ପଣ୍ଡା ଅଳଙ୍କାର ଲୁଟ୍ ଘଟଣା : ନାମକୁ ମାତ୍ର ପୁଲିସର ସାମ୍ବାଦିକ ସମ୍ମିଳନୀ

ବ୍ୟାସନଗର/ପାଣିକୋଇଲି: କୋଡ଼ିଏ ଦିନ ପରେ ଯାଜପୁର ପୁଲିସ ପାଣିକୋଇଲି ପଣ୍ଡା ଅଳଙ୍କାରରୁ ଲୁଟ୍ ଏବଂ ବନ୍ଧୁକ ମୁନରେ ଦୁଇଜଣଙ୍କୁ ହତ୍ୟା ଘଟଣାରେ ସାମ୍ବାଦିକ ସମ୍ମିଳନୀ କରିଥିଲା । ଯାଜପୁର ରୋଡ଼ ଥାନା କ୍ୟାମ୍ପସରେ ଥିବା ଏସଡିପିଓ କାର୍ଯ୍ୟାଳୟରେ ପୁଲିସ ପକ୍ଷରୁ କରାଯାଇଥିବା ସାମ୍ବାଦିକ ସମ୍ମିଳନୀଟି ନାମକୁ ମାତ୍ର ଥିଲା । ନାଁ ପୁଲିିସ ସାମ୍ବାଦିକଙ୍କୁ ଘଟଣାର ସବିଶେଷ ସୂଚନା ଦେଇଥିଲା, ନାଁ ସାମ୍ବାଦିକ କରିଥିବା ପ୍ରଶ୍ନର ଉପଯୁକ୍ତ ଉତ୍ତର ଦେଇଥିଲା । କହିବାକୁ ଗଲେ ପ୍ରଶ୍ନ-ଉତ୍ତର କାର୍ଯ୍ୟକ୍ରମ ଭିତରେ ପୁଲିସ ତଦନ୍ତ ଚାଲିଛି ବୋଲି କହିଥିଲା । ଏସଡିପିଓ ସଞ୍ଜୟ ପଟ୍ଟନାୟକ, କୋରେଇ ଥାନା ଅଧିକାରୀ ରାକେଶ ତ୍ରିପାଠୀ, ପାଣିକୋଇଲି ଥାନା ଅଧିକାରୀ ରଞ୍ଜିତ ମହାନ୍ତି ପ୍ରମୁଖ ଚଳିତ ମାସ ୪ତାରିଖ ପାଣିକୋଇଲି ପଣ୍ଡା ଅଳଙ୍କାର ଲୁଟ ଘଟଣା ଏବଂ ଦୁଇଜଣଙ୍କୁ ହତ୍ୟା ଘଟଣା ସମ୍ପର୍କର୍ରେ ସୂଚନା ଦେଇଥିଲେ । ଏସଡିପିଓ ଶ୍ରୀ ପଟ୍ଟନାୟକ କହିଥିଲେ ଘଟଣା ଦିନ ଦୁଇଜଣ ବିହାର ରାଜ୍ୟ ବେଗୁସାରଣି ଜିଲ୍ଲାର ମୁଫାସିଲ ଥାନା ଅନ୍ତର୍ଗତ ଲୋହିନଗନରର ମହେଶ ସାହାଣୀଙ୍କ ପୁଅ ରାଜା(୩୩) ଓ ଉକ୍ତ ରାଜ୍ୟ ସାରଣ ଜିଲ୍ଲା ଗୌରା ଥାନା ଅନ୍ତର୍ଗତ ରାମପୁର ଗ୍ରାମର ରାଜେନ୍ଦ୍ର ସିଂହଙ୍କ ପୁଅ ରାଣା(୨୪) ସହ ଅନ୍ୟ ୨ ଜଣ ଡକାୟତ ପଣ୍ଡା ଅଳଙ୍କାରରୁ ବନ୍ଧୁକ ମୁନରେ ଲୁଟ କରି ଫେରାର ହେଉଥିବା ବେଳେ ଲୋକଙ୍କ ହାବୁଡ଼ରେ ପଡ଼ିଥିଲେ । ଦୁଇଜଣ ଘଟଣା ସ୍ତଳୁ ଫେରାର ହୋଇଯାଇଥିବା ବେଳେ, ଉପରୋକ୍ତ ଦୁଇଜଣ ଫେରାର ଉଦ୍ୟମ କରି ବନ୍ଧୁକ ମୁନରେ ଦୁଇଜଣଙ୍କୁ ହତ୍ୟା କରିଥିଲେ ହେଁ ଧରାପଡ଼ିଯାଇଥିଲେ । ଘଟଣାର ତଦନ୍ତ କରାଯିବା ପରେ ବିହାର ରାଜ୍ୟ ଛାପ୍ରା ଜିଲ୍ଲା ଦୋରିଗଞ୍ଜ ଥାନା ଅନ୍ତର୍ଗତ ଭାରପୁର ଗ୍ରାମର ଦେବନାଶ ଚୌଧୁରୀଙ୍କ ପୁଅ ମନଜିତ କୁମାର ଆର୍ଯ୍ୟ(୨୩)ଙ୍କୁ ଗିରଫ କରାଯାଇଥିଲା । ଘଟଣା ଦିନ ଧରାପଡ଼ିଥିବା ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣକରିବା ଏବଂ ରିମାଣ୍ଡରେ ଆଣି ପଚରା ଉଚରା ପରେ ଅନ୍ୟତମ ଅଭିଯୁକ୍ତକୁ ଗିରଫ କରାଯାଇଥିବା ଏବଂ ପାଣିକୋଇଲି ଥାନା ମାମଲା ନଂ ୭/୨୫ରେ କୋର୍ଟ ଚାଲାଣ କରାଯାଇଥିବା କଥା ପୁଲିସ କହିଥିଲା । ଘଟଣାଦିନ ଅଭିଯୁକ୍ତଙ୍କ ଠାରୁ ଦୁଇଟି ବନ୍ଧୁକ, ପାଞ୍ଚଟି ଜୀବନତ ଗୁଳି, ୩ଟି ଖୋକା, ଗୋଟିଏ ମୋବାଇଲ, ୱାଇଫାଇ ଡ଼ିଭାଇସ, ନାଲି ରଙ୍ଗର ଆପାଚୀ ବାଇକ ଜବତ କରାଯାଇଥିବା ବେଳେ, ଆଜି କୋର୍ଟ ଚାଲାଣ ହୋଇଥିବା ମନଜିତ ଠାରୁ ଗୋଟିଏ ବନ୍ଧୁକ, ୪ଟି ଗୁଳି, ଦୁଇଟି ମୋବାଇଲି ଜବଦ କରାଯାଇଥିବା କଥା ଏସଡିପିଓ ସୂଚନା ଦେଇଥିଲେ । ହେଲେ ତୃତୀୟ ଅଭିଯୁକ୍ତକୁ କେଉଁଠାରୁ ଗିରଫ କରାଗଲା, ଅଳଙ୍କାର ଲୁଟ୍ ଘଟଣାରେ କେତେ ଜଣ ସାମିଲ ଥିଲେ । ଅଭିଯୁକ୍ତ ଲୁଟର ଯୋଜନା କେମିତି କରିଥିଲେ । ଲୁଟ ପୂର୍ବରୁ କେଉଁଠାରେ ଅବସ୍ଥାନ କରୁଥିଲେ, କେତେଦିନ ପୂର୍ବରୁ କରିଥିଲେ, ଲୋକାଲ ଲିଙ୍କ ଅଛି କି ନାହିଁ, ଅଳଙ୍କାର ଜବଦ ହୋଇଛି କି ନାହିଁ, ଯଦି ହୋଇଛି, ତେବେ ତାହାର ପରିମାଣ କେତେ, ଅଭିଯୁକ୍ତ କେଉଁ ରାସ୍ତାରେ ଚମ୍ପଟ ମାରିଲେ ଭଳି ପ୍ରଶ୍ନର କିନ୍ତୁ ପୁଲିସ କିଛି ଉତ୍ତର ରଖିନଥିଲା ।
ସାମ୍ବାଦିକ ବାରମ୍ବାର ବିଭିନ୍ନ ପ୍ରଶ୍ନ କରିଥିଲେ ହେଁ ଏସଡିପିଓ କେବଳ ଉତ୍ତର ରଖିଥିଲେ ତଦନ୍ତ ଚାଲିଛି । ଅଳଙ୍କାର ଲୁଟ୍ ଏବଂ ଦୁଇଜଣଙ୍କୁ ବନ୍ଧୁକ ମୁନରେ ହତ୍ୟା କରିବା ଭଳି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ପୁଲିସର ଦରଖଣ୍ଡିଆ ସୂଚନା ପଛରେ ରହସ୍ୟ କ’ଣ ତାହା ହିଁ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଖବର ଥାଉକି ଚଳିତମାସ ୪ ତାରିଖ ଦିନ ପ୍ରାୟ୧.୩୦ ମିନିଟ ସମୟରେ୧୬ନଂ ଜାତୀୟ ରାଜପଥର ପାଣିକୋଇଲି ପଣ୍ଡା ଅଳଙ୍କାର ଦୋକାନରୁ ବନ୍ଧୁକ ମୁନରେ ହୋଇଥିଲା ଲୁଟ୍ । ଜିଲ୍ଲା ଏସ୍ପି ଦପ୍ତରର ଦୁଇଶହ ମିଟର ଦୂର ଅଳଙ୍କାର ଦୋକାନରେ ଦିନଦ୍ୱିପ୍ରହରରେ ଡ଼କାୟତ ମାଲିକ ଅଶୋକ ପଣ୍ଡାଙ୍କୁ ବନ୍ଧୁକ ଦେଖାଇ ସୁନା ଅଳଙ୍କାର ଲୁଟ୍ କରି ଫେରାର ହେଉଥିବା ବେଳେ ମାଲିକଙ୍କ ପୁଅ ପ୍ରତିରୋଧ କରିବା ବେଳେ, ଜଣେ ଡ଼କାୟତ ତାଙ୍କୁ ଲକ୍ଷକରି ଗୁଳି ଫୁଟାଇଥିଲା । ହେଲେ ଗୁଳିମାଡ଼ରୁ ମାଲିକଙ୍କ ପୁଅ ବର୍ତିଯାଇଥିଲେ । ଦୁଇଜଣ ଡକାୟତ ବାଇକ୍ରେ ଫେରାର ହେବାକୁ ସମର୍ଥ ହୋଇଥିଲେ ହେଁ ଦୁଇଜଣ ତଳେ ପଡ଼ିଯିବାରୁ ଧରାପଡ଼ିଥିଲେ । ଧରାପଡ଼ିଥିବା ଡ଼କାୟତ ଚମ୍ପଟ ମାରିବାକୁ ଗୁଳିମାରିବାରୁ କର୍ମଚାରୀ ସୁନିଲ ରାୟଙ୍କ ଦେହରେ ବାଜିଥିଲା । ଫଳରେ ସେ ଗୁରୁତର ହୋଇଥିଲେ । ତାଙ୍କୁ ମେଡ଼ିକାଲରେ ଭର୍ତି କରାଯାଇଥିଲେ ହେଁ ମୃତୁ୍ୟ ଘଟିଥିଲା । ତେବେ ଜଣେ ଡ଼କାୟତ ଲୋକଙ୍କ କବଳରୁ ଖସିଯାଇ ଚମ୍ପଟ ମାରୁଥିବା ବେଳେ, ପାଣିକୋଇଲି ଅଭିମୁଖେ ଆସୁଥିବା ଗୋଳଇପୁର ପଞ୍ଚାୟତ ସୋତି ଗ୍ରାମର ଗୌରାଙ୍ଗ ପଣ୍ଡାଙ୍କ ପୁଅ ନୀଳମାଧବ (୨୨)ଙ୍କୁ ଅଟକାଇ ବାଇକଟିକୁ ଛଡାଇବାକୁ ଚେଷ୍ଟା କରିଥିଲେ । ହେଲେ ସେ ବିରୋଧ କରିବାରୁ ତାଙ୍କୁ ଗୁଳି ଡ଼କାୟତ ହତ୍ୟା କରିଥିଲା । ପିଛାକରୁଥିବା ଲୋକେ ଡ଼କାୟତକୁ କାବୁ କରିନେଇଥିଲେ । ଲୋକଙ୍କ ମାଡ଼ରେ ଦୁଇ ଡ଼କାୟତ ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ତି କରାଯାଇଥିଲା । ସୁୁସ୍ଥ ପରେ ପୁଲିସ ତାଙ୍କୁ କୋର୍ଟ ଚାଲାଣ କରିଥିଲା ।