ନିର୍ଯାତନା ସହ ହତ୍ୟା ଧମକ
ହିଞ୍ଜିଳିକାଟୁ : ବିବାହର ୫ ବର୍ଷ ପରେ ଅନ୍ୟ ଏକ ବିବାହିତା ମହିଳାଙ୍କ ସହ ସମ୍ପର୍କ ରଖିବା ସହ ସ୍ତ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ସହ ହତ୍ୟା ଧମକ ଦେଉଥିବା ନେଇ ମହିଳା ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୪୬୬/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ । ୨୦୨୦ ମସିହାରେ ପାଟପୁର ଥାନା କଙ୍କରଡା ଗ୍ରାମର ସୁନିତା ପ୍ରଧାନ (୨୬)ଙ୍କ ସହ ହିଞ୍ଜିଳି ଥାନା ଆଡପଡା ଗ୍ରାମର ସନ୍ତୋଷ ପ୍ରଧାନ (୩୩)ଙ୍କ ବାହାଘର ହୋଇଥିଲା । ବାହାଘର ସମୟରେ ବରଘର ଦାବି ମୁତାବକ ୫୦ ହଜାର ଟଙ୍କା ସହ ସୁନା ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରାଯାଇଥିଲା । ବାହାଘରର କିଛି ମାସ ପରେ ସନ୍ତୋଷ ସେହି ଗ୍ରାମର ଜଣେ ବିବାହିତା ମହିଳାଙ୍କ ସହସମ୍ପର୍କ ରଖିଥିବା ନେଇ ସୁନିତା ଜାଣିପାରି ଏଥିରୁ ନିବୃତ୍ତ ରହିବାକୁ ମହିଳା ଜଣଙ୍କ ସ୍ୱାମୀଙ୍କୁ ବାରଣ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସନ୍ତୋଷ ସ୍ତ୍ରୀଙ୍କୁ ମାଡ ମାରିଥିଲେ । ସଂପୃକ୍ତ ଘଟଣାକୁ କେନ୍ଦ୍ର କରି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବାରମ୍ବାର ଗଣ୍ଡଗୋଳ ହେଉଥିଲା । ସନ୍ତୋଷଙ୍କ ସମେତ ତାଙ୍କ ମା ଓ ଭଉଣୀ ମିଶି ସୁନିତାଙ୍କୁ ମାଡ ମାରିବା ସହ ଥାନାରେ ଅଭିଯୋଗ କଲେ ହତ୍ୟା କରିବାକୁ ଧମକ ଦେଇଥିଲେ ବୋଲି ସୁନିତା ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି ।