ପଦ୍ମଚରଣ ସାମନ୍ତସିଂହାର ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ଫାଇନାଲରେ ଗଣ୍ଡରପୁର
ନିମାପଡ଼ା: ନିମାପଡ଼ା ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ୧୦ମ ପଦ୍ମଚରଣ ସାମନ୍ତସିଂହାର ସ୍ମାରକୀ ରାଜ୍ୟସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସ ଆୟୋଜିତ ହୋଇଛି । ପ୍ରଥମ ସେମିଫାଇନାଲ ମ୍ୟାଚ୍ ଗଣ୍ଡରପୁର ୟୁନାଇଟେଡ଼ ଏଫ୍ସି ସହିତ କଟକର କେବିଏଫସି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମାର୍ଦ୍ଧରେ କେହି କାହାରିକୁ ଗୋଲ ଦେଇପାରି ନଥିବା ବେଳେ ଦ୍ୱୀତିୟାର୍ଦ୍ଧର ୧୪ ମିନିଟରେ ପେନାଲ୍ଟି ଷ୍ଟ୍ରୋକ୍ ଜରିଆରେ ୮ନମ୍ବର ଖେଳାଳି ଚନ୍ଦନ ନାୟକ ପ୍ରଥମ ଗୋଲ ଦେଇ ୧-୦ରେ ଅଗ୍ରଣୀ ହୋଇଥିଲେ । ପରେ ୧୪ ମିନିଟରେ ବାରେଲ ଟୁଡୁ ଦ୍ୱୀତୀୟ ଗୋଲ ଦେଇ ୨-୦ରେ ଅଗ୍ରଣୀ ହୋଇଥିଲେ । ୨୩ମିନିଟରେ ଗଣ୍ଡରପୁରର ୬ନମ୍ବର ଖେଳାଳି ସାଗର ରାଉତ ତୃତୀୟ ଗୋଲ ଦେଇଥିବା ବେଳେ ଗଣ୍ଡରପୁର ୩-୦ଗୋଲରେ ବିଜୟୀ ହୋଇଥିଲା । ଗଣ୍ଡରପୁରର ସୁଶୀଲ ପଢିଆରୀଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଥିବା ବେଳେ ଦୈତାରି କରୁଆ ମ୍ୟାଚ ପରିଚାଳନା କରିଥିଲେ । ଅତିଥି ଭାବେ ମେଜର ଅମରେଶ ନନ୍ଦନ ସାହୁ, ବିଶ୍ୱଜିତ ମଲ୍ଲିକ, ଆଥଲେଟିକ ଆସୋସିଏସନ୍ ସାଧାରଣ ସମ୍ପାଦକ ଜୀବନାନନ୍ଦ ମହାପାତ୍ର ଓ ଉପସଭାପତି ଦୋଳଗୋବିନ୍ଦ ସେଠୀ ପ୍ରମୁଖ ଯୋଗ ଦେଇଥିଲେ ।