ପଥର ଖାଦାନରେ ଜିଲ୍ଲାପାଳଙ୍କ ଚଢ଼ାଉ: ଟ୍ରାକ୍ଟର ଜବତ, ଲକ୍ଷାଧିକ ଟଙ୍କା ଫାଇନ୍ ଆଦାୟ
ସୋର: ସୋର ବ୍ଲକ ମହୁମୁହାଣ ପଞ୍ଚାୟତ ବାଗୁଡି ଖଞ୍ଜାମାହାଲ ପଥର ଖାଦାନରେ ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଅଚାନକ ଚଢ଼ାଉ କରି ଚାରୋଟି ପୋକଲିନ, ତିନୋଟି ବେଆଇନ ମାଲ ବୋଝେଇ ଡମ୍ପର ସହ ଏକ ଟ୍ରାକ୍ଟର ଜବତ କରିଥିବାବେଳେ ଖଣି ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ଫାଇନ ଆଦାୟ କରାଯାଇଛି । ଏହି ଖାଦାନରେ ବାରମ୍ବାର ଚଢ଼ାଉ ହେଉଥିଲେ ମଧ୍ୟ ପଥର ଚୋରି ରୋକିବାର ନାଁ ଧରୁନି । ପ୍ରଶାସନ ପକ୍ଷରୁ ଯେତେ ପ୍ରକାର ପଥ ଆପଣା ଯାଉଛି ସେ ସବୁକୁ ଫୁ କରି ମାଫିଆ ମାନେ ପଥର ଲୁଟିବାରେ ଲାଗିଛନ୍ତି । ଗତ କିଛି ଦିନ ତଳେ ପ୍ରଶାସନ ପକ୍ଷରୁ ଏହାର ମୁଖ୍ୟ ରାସ୍ତା ଗୁଡ଼ିକୁ କାଟି ଦିଆଯାଇଥିଲା । ପୁଲିସ ଓ ଖଣି ବିଭାଗ ପକ୍ଷରୁ ନାକାବନ୍ଦୀ କରାଯିବା ପାଇଁ ସ୍ଥାନ ନିରୁପଣ କରାଯାଇଥିଲା । ମାତ୍ର ଏସବୁର କିଛି ବି ଫରକ୍ ମାଫିଆମାନଙ୍କ ଉପରେ ପଡିନଥିଲା । ଦିନ ରାତି ସବୁ ସମୟରେ ପଥର ଲୁଟ ଚାଲିଥିବା ବେଳେ ଆଜି ବାଲେଶ୍ୱର ଜିଲ୍ଲାପାଳ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହ ଏହି ଖାଦାନରେ ପହଞ୍ଚିଥିଲେ । ପରେ ବେଆଇନ ପଥର ଚାଲାଣରେ ଲାଗିଥିବା ୪ଟି ଚେନପୁଲି ପୋକଲିନ ମେସିନ, ତିନୋଟି ଡମ୍ଫର, ଗୋଟିଏ ଟ୍ରାକ୍ଟର ଜବତ କରାଯାଇଥିଲା । ଜିଲ୍ଲାପାଳଙ୍କ ନିଦେ୍ର୍ଦଶରେ ବିଭିନ୍ନ ସ୍ଥାନରେ ଗଚ୍ଛିତ ଥିବା ପଥରକୁ ଜବତ କରାଯାଇ ୩୫ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାରେ ନିଲାମ କରାଯାଇଥିଲା । ଖାଦାନ ଅଂଚଳରେ ଥିବା ବିଭିନ୍ନ କ୍ରସରରେ ଚଢ଼ାଉ କରାଯାଇ ଗଛିତ ପଥରକୁ ଜବତ କରାଯାଇ ନିଲାମ କରାଯିବା ସହିତ ସଂଲଗ୍ନ ରାସ୍ତାକୁ ଖଣି ବିଭାଗ ତରଫରୁ କଟାଯାଇଥିଲା । ଏହି ସମୟରେ କେତେକ ମାଫିଆ ଚଢ଼ାଉ ବାବଦରେ ଜାଣିପାରି ଆଗୁଆ କାମ ବନ୍ଦ କରି ଫେରାର ହୋଇ ଯାଇଥିଲେ । ଏହି ଚଢ଼ାଉରେ ଖଣି ବିଭାଗର ଉପନିଦେ୍ର୍ଦଶକ ସନ୍ତୋଷ କୁମାର ଦଳେଇ, ବାଲେଶ୍ୱର ଖଣି ଅଧିକାରିଣୀ ସନ୍ତୋଷୀପ୍ରଭା ସେଠୀ, ସୋର ତହସିଲଦାର ସେଖ ସାଗିର, ଅତିରିକ୍ତ ତହସିଲଦାର ଦୈତାରୀ ମଲ୍ଲିକ, ବାଲେଶ୍ୱର ବନ ବିଭାଗର ଏସିଏଫ ଦିଗନ୍ତ ଶୋଭନ ଚାନ୍ଦ ଓ ପରିବହନ ବିଭାଗର ଅଧିକାରୀଙ୍କ ସମେତ ସୋର ପୁଲିସ ସାମିଲ ଥିଲେ ।