ନାହିଁ ନାହିଁରେ ଚାଲିଛି ନାଉଗାଁ ବ୍ଲକ

ନାଉଗାଁ ରୁ ଅଜିତ୍ ଓଝା : ଜଗତସିଂହପୁର ଜିଲ୍ଲାର ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରମୁଖ ବ୍ଲକ ନାଉଗାଁ । ଜିଲ୍ଲା କାର୍ଯ୍ୟାଳୟ ଠାରୁ ୨୦ କିମି ଦୂରରେ ଅବସ୍ଥିତ । ଦୀର୍ଘ ୫୦ବର୍ଷ ପରେ ନାଉଗାଁ ବ୍ଲକରେ ପ୍ରଶାସନିକ କ୍ଷେତ୍ରରେ ଜନସାଧାରଣଙ୍କ ପାଇଁ ସେବା ଯୋଗାଇବାରେ ସମ୍ପୂର୍ଣ୍ଣ ରୂପେ ସକ୍ଷମ ହୋଇ ପାରିନାହିଁ । ଦୀର୍ଘଦିନ ଧରି ବ୍ଲକ ପ୍ରଶାସନରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଖାଲି ପଡ଼ିଥିବାବେଳେ ନାଉଗାଁ ବ୍ଲକ କାର୍ଯ୍ୟାଳୟରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପଦବୀ ଦୀର୍ଘ ୧୦ ମାସ ହେବ ଖାଲି ପଡିଛି । ସେହିପରି ବ୍ଲକ ଉନ୍ନୟନ କିରାଣୀ ଦୀର୍ଘ ୮ମାସ ଏବଂ ଏନ୍ଆର୍ଜିଏସ୍ ଏପିଓ ପଦବୀ ଏକ ବର୍ଷ ହେବ ଖାଲି ପଡିଛି । ସେହିପରି ଯୋଗାଣ ଅଧିକାରୀଙ୍କୁ ଅତିରିକ୍ତ ବାଲିକୁଦା ଦାୟିତ୍ୱ ମିଳବାରୁ ନାଉଗାଁ ବ୍ଲକରେ ମାତ୍ର ସପ୍ତାହରେ ତିନିଦିନ କାର୍ଯ୍ୟ ବନ୍ଦ ରହିବାରୁ ଜନ ସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସବୁ ପଦପଦବୀରେ ଅଫିସର ନ ଥିବାରୁ ବାର୍ଦ୍ଧକ୍ୟ, ବିଧବା ଓ ଭିନକ୍ଷମ ଭତ୍ତା ଆଦି ଜନମଙ୍ଗଳ କାର୍ଯ୍ୟରେ ସମସ୍ୟା ସୃଷ୍ଟି ହେଉଛି । ସେହିପରି ଉନ୍ନୟନମୂଳକ ଓ ପ୍ରକଳ୍ପ କାର୍ଯ୍ୟ ପାଇଁ ସମସ୍ୟା ଦେଖାଦେଉଛି । ସେହିପରି ମନରେଗା କାର୍ଯ୍ୟରେ ମଧ୍ୟ ଅନେକ ବାଧାସୃଷ୍ଟି ହେଉଛି । ନାଉଗାଁ ତହସିଲ କାର୍ଯ୍ୟାଳୟରେ ଆବଶ୍ୟକ ଥିବା ୬ଜଣ ଅମିନ ବଦଳରେ ୨ଜଣ ଅମିନ କାର୍ଯ୍ୟ କରୁଛନ୍ତି । ଯାହାଦ୍ୱାରା ଜମିବାଡ଼ି ମାପଚୁପ ଏବଂ ରେକେର୍ଡ ଯୋଗାଇବାରେ ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାକି ଏକ ଗୁରୁତ୍ୱ ବହନ କରୁଥିବା ସମସ୍ୟା ପାଲଟିଛି । ସେହିପରି ନାଉଗାଁ ବ୍ଲକ ଶିକ୍ଷା ବିଭାଗରେ ଶିକ୍ଷାଅଧିକାରୀ ପଦବୀ ଫାଙ୍କା ପଡ଼ିଥିବା ବେଳେ ଅଲଣାହାଟ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି ଏବଂ ମୁଖ୍ୟକିରାଣୀ ପଦବୀ ଖାଲି ସହିତ ତିନିଜଣ ଏବିଓ ପଦବୀ ଖାଲି ରହିଛି । ଯାହାକି ଦୀର୍ଘଦିନ ଧରି ବ୍ଲକ ଶିକ୍ଷାକ୍ଷେତ୍ରରେ ବହୁ ଅସୁବିଧା ପାଇଁ ସମସ୍ୟା ଲାଗି ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦବୀ ଭାବେ ଆଇନଶୃଙ୍ଖଳା ନିୟନ୍ତ୍ରଣ ପାଇଁ ନାଉଗାଁ ଥାନା ଅଧିକାରୀ ନିକଟରେ ପୁରୀ ଜିଲ୍ଲାକୁ ବଦଳି ହେବା ପରେ ସାତଦିନ ହେବ ନାଉଗାଁ ଥାନା ଅଧିକାରୀ ପଦବୀ ଫାଙ୍କା ପଡିଛି । ଏ ସମ୍ପର୍କରେ ବିଡିଓ ତପନ କୁମାର ମହାପାତ୍ର ବ୍ଲକରେ ଅଫିସରଙ୍କ ଅଭାବ ଯୋଗୁଁ ସମସ୍ୟା ଦେଖାଦେଉଛି । ଦୀର୍ଘଦିନ ଧରି ନାଉଗାଁ ବ୍ଲକରେ ବିଭିନ୍ନ ପଦପଦବୀ ଗୁଡିକ ଖାଲି ପଡ଼ିଥିବାବେଳେ ପ୍ରଶାସନିକ ଓ ରାଜନୈତିକ କ୍ଷେତ୍ରରେ ନାଉଗାଁର ଗୁରୁତ୍ୱ ନେଇ ସାଧାରଣ ଜନସାଧାରଣ ମାନଙ୍କ ଅସନ୍ତୋଷ ପ୍ରକାଶ ପାଇଛି । ନାଉଗାଁ ବ୍ଲକକୁ ଗୁରୁତ୍ୱ ଦେବାକୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି । ଏ ନେଇ ଗଳଦାରୀ ସରପଞ୍ଚ ଦିଲ୍ଲୀପ ନାୟକ, ଯୁବନେତା ସମୀର ନାୟକ, କମ୍ରେଡ ସୁବାଶ ସ୍ୱାଇଁ, ଛାତ୍ରନେତା ସୁନିଲ ମାଟିଆ, ଯୁବନେତା ରଶ୍ମୀରଞ୍ଜନ ତ୍ରିପାଠୀ, ଆଇନଜୀବୀ ସୌମ୍ୟସଞ୍ଜୀବ ଦାସ ପ୍ରମୁଖ ଦାବି କରିଛନ୍ତି ।