ସୁରୁଖୁରୁରେ ନିଟ ପରୀକ୍ଷା ଅନୁଷ୍ଠିତ

 ମାଲକାନଗିରି: ମାଲକାନଗିରି ଜିଲ୍ଲା ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟରେ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ ୨୦୨୫ ସୁରୁଖୁରୁରେ ଅନୁଷ୍ଠିତ ହୋଇଯାଇଛି । ଏହି ପରୀକ୍ଷା ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ର ଭାବେ ଚୟନିତ ହେଇଥିଲା ବେଳେ ପରୀକ୍ଷା କେନ୍ଦ୍ରର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ସୂଚନା ଯୋଗ୍ୟ ଯେ ଏହି ବର୍ଷ ନିଟ ପରୀକ୍ଷା ଦାୟିତ୍ୱ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଥିଲା । ଜିଲ୍ଲାପାଳଙ୍କ ଦ୍ୱାରା ନିୟୋଜିତ ନୋଡାଲ ଅଫିସର ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲାକ୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ତହସିଲଦାର ଟୀକାନୁ ପୁଟା ଏଗଜିକୁ୍ୟଟିଭ ମାଜିଷ୍ଟ୍ରେଟ ଭାବେ ନିୟୋଜିତ ହୋଇଥିଲେ । ଅତିରିକ୍ତ ପୁଲିସ ଅଧ୍ୟକ୍ଷ ରଶ୍ମି ରଞ୍ଜନ ସେନାପତି, ପୁଲିସ ସୁରକ୍ଷା ବ୍ୟବସ୍ଥାର ସଂଚାଳନା କରିଥିଲେ । ଏନ ଟି ଏ ପକ୍ଷରୁ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟାକ୍ଷ ଡ଼ କୈଳାଶ ମୀନା ସିଟି କୋରଡିନେଟର ଏବଂ ଡ଼ ରଞ୍ଜନ କୁମାର ସ୍ୱାଇଁ, ଅବସର୍ଭର ନିୟୋଜିତ ହୋଇଥିଲେ । କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ରାମବୀର ସିଂ ସେଣ୍ଟର ସୁପାରିଟେଣ୍ଡେଣ୍ଟ ନିୟୋଜିତ ହୋଇଥିଲେ । ଏହି ପରୀକ୍ଷା କେନ୍ଦ୍ରରେ ୧୪ ଟି ପ୍ରକୋଷ୍ଠରେ ୩୨୭ ଜଣଙ୍କ ମଧ୍ୟରୁ ୩୧୭ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିଲେ ଏବଂ ୧୦ ଜଣ ଅନୁପସ୍ଥିତ ଥିଲେ । ୩୧୭ ବିଦ୍ୟାର୍ଥୀ ମଧ୍ୟରୁ ୪ ଜଣ ଓଡ଼ିଆ ଭାଷା ପରୀକ୍ଷା ଦେଇ ଥିଲେ । ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ପରୀକ୍ଷା କେନ୍ଦ୍ରରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା ଏବଂ କଡାକଡି ଯାଞ୍ଚ ପରେ ହିଁ ପରୀକ୍ଷା ର୍ଥୀ ମାନେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରୁଥିଲେ । ଖରା ତାତିକୁ ଦୃଷ୍ଟିରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆମ୍ବୁଲାନ୍ସର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ପରୀକ୍ଷା ସରିଲା ପରେ ଭାରତୀୟ ଡାକ ସେବା ସହଯୋଗରେ ଏବଂ ପୁଲିସ ସୁରକ୍ଷା ସହ ଉତ୍ତର ଖାତା ଗୁଡିକ ସୁରକ୍ଷିତ ସ୍ଥାନକୁ ପଠାଯାଇଥିଲା ।