ଡିଜେ ଶବ୍ଦରେ ଦୁଲୁକିଲା ଧାମନଗର: ଫେରିଲା ଆମ୍ବୁଲାନ୍ସ, ପରୀକ୍ଷାର୍ଥୀଙ୍କୁ ଅଣଦେଖା 

 ଧାମନଗର:  ଉଚ୍ଚ ନ୍ୟାୟାଳୟ ଶବ୍ଦ ପ୍ରଦୁଷଣକୁ ନିୟନ୍ତ୍ରଣ କରିବାପାଇଁ ବିଭିନ୍ନ କଟକଣା ଲାଗୁ କରିଥିବାବେଳେ  ଧାମନଗର ଅଂଚଳରେ ଏହାର ଖୋଲା ଉଲଂଘନ ହେଉଥିବା ଦେଖିବାକୁ ମିଳିଛି । ଧାମନଗର ଅଞ୍ଚଳରେ ବିଭିନ୍ନ ପର୍ବପର୍ବାଣିରେ ବହୁଳ ଭାବେ ଡିଜେ ବ୍ୟବହାର ଜନସାଧାରଣଙ୍କୁ ଅତିଷ୍ଠ କରୁଛି । ଏଦିଗରେ ପୋଲିସ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଆଇନର କାର୍ଯ୍ୟକାରିତାକୁ ନେଇ ଲୋକଙ୍କ ଭରସା ତୁଟିବାକୁ ବସିଛÿି । ଗତ ରବିବାର ରାତିରେ ଧାମନଗର ବଜାରରେ ମେଳଣ ଶୋଭାଯାତ୍ରାରେ ବହୁ ଡିଜେ ଗୋଟିଏ ସ୍ଥାନରେ ଏକ ସମୟରେ ବାଜିବା ଲୋକଙ୍କୁ ଅତିଷ୍ଠ କରିଛି । ଧାମନଗର ମେଡିକାଲ ପାଖ ଶାମପୁର ମେଳଣ ପଡିଆରେ ପ୍ରତିବର୍ଷ ଭଳି ଏବର୍ଷ ବହୁ ଆଡମ୍ବରରେ ମେଳଣ ଯାତ୍ରା ହୋଇଥିଲା । ରବିବାର ବିଳମ୍ବିତ ରାତ୍ରିରୁ ସୋମବାର ସକାଳ ସାତଟା ପର୍ଯ୍ୟନ୍ତ ଶ୍ରୀଜିଉ ମାନଙ୍କୁ ଶୋଭାଯାତ୍ରାରେ ମେଳଣ ପଡିଆ ପର୍ଯ୍ୟନ୍ତ ନିଆଯାଇଥିଲା । ଏହି ଶୋଭାଯାତ୍ରାରେ ଗୋଟିଏ ସ୍ଥାନରେ ଏକ ସମୟରେ ଦଶଟି ଡିଜେ ବାଜୁଥିଲା । ଅତି ଅଧିକ ସାଉଣ୍ଡରେ ଡିଜେ ଗୁଡିକ ବାଜୁଥିବାବେଳେ ଆଖପାଖର ଲୋକେ ରାତିରେ ଶୋଇପାରିନଥିଲେ । ଡିଜେର ଅତି ଉଚ୍ଚ ଶବ୍ଦରେ ଘରର କବାଟ ଝରକା ଦୋହଲି ଯାଉଥିଲା । ଏପରିକି ନିକଟରେ ଥିବା କେତେକ ମେଡିସିନ ଷ୍ଟୋରରେ ଔଷଧ ତଳେପଡି ନଷ୍ଟ ହୋଇଥିବା ଜଣାଯାଇଛି । ପାଖରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଥିବାବେଳେ ରାତି ପାହିଲେ ସୋମବାର ସକାଳ ୭ ଟାରେ ପିଲାମାନଙ୍କ ପରୀକ୍ଷା ଆରମ୍ଭ ହୋଇଥିଲା । ସେଥିପ୍ରତି କାହାରି ନଜର କିମ୍ବା ଭୃକ୍ଷେପ ନଥିଲା । ଏପରିକି ପରୀକ୍ଷା ସକାଳ ୭ଟାରେ ହେବାକୁଥିବା ବେଳେ ସକାଳ ୭ଟା ୩୦ ମିନିଟ ପର୍ଯ୍ୟନ୍ତ ଡିଜେ ଗୁଡିକ ବାଜୁଥିଲା । ଧାମନଗର-ଦୋବଲ ମୁଖ୍ୟ ରାସ୍ତାର ମେଡିକାଲ ବଜାରରେ ବଡ ବଡ ଡିଜେ ବାଜୁଥିବାବେଳେ ବହୁ ସଂଖ୍ୟାରେ ଲୋକେ ରାସ୍ତା ଅବରୋଧ କରିଥିଲେ । ଯାତ୍ରୀବାହୀ ବସ ଶୋଭାଯାତ୍ରା ପାଇଁ ଅଟକି ରହିଥିବାବେଳେ ଶହଶହ ସଂଖ୍ୟାରେ ଛାତ୍ର ଛାତ୍ରୀ ପରୀକ୍ଷା ଦେବାକୁ ଯିବା ପାଇଁ ରାସ୍ତାରେ ହଇରାଣ ହୋଇଥିଲେ । ଧାମନଗର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ସକାଳ ୭ ଟା ୩୦ ରେ ଡିଜେ ବନ୍ଦ କରିଥିଲେ । 
ସେହିପରି ସୋମବାର ରାତିରୁ ଚୁଡ଼ାକୁଟି ମେଲଣ ହେଉଥିବା ବେଳେ କଲିକତାରୁ ବଡ ବଡ ଡିଜେକୁ ଆଣି ବଜାଇବା ଦ୍ୱାରା ସମଗ୍ର ଚୁଡ଼ାକୁଟି ଅସ୍ତବେସ୍ତ ହୋଇ ପଡୁଥିଲା । ଏପରି କି ଡିଜେ ଗୁଡିକ ପ୍ରାୟ ୧୫ ଫୁଟ ଚଉଡ଼ା ହୋଇ ଥିବାରୁ ରାସ୍ତା ପୁରା ଜାମ ହୋଇଥିଲା । ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ଡିଜେ ବାଜୁ ଥିବାରୁ ଧାମନଗର ପୋଲିସ ଯାଇବନ୍ଦ କରିବା ଦ୍ୱାରା ପୋଲିସ ଓ ଠାକୁର ବାଡ଼ିଆଙ୍କ ମଧ୍ୟରେ ଉଚ୍ଚ ବାଚ ଯୁକ୍ତିତର୍କ ମଧ୍ୟ ହୋଇଥିଲା ତେବେ ସେଠାରେ ତିନୋଟି ବିଦ୍ୟାଳୟ ରହିଥିବା ବେଳେ ଏବେ ବାର୍ଷିକ ପରୀକ୍ଷା ଚାଲିଛି ଥିବାରୁ ଦିନ ୧୦ ଟା ପର୍ଯ୍ୟନ୍ତ  ଡିଜେ ବନ୍ଦ କରାଯାଇ ଥିଲା ପରେ ଡିଜେ ବାଜି ଥିଲା ପାଖାପାଖି ଦିନ ୧୨ ଯାଏ ଡିଜେ ବାଜି ଥିଲା । ଏହି ସମୟରେ ଜରୁରୀ କାଳୀନ ସେବା ଗାଡି ଯାଇ ନ ପାରି ଫେରି ଥିବା ବେଳେ ଧାମନଗର ଅଞ୍ଚଳର ସାବିତ୍ରୀ ସାହୁ ଏକ ଅଟୋରେ ଭଦ୍ରକ ଡାକ୍ତର ଖାନାକୁ ଯାଉଥିବା ବେଳେ ଏହି ଜାମରେ ଫସିଥିବା ଦେଖିବାକୁ ମିଳିଥିଲା । ତେବେ ଏପରି ପରିସ୍ଥିତିରେ ପ୍ରଶାସନ କେମିତି ଅନୁମତି ଦେଉଛନ୍ତି ଡିଜେ ବଜାଇବା ପାଇଁ ତାହା ସଧାରଣରେ ଆଲୋଚ୍ୟ ବିଷୟ ହୋଇଛି । ଧାମନଗରରେ ଶବ୍ଦ ପ୍ରଦୁଷଣ ଦିନକୁଦିନ ଉକôଟ ହେଉଥିବା ବେଳେ ଭଦ୍ରକ ଜିଲ୍ଲାପାଳ ଏଥିପ୍ରତି ଦୃଢ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହେଉଛି । ବାସ୍ତବରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ତେବେ ଅଧିକ ସଂଖ୍ୟକ ପୋଲିସ ନଥିବାରୁ ଆୟତ୍ତ କରି ହୋଇନାହିଁ । ତେବେ ଆଗାମୀ ଦିନରେ ପୋଲିସ ପ୍ରସ୍ତୁତ ରହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଧାମନଗର ଥାନା ଅଧିକାରୀ ଗୋପାଳ କୃଷ୍ଣ ଜେନା କହିଛନ୍ତି ।