ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ମୃତୁ୍ୟ; ହତ୍ୟା ଅଭିଯୋଗ

 ବ୍ୟାସନଗର : ପୌରାଞ୍ଚଳ ଗୋପବନ୍ଧୁ ଛକ ନିକଟରେ ଥିବା ଏକ ନିଶା ନିବାରଣ କେନ୍ଦ୍ରରେ ଜଣେ ଯୁବକର ମୃତୁ୍ୟ ଘଟିଛି । ମୃତ ଯୁବକ ଜୀବନ ମଲିକ(୨୬) ହୋଇଥିବା ବେଳେ ଗତମାସ ୨୭ ତାରିଖରେ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ଫକିରପୁର ଗ୍ରାମର ସୁଦାମ ମଲିକଙ୍କ ପୁଅ ଜୀବନ ମଦ୍ୟପାନ କାରଣରୁ ପରିବାର ଲୋକଙ୍କ ସ୍ୱିକୃତିରେ ଗୋପବନ୍ଧୁ ଛକ-ଷ୍ଟେସନ ବଜାର ରାସ୍ତା କଡ଼ରେ ଥିବା ସଚେତନ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ହୋଇଥିଲା । କିନ୍ତୁ ଆଜି କେନ୍ଦ୍ର ପରିଚାଳକ ଉପେନ୍ଦ୍ର ସାହୁ ଜୀବନର ବାପାକୁ ଫୋନକରି ତମ ପୁଅର ବାତ ବାହାରିଛି, ତାକୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି କହିଥିଲେ । ଖବର ପାଇବା ପରେ ଜୀବନର ବାପା ସୁଦାମ ଏବଂ ସଂପର୍କିୟ ଯାଜପୁର ରୋଡ଼ ମେଡ଼ିକାଲରେ ପହଁଚିବା ବେଳକୁ ପୁଅର ମୃତୁ୍ୟ ଘଟିଥିବା ଏବଂ ମର ଶରୀର ଶବ ଗୃହରେ ଥିବା ଜାଣିବାକୁ ପାଇଥିଲେ । ଶବ ଗୃହ ଖୋଲି ପୁଅର ଶରୀର ଦେଖିବା ପରେ ତାହା ଦୁର୍ଗନ୍ଧ ବାହାରୁଥିବା ଜାଣିବାକୁ ପାଇଥିଲେ । ପୁଅ ଜୀବନର ମୃତୁ୍ୟ ଆଜି ଏବଂ ତାହା ବାତ ଜନୀତ କାରଣରୁ ହୋଇନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ବାପାର ଅଭିଯୋଗ ମୋ ପୁଅକୁ ନିଶା ନିବାରଣ କେନ୍ଦ୍ରରେ ପିଟିପିଟି ମାରିଦେବା ପରେ ଦୋଷ ଛଡ଼ାଇବାକୁ ବାତର ବାହାନା ନିଆଯାଇଛି । ପୁଅକୁ କେନ୍ଦ୍ରର ପରିଚାଳକ ଉପେନ୍ଦ୍ର ଏବଂ ତାଙ୍କ ପୁଅ ବିତାଜ ପିଟିପିଟି ମାରିଦେଇଥିବାର ଅଭିଯୋଗ କରିଛନ୍ତି । ଅଭିଯୋଗରେ ଜୀବନର ଦେହରେ କ୍ଷତଚି÷ହ୍ନ ଥିବା ଦର୍ଶାଯାଇଛି । ଏତଲା ପରେ ଯାଜପୁର ରୋଡ଼ ଥାନାରେ ୪୫୪/୨୫ରେ ଏକ ମାମଲା ରୁଜୁ ହୋଇଛି । ଥାନା ଅଧିକାରୀ ଆଶିଷ ସାହୁ, ଡ଼ିଏସପି ରତିକାନ୍ତ ଗିରି, ମାଜିଷ୍ଟେଟ ବ୍ୟାସନଗର ତହସିସଲଦାର ଦେବାଶିଷ ରାଉତଙ୍କ ସହ ଘଟଣା ସ୍ଥଳରେ ପହଁଚି ତଦନ୍ତ କରିଥିଲେ । ସନ୍ଧ୍ୟାରେ ଶବକୁ ବ୍ୟବଚ୍ଛେଦ ପାଇଁ ଦାନଗଦୀ ମେଡ଼ିକାଲକୁ ପଠାଇଛି ପୁଲିସ ।