ପକ୍କା ରାସ୍ତା ନିର୍ମାଣ ପାଇଁ ବିଭାଗୀୟ ସଚିବଙ୍କୁ ସାକ୍ଷାତ
ବୈରୀ: ବଡଚଣା ବ୍ଲକର ବନ୍ତଳା ପଞ୍ଚାୟତ ଅଧୀନ ଉପୁଳା ଗ୍ରାମର ବେହେରା ସାହି ରାସ୍ତାଟି ଏବେ ବି କଚ୍ଚା ହୋଇ ରହିଛି । ପ୍ରାୟ ୧୫ ଅନୁସୂଚିତ ଜାତି ପରିବାର ପାଇଁ ପକ୍କା ରାସ୍ତା ଏକ ରକମର ସ୍ୱପ୍ନ ହୋଇରହିଛି । ଏବେ ଗ୍ରାମର ପ୍ରାୟ ସମସ୍ତ ଘରକୁ ପକ୍କା ରାସ୍ତା ହୋଇ ସାରିଲାଣି । କିଛି ମୁଷ୍ଟିମେୟ ଲୋକ କ୍ଷମତା ବଳରେ ତାଙ୍କ ଘରକୁ କିଛି ମିଟରର ପକ୍କା ରାସ୍ତା ମଧ୍ୟ କରେଇ ପାରିଛନ୍ତି । ହାଇଲେଭଲ୍ କେନାଲର ୭(କ) ଶାଖା ନାଳ ଉପୁଳା ଗ୍ରାମର ଉତର ଦିଗରେ ପ୍ରବାହିତ ହେଉଛି । ଦଳିତସାହି ଏହି ନାଳର ଦୁଇ ପାଶ୍ୱର୍ରେ ଅବସ୍ଥିତ । ଏହିରାସ୍ତା ଦ୍ୱାରା ଦଳିତ ଲୋକଙ୍କ ଅପେକ୍ଷା ଗ୍ରାମବାସୀ ବେଶି ଉପକୃତ ହୁଅନ୍ତି । ନିକଟସ୍ଥ ଯୋରକୁ ସ୍ନାନ ଶୌଚ କରିବାକୁ ଯିବା, ଧାନ କଳକୁ ଧାନ ଓ ଅଟା ପେଷାଇବାକୁ ଯିବା, ରାସନ ଡିଲରଙ୍କ ଚାଉଳ ଗାଡ଼ି ଯିବା, କ୍ଷୀର ଗାଡ଼ି, ଟ୍ରାକ୍ଟରରେ ମାଟି, ବାଲି, ଚିପ୍ସ, ଇଟା, ପଥର, ରଡ୍, ସିମେଣ୍ଟ ଆଦି ଗୃହ ନିର୍ମାଣ ସାମଗ୍ରୀ ପରିବହନ, କୃଷି ଯନ୍ତ୍ରପାତିର ବହୁଳ ବ୍ୟବହାର ଏହି ରାସ୍ତା ଉପରେ ନିର୍ଭର କରେ । ଗ୍ରାମ ରାସ୍ତାର ଏହା ବାଇପାସ୍ ଭଳିଆ କାମ କରେ । ବିଶେଷ କରି ଗ୍ରାମ ରାସ୍ତାକୁ ଲୋକେ ଜବର ଦଖଲ କରି ଘର, ପିଣ୍ଡା, ଗୁହାଳ କରିଥିବାରୁ ତଥା ଗାଈ ଗୋରୁଙ୍କୁ ରାସ୍ତା ଉପରେ ବାନ୍ଧୁୁ ଥିବାରୁ ଆମ୍ବୁଲାନ୍ସ, ଦମକଳ ଆଦି ଜରୁରୀ କାଳୀନ ଯାନବାହାନର ଯାତାୟତ ଏକ ପ୍ରକାର ଅସମ୍ଭବ ଥାଏ । ବର୍ଷା ଦିନେ ଏହି ରାସ୍ତାର ଅବସ୍ଥା ଶେଚନୀୟ ହୋଇଯାଏ । ନିଜ ଖର୍ଚ୍ଚରେ ସାହି ଲୋକମାନେ କିଛି ମୋରମ ପକାଇ ଗମନା ଗମନ ଉପଯୋଗୀ କରିଥାନ୍ତି । ପଂଚାୟତ ପକ୍ଷରୁ ମୋରମ ମିଳୁନି ଅବା ମୋରମ ପକାଇବାର ବ୍ୟବସ୍ଥା ନାହିଁ କହିବା ସତରେ ଦୁର୍ଭାଗ୍ୟଜନକ । ଗୋଟେ ଷ୍ଟ୍ରିଟ୍ ଲାଇଟ ମାଗିଲେ ମଧ୍ୟ ମିଳୁନାହିଁ । ଏସିଆନ୍ ଡେଭଲପମେଂଟ ବ୍ୟାଙ୍କ ପକ୍ଷରୁ ଗତ ୬-୭ବର୍ଷ ତଳେ ହାଇଲେଭଲ କେନାଲର ପୁନରୁଦ୍ଧାର ହୋଇଥିବାରୁ ଏହି ରାସ୍ତାରେ କମସେକମ୍ ଚାରିଚକିଆ ଯାନ ଯାଇପାରୁଛି । ଏହା ପୂର୍ବରୁ ରାସ୍ତାର ଅବସ୍ଥା ଆହୁରି ଶେଚନୀୟ ଥିଲା । ଜଳସେଚନ ବିଭାଗର ରାସ୍ତା କହି ସାହି ଲୋକଙ୍କୁ ଭଣ୍ଡେଇ ଆସୁଥିବାରୁ ଏହା ପଞ୍ଚାୟତ ପ୍ରଶାସନର ଜାତି ଭିତିକ ହୀନ ମାନସିକତାର ପରିଚୟ । ଶାଖା କେନାଲ ଉପରେ ଗୋଟିଏ ପୋଲର ଆବଶ୍ୟକତା ରହିଛି । ପର୍ଯ୍ୟାପ୍ତ ଅର୍ଥବ୍ୟୟ ବରାଦ କରି ଏକା ଥରକେ ଏହି ରାସ୍ତାକୁ ପକ୍କା କରିବା ସହ ଦୁଇଟି ଷ୍ଟ୍ରିଟ୍ ଲାଇଟର ବ୍ୟବସ୍ଥା କରେଇବାକୁ ୩ତାରିଖ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀରେ ଅଜୟ ବେହେରା, ମାଗୁଣୀ ବେହେରା, ସଉରୀ ବେହେରା, କାହ୍ନୁଚରଣ ବେହେରା ପ୍ରମୁଖ ସାହିବାସୀ ବିଭାଗୀୟ ସଚିବଙ୍କ ନିକଟରେ ଦାବି କରିଥିଲେ । ସର୍ବଶେଷ ଖବର ମୁତାବକ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଓ ଅନ୍ୟାନ୍ୟ ଅଧିକାରୀ କ୍ଷେତ୍ର ପରିଦର୍ଶନ କରିଥିଲେ । ଖୁବ୍ ଶୀଘ୍ର ଆବଶ୍ୟକ ଅର୍ଥ ମଞ୍ଜୁର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।