ବେଧଡକ ଲୁଟ୍; ଧରପଗଡ଼ ଧର୍ମକୁ ଆଖିଠାର
ଯାଜପୁର-ଯଖପୁରା : ଯାଜପୁର ଜିଲାରେ ଲଘୁ ଖଣିଜ ବିଭାଗ ର କାର୍ଯ୍ୟ ବିପର୍ଯ୍ୟସ୍ତ ହୋଇପଡିଛି । ଲଘୁ ଖଣିଜ ବିଭାଗ ଅଧିନରେ ଆସୁଥିବା ସମସ୍ତ ପଦାର୍ଥର ଚୋରି ବଢ଼ିଚାଲିଛି । ରାଜ୍ୟ ସରକାର ତହସିଲ୍ ଅଧିନରୁ ବାଲି, ମାଟି, ମୋରମ, ମାଙ୍କଡ଼ା, ପାହାଡ ପଥର ସବୁର ତଦାରଖ ଦାୟୀତ୍ୱ ଲଘୁ ଖଣିଜ ବିଭାଗକୁ ହସ୍ତାନ୍ତର କରିବା ପର ଠାରୁ ଜିଲାରେ ସମସ୍ତ ଲଘୁ ଖଣିଜ ପଦାର୍ଥର ଚୋରି ବଢ଼ିଯାଇଛି । ଲିଜଧାରୀ ମାନଙ୍କର ମନମାନି ବଢ଼ିଯାଇଛି । ଦିନ ଦି ପ୍ରହରରେ ବାଲି, ମୋରମ, କଳାପଥର ବେଫିକର ଲୁଟ ହେଉଛି । ଏହାକୁ ରୋକିବା ବର୍ତ୍ତମାନ ଲଘୁ ଖଣିଜ ବିଭାଗ ପାଇଁ ଚାଲେଞ୍ଜ ହୋଇଯାଇଛି । ସରକାର ଲଘୁ ଖଣିଜ ପଦାର୍ଥରେ ସ୍ୱଚ୍ଛତା ଆଣିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି ବୋଲି କହୁଛନ୍ତି । ଦେଖିବାକୁ ଗଲେ ତୃଣମୂଳସ୍ତରରେ ସରକାରୀ ନୀତି ନିୟମର ଧାଜିଆ ଉଡ଼ାଉଛନ୍ତି ଲିଜ୍ଧାରି । ସରକାରୀ ନୀତି ନିୟମ ଓ ସରକାର ବାବୁ ମାନଙ୍କର ନିଦେ୍ର୍ଦଶକୁ ଫୁ କରି ଉଡାଇଦେଉଛନ୍ତି । ସମଗ୍ର ଯାଜପୁର ଜିଲାରେ ଯେଉଁଠି ଦେଖିବେ ସେଠି ବାଲି ମୋରମ ଲୁଟ ହେଉଛି । ଯାଜପୁର ଜିଲାର ଅନେକ ନଦୀ ଯେମିତିକି ବ୍ରାହ୍ମଣୀ, ବୈତରଣୀ, ବିରୂପା, ଖରସ୍ରୋତା ଆଦି ନଦୀ ମାନଙ୍କରେ ସରକାର ତରଫରୁ ବାଲି ଘାଟ ସବୁ ଟେଣ୍ଡର ଆହ୍ୱାନ କରାଯାଇଛି । ବାଲି ଉଠାଣ ପାଇଁ ଟେଣ୍ଡର ପାଇଥିବା ଲିଧାରୀ ସରକାରଙ୍କ ସମସ୍ତ ନୀତି ନିୟମ ଅନୁଯାୟୀ ପରିବେଶ ମଞ୍ଜୁରୀ ପାଳନ କରି ବାଲି ଉଠାଇବା ପାଇଁ ସହମତି ପ୍ରକାଶ କରି ସରକାରଙ୍କ ସହିତ ଚୁକ୍ତି ସ୍ୱାକ୍ଷର କରିଥାନ୍ତି । କିନ୍ତୁ ପରବର୍ତ୍ତୀ ସମୟରେ ଦେଖାଯାଉଛି କି ଘାଟର ଲିଜଧାରୀ ଠିକାଦାର ସରକାରୀ ନୀତି ନିୟମକୁ ମାନୁ ନାହାନ୍ତି । ନିଜ ମନ ମୁତାବକ ବାଲି ଘାଟରୁ ବାଲି ଉଠାଣ କରୁଛନ୍ତି । ଲିଜ ନେଉଥିବା ଠିକାଦାର ନିଜ ପରିସୀମା ବାହାରୁ ବାଲି ଉଠାଣ କରୁଛନ୍ତି । ଏହାକୁ ନେଇ ଲଘୁ ଖଣିଜ ବିଭାଗର ଅଧିକାରୀଙ୍କ ନିକଟରେ ସାଧାରଣ ଲୋକ ଅଭିଯୋଗ କରିବା ପରେ ଯଦି ବିଭାଗର ଅଧିକାରୀ ଠିକାଦାରଙ୍କୁ କିଛି ନିଦେ୍ର୍ଦଶ ଦେଉଛନ୍ତି ତେବେ ସେ ନିୟମକୁ ଠିକାଦାର ପାଳନ କରୁନାହାନ୍ତି । ଅନେକ ସମୟରେ ଦେଖାଯାଉଛି କି ଆବଶ୍ୟକ ଠାରୁ ଅଧିକ ଖଣିଜ ସଂପଦ ଲିଜଧାରୀ ନିଜ ପରିସିମା ବାହାରୁ ଉଠାଇ ନେଉଛି । ବ୍ୟାସନଗର ତହସିଲ୍ ଅଞ୍ଚଳର ହେଉ କି ଦାନଗଦୀ ତହସିଲ୍ ଅଞ୍ଚଳ ହେଉ ପୁଣି ସର୍ବାଧିକ ଚୋରି ହେଉଥିବା ଧର୍ମଶାଳା ତହସିଲ୍ ଅଞ୍ଚଳ ହେଉ କି ଯାଜପୁର ତହସିଲ୍ ଅଧିନରେ ଥିବା ବାଲି ଘାଟରେ ବାଲି ଲୁଟ ହେଉଛି । ଯାହାକୁ ନେଇ ଗଣମାଧ୍ୟମରେ ଖବର ସୂଚନା ମୁତାବକ ପ୍ରକାଶ ପାଉଥିଲେ ମଧ୍ୟ ଲିଜଧାରିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଶୂନ । ବରଂ ସରକାରୀ ନିଦେ୍ର୍ଦଶକୁ ଅବମାନନା କରୁଛନ୍ତି ।
ସେହିପରି ରାଜ୍ୟର ସର୍ବୋଚ୍ଚ ଉଚ୍ଚ ନ୍ୟାୟାଳୟ ନିଦେ୍ର୍ଦଶକୁ ମଧ୍ୟ ଅବମାନନା କରିଥିବାରୁ ନଜରକୁ ଆସେ । ଉଚ୍ଚ ନ୍ୟାୟାଳୟ ନିଦେ୍ର୍ଦଶ ରହିଛି କି ବାଲି ଘାଟରୁ ସକାଳ ୯ ଟା ଠାରୁ ଆରମ୍ଭ କରି ରାତି ୯ ଟା ପର୍ଯ୍ୟନ୍ତ ସମୟ ଭିତରେ ବାଲି ଉଠାଣ କରାଯିବ ନାହିଁ । ସେହିପରି ବାଲି ଉଠାଣ ସମୟରେ ପୂର୍ଣ୍ଣ ମାତ୍ରାରେ ସ୍ଥାନୀୟ ପରିବେଶକୁ ଗୁରୁତ୍ୱର ସହିତ ନିଆଯିବ । ଯେମିତିକି ବାଲି ଉଠାଣ କରି ବାଲି ନେଇ କରି ଯାଉଥିବା ଗାଡିରୁ ପାଣି ଆଉ ବାଲି ଯେମିତି ସର୍ବସାଧାରଣ ରାସ୍ତା ଘାଟରେ ନପଡିବ । ବାଲି ଘାଟରୁ ବାଲି ନେଇ ଯାଉଥିବା ରାସ୍ତାକୁ ପରିଷ୍କାର ପରିଚ୍ଛନ୍ନ ରଖିବ । ପୁଣି ବାଲି ଘାଟ ଯଦି କୌଣସି ଉଚ୍ଚ ପୋଲ ନିକଟରେ ଥିବା ତେବେ ସେଠାରେ ଗଭୀର ଗାତ କରି ବାଲି ଖୋଳା ଯାଇପାରିବ ନାହିଁ । କାରଣ ବାଲି ଅଧିକ ଗଭୀର ପର୍ଯ୍ୟନ୍ତ ଖୋଳି ଉଠା ଗଲେ ସମ୍ପୃକ୍ତ ଉଚ୍ଚ ବ୍ରିଜ ପ୍ରତି ବିପଦ ରହିବ ଫଳରେ କେତେ ବେଳେ କୌଣସି ମୁହୁର୍ତ୍ତରେ ବ୍ରିଜ ଭୁଶୁଡ଼ିବାର ସମ୍ଭାବନା ସୃଷ୍ଟି କରିବ । ସେହିପରି ବାଲି ଉଠାଣ ସମୟରେ ନଦୀର ବନ୍ଧ କଡ଼ରୁ ଗାଡ଼ କରି ବାଲି ଖୋଲା ଯାଇପାରିବ ନାହିଁ । କାରଣ ନଦୀ ବନ୍ଧ କଡ଼ରୁ ବାଲି ଉଠାଣ କରିଲେ ନଦୀ ବନ୍ଧ ଦୁର୍ବଳ ହେବାର ଯଥେଷ୍ଟ ସମ୍ଭାବନା ଥାଏ । ତେଣୁ ବର୍ଷା ଦିନ ନଦୀରେ ବଢ଼ି ଆସିଲେ ନଦୀ ବନ୍ଧ ଭାଙ୍ଗିବାର ସମ୍ଭାବନା ରହିଥାଏ । ମାତ୍ର ସରକାରୀ ନୀତି ନିୟମ ହେଉ କି କୋର୍ଟଙ୍କ ନିଦେ୍ର୍ଦଶକୁ କେହି ଗୁରୁତ୍ୱ ଦେଉଥିବାର ନଜର ଆସୁନାହିଁ । ସାରା ଜିଲାର ପ୍ରତ୍ୟେକ ବାଲିଘାଟ ଅଞ୍ଚଳରୁ ଏଭଳି ଅଭିଯୋଗ ହୁଏ । ଖାଲି ବାଲି ନୁହେଁ ଅନେକ ଅଞ୍ଚଳରେ ମୋରମ ଲୁଟର ପ୍ରତି ଦିନ ନଜରକୁ ଆସୁଛି । କେହି ବି ଏଥିପ୍ରତି ନଜର ଦେଉଥିବାର ଦେଖାଯାଉ ନାହିଁ । ମୋରମ ମାଫିଆ ବିଳମ୍ବିତ ରାତିରେ ଟ୍ରିପ ଟ୍ରିପ ମୋରମ ଲୁଟ କରୁଛନ୍ତି । କିଛି ଅଞ୍ଚଳରେ ସବୁଜ ପରିବେଶ ମଞ୍ଜୁରୀ ନଥିବା ସତ୍ୱେ ସ୍ଥାନୀୟ ଅଞ୍ଚାଳରୁ ବଡ଼ ବଡ଼ ଗାତ କରି ମୋରମ ଉଠାଣ କରାଯାଉଛି । ଯାହାକୁ ନେଇ ସ୍ଥାନୀୟ ପୁଲିସ ହେଉ କି ତହସିଲଦାରଙ୍କୁ ଅଭିଯୋଗ କରିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । କେବଳ ଯେ ଲଘୁ ଖଣିଜ ଅଧିକାରୀ ଏହି ଚୋରିକୁ ରୋକିବା ସେମିତି ନିୟମ ରହିଥିଲେ ମଧ୍ୟ ଯଦି ଦରକାର୍ ପଡେ ତେବେ ସ୍ଥାନୀୟ ପୁଲିସ ଓ ତହସିଲ୍ ଅଧିକାରୀ ମଧ୍ୟ ଏହାକୁ ରୋକିବା ପାଇଁ ପଦକ୍ଷେପ ନେଇପାରିବେ । ମାତ୍ର କେହି ବି ସରକାରୀ ନିଦେ୍ର୍ଦଶକୁ ମାନୁନାହାନ୍ତି । ଯାହା ଫଳରେ ଟ୍ରିପ ଟ୍ରିପ ମୋରମ ଦାନଗଦୀ ତହସିଲ୍ ଅଞ୍ଚଳରେ ଯାଇଥିବା ରେଳ ଧାରଣା କଡ଼ରେ ପଡୁଛି । ଲୁଚା ଛପାରେ ହଜାର ହଜାର ମୋରମ ଲୁଟ କରୁଛନ୍ତି ମୋରମ ମାଫିଆ । ମୋରମ ଲୁଟ କରି ମୋରମ ମାଫିଆ ମାଲେମାଲ୍ ହେଉଥିବା ସମୟରେ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି ।
ସେମିତି ଅନେକ ରାସ୍ତା ଓ ରେଳ ଧାରଣା ଦୋହରୀକରଣ ପାଇଁ ଆବଶ୍ୟକ ହେଉଥିବା ମାଟି ମୋରମକୁ ଲୁଚା ଛାପାରେ ଦିଆଯାଉଛି । ଧର୍ମଶାଳା ଅଞ୍ଚଳରେରେ କଳା ପଥର ଠାରୁ ଆରମ୍ଭ କରି ମାଟି ପର୍ଯ୍ୟନ୍ତ ଲୁଟ ହେଉଛି । ପାହାଡରୁ କଳାପଥର ଲୁଟର ଅନେକ ଅଭିଯୋଗ ହୋଇଛି । ଲିଜ ନଥାଇ ଅନେକ ପାହାଡରୁ ପଥର ଖନନ ହେଉଛି । ଯାହାକୁ ନେଇ ସରକାରଙ୍କୁ ଅନେକ ସମୟରେ ବିରୋଧୀ ମାନେ ଘେରିଛନ୍ତି । ଏହାକୁ ନେଇ ବିଧାନସଭା ହୁଲୁସ୍ତୁଲୁ ହୋଇଛି । ମାଙ୍କଡ଼ା ପଥର କଥା ନ କହିବା ଭଲ । ଜିଲ୍ଲା ବାହାରୁ ଢେଙ୍କାନାଳ ଜିଲ୍ଲାରୁ ମାଙ୍କଡ଼ା ପଥର ଆସୁଛି । ଯାହାକୁ ଚଢ଼ା ଦରରେ ସାଧାରଣ ଲୋକଙ୍କୁ ବିକ୍ରି କରାଯାଉଛି । ଏହା ଉପରେ କାହାର ନଜର ନାହିଁ । ମୋଟାମୋଟି ଭାବରେ କହିବାକୁ ଗଲେ ସମଗ୍ର ଜିଲାରେ ଲଘୁ ଖଣିଜ ବିଭାଗ କୁ ଚକମା ଦେଇ ମାଫିଆ ମାନେ ସକ୍ରିୟ ରହିଛନ୍ତି । ଏମିତିକି ସାଧାରଣ ଲୋକମାନେ ଅଭିଯୋଗ କରନ୍ତି କି ବାଲି ମୋରମ ମାଫିଆଙ୍କ ସହିତ ବିଭାଗୀୟ ଅଧିକାରୀଙ୍କ ମଧୂଚନ୍ଦ୍ରିକା ପାଇଁ ଏସବୁ ସମ୍ଭବ ହୋଇପାରୁଛି । ଲଘୁ ଖଣିଜ ବିଭାଗକୁ ଏ ବିଷୟରେ ପଚାରିଲେ ସେମାନେ କହୁଛନ୍ତି କି ଆମ ପାଖରେ ଏସବୁକୁ ଯାଞ୍ଚ କରିବା ପାଇଁ ଆବଶ୍ୟକ ଅଧିକାରୀ ନାହାନ୍ତି । କେବଳ ଯେ ଜିଲ୍ଲା ଲଘୁ ଖଣିଜ ବିଭାଗ ଏହାକୁ ରୋକିବା ସେମିତି କିଛି ଆଇନ ରହିଥିଲେ ମଧ୍ୟ ସ୍ଥାନୀୟ ପୁଲିସ ଓ ତହସିଲ୍ ଅଧିକାରୀ ଏହାକୁ ରୋକିବା ପାଇଁ କ୍ଷମତା ରଖନ୍ତି । ମାତ୍ର ସେମାନେ ଲଘୁ ଖଣିଜ ବିଭାଗ କଥା କହି ଖସିବା ପାଇଁ ସବୁବେଳେ ଚେଷ୍ଟା କରୁଛନ୍ତି । ଯାହା ଫଳରେ ସ୍ଥାନୀୟ ଅଞ୍ଚଳ ଠାରୁ ଅନେକ ଦୂରରେ ବିଭାଗର କାର୍ଯ୍ୟାଳୟ ଥିବାରୁ ଲଘୁ ଖଣିଜ ମାଫିଆ ମାନେ ସେମାନଙ୍କର କାର୍ଯ୍ୟ କରିବାରେ ସଫଳ ହେଉଛନ୍ତି । ଆଗକୁ ଯଦି ଏମିତି ସମସ୍ୟା ଲାଗି ରହେ ତେବେ ବିଭାଗୀୟ ଅଧିକାରୀଙ୍କ ଆଢ଼ୁଆଳରେ ଥିବା ଅନେକ ଖଣିଜ ପଦାର୍ଥର ଭରପୁର ଲୁଟ ହେବ । ଏଥିରେ ତିଳେ ମାତ୍ର ସନେ୍ଦହ ନାହିଁ । ଆଗାମୀ ଦିନରେ ଯଦି ବିଭାଗୀୟ ଅଧିକାରୀ ସଚେତନ ନହୁଅନ୍ତି ତେବେ ଏହା ଜଟିଳ ରୂପ ଧାରଣ କରିବ ।