୍ଧର ସୁଦୃଢୀକରଣ ପାଇଁ ୫.୫ କୋଟି ଟଙ୍କାର ମଞ୍ଜୁର ହୋଇଥିଲା । ହେଲେ କାର୍ଯ୍ୟ ଏଭଳି ଭାବରେ ସୁଦୃଢ ହେଲା ଯେ ପୂଣି ୨୦୨୨ମସିହାରେ ଏହି ନଦୀବନ୍ଧର ବ୍ରହ୍ମବରଦା ଆଜାଦନଗର ନିକଟରେ ଘାଇ ସୃଷ୍ଟି ହୋଇଥିଲା । ଲୋକେ ମାସମାସ ଧରି ପର ଘରେ ଛାତ ଓ ନଦୀବନ୍ଧ ଉପରେ ଜୀବନ ବିତାଇଥିଲେ । ଏହା ମଧ୍ୟରେ ନଦୀବନ୍ଧ ମରାମତି ପାଇଁ ଦୁଇ ଦୁଇଥର ଅର୍ଥ ମାଞ୍ଜୁର ହୋଇ ସାରିଲାଣି ହେଲେ ନିମ୍ନମାନର କାର୍ଯ୍ୟକୁ ନେଇ ଏହି ନଦୀକୂଳରେ ବାସ କରୁଥିବା ୨ଶହରୁ ଉର୍ଦ୍ଧ ବାସିନ୍ଦାମାନେ ସର୍ବଦା ବହୁ ଶଙ୍କାଆଶଙ୍କା ମଧ୍ୟରେ ରହୁଥିବା ଅଭିଯୋଗ କରିଛନ୍ତି । ଏହି କାର୍ଯ୍ୟ କେଉଁଠୁ କେତେ ବାଟ ଏହାର ଆୟବ୍ୟୟ ଅଟକଳ କଣ ରହିଛି? ଏହାର ଠିକାଦାର କିଏ ଏନେଇ କୌଣସି ସୂଚନା ଫଳକ ଲାଗି ନାହିଁ । ଏନେଇ ବିଭାଗ ପକ୍ଷରୁ କୈାଣସି ତଦାରଖ କରାଯାଉ ନଥିବା ବେଳେ କାର୍ଯ୍ୟରେ ଠକାମି ହେଉଥିବା ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ବର୍ଷା ରୁତୁ ଆସିବା ପୂର୍ବରୁ ଜଳସେଚନ ବିଭାଗର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଅଧିକ୍ଷଣ ଯନ୍ତ୍ରୀଙ୍କୁ ସବୁ ନଦୀବନ୍ଧକୁ ତଦାରଖ କରିବା ପାଇଁ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଥିଲେ ମଧ୍ୟ ଏଠାରେ ସେମାନଙ୍କର ପାଦ ପକାଉନାହାନ୍ତି । ଏନେଇ ଜାରକା ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ କାମଦେବ ଦାସଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ । ତେଣୁ ଉକ୍ତ ନଦୀବନ୍ଧ କାର୍ଯ୍ୟକୁ ସଠିକ ଢଙ୍ଗରେ ନହେଲେ ଆଗାମୀ ଦିନରେ କାର୍ଯ୍ୟ ବନ୍ଦ ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।