ନିରାପଦ ମାତୃତ୍ୱ ଓ ଆଧୁନିକ ଜୀବନଶୈଳୀ

ସଂପ୍ରତି ବିଭିନ୍ନ ପରିପାଶ୍ୱିର୍କ, ସାମାଜିକ, ଚିକିତ୍ସାଗତ କାରଣ ପାଇଁ ମହିଳାଙ୍କ ପ୍ରଜନନ କ୍ଷମତା ଗୁରୁତର ଭାବରେ ପ୍ରଭାବିତ ହେଉଛି । ପ୍ରଥମ କଥା ହେଉଛି ଶରୀରର ଓଜନ ଆବଶ୍ୟକତା ଠାରୁ କମ୍ ହୋଇଥିଲେ ଯାହାର ଅର୍ଥ ହେଉଛି ଅଧିକ ପତଳା ମହିଳାଙ୍କର ସନ୍ତାନ ଜନ୍ମ ବା ପ୍ରଜନନ କ୍ଷମତା ସ୍ୱାଭାବିକ ଭାବେ କମ୍ ରହିଥାଏ । ଭୋକ ଓ ଦୁର୍ବଳତାକୁ ନିୟନ୍ତ୍ରଣରେ ରଖିବାରେ ସହାୟକ ହେଉଥିବା ହର୍ମୋନ୍ ଏହା ପାଇଁ ଦାୟୀ । ଏହି ହର୍ମୋନରୁ ବହୁ କମ୍ ମାତ୍ରା ଋତୁସ୍ରାବ ପାଇଁ କାର୍ଯ୍ୟ କରିଥାଏ । ଏହା ମଧ୍ୟ ପ୍ରଜନନ କ୍ଷମତା କମ୍ ହେବାର ମୁଖ୍ୟ କାରଣ । ଅତ୍ୟଧିକ ପତଳା ମହିଳାମାନେ ଗର୍ଭଧାରଣ କରିପାରନ୍ତି ନାହିଁ । ତେଣୁ ଏମାନେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ସହ ବ୍ୟାୟାମ କରିବା ଦରକାର । ସେହିପରି ସାଧାରଣରେ ମହିଳାମାନେ ବ୍ୟବହାର କରୁଥିବା ଗର୍ଭନିରୋଧକ ଟିକା ବି ଏ କ୍ଷେତ୍ରରେ ଗୁରୁତର ପ୍ରଭାବ ରଖିଥାଏ । ଯଦି ଗର୍ଭନିରୋଧକ ବଟିକା ଖାଉଥାନ୍ତି କିମ୍ବା ଗର୍ଭନିରୋଧକ ଇଞ୍ଜକ୍ସନ ନେଉଥାନ୍ତି, ତାହେଲେ ଏହା ମଧ୍ୟ ପ୍ରଜନନ କ୍ଷମତାକୁ ହ୍ରାସ କରିବାରେ ସହାୟକ ହୋଇଥାଏ । ଏହି ପ୍ରଣାଳୀକୁ ଯଦି ଲଗାତର କରୁଥାନ୍ତି, ତାହାଲେ ମା'ହେବାର ଦକ୍ଷତା ମହିଳାମାନେ ହରାଇ ବସିପାରନ୍ତି । ଆଉ ଗୋଟିଏ କାରଣ ହେଉଛି ମୋଟା ହେବା ବା ଶାରୀରିକ କ୍ଷେତ୍ରରେ ମେଦବହୁଳତା । କାରଣ ଆଜିକାଲି ଫାଷ୍ଟଫୁଡ଼୍, ପ୍ରଚୁର ପ୍ରୋଟିନ୍ୟୁକ୍ତ ଖାଦ୍ୟ ଓ କେତେକ କ୍ଷେତ୍ରରେ ଶାରୀରିକ କାରଣରୁ ମହିଳାମାନେ ମୋଟା ହୋଇଯାଉଛନ୍ତି । ଆଜିକାଲି ମହିଳାମାନେ ଅତ୍ୟଧିକ ମୋଟା ହୋଇଯାଉଛନ୍ତି । ମେଦ ବୃଦ୍ଧି ଯୋଗୁଁ ହର୍ମୋନ ନିର୍ଗତ ହେବାରେ ବାଧା ସୃଷ୍ଟି ହୁଏ । ବିଶେଷ କରି ଗର୍ଭଧାରଣରେ ଏହା ସମସ୍ୟା ସୃଷ୍ଟି କରେ । ଅଧିକ ମୋଟା ହୋଇଯାଉଥିବା ମହିଳାଙ୍କ ଗର୍ଭାଶୟ ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରେ ନାହିଁ । ଏଥିପାଇଁ ମୋଟି ମହିଳାଙ୍କ ଠାରେ ମା' ନହେବାର ସମସ୍ୟା ଦେଖାଯାଏ । ସେହିପରି ବୟସ ମଧ୍ୟ ପ୍ରଜନନ କ୍ଷମତାକୁ ଗୁରୁତର ଭାବରେ ପ୍ରଭାବିତ କରିଥାଏ ବିଶେଷକରି ବୟସ୍କ ମହିଳାମାନେ ଅର୍ଥାତ୍ ୩୫ବର୍ଷରୁ ଅଧିକ ବୟସର ମହିଳାମାନଙ୍କର ଶାରୀରିକ ଦୃଷ୍ଟିକୋଣରୁ ପ୍ରଜନନ କ୍ଷମତା କମି ଯାଇଥାଏ ।  ସାଧାରଣତଃ ବୟସ ଅଧିକ ହେଲେ ମହିଳାମାନଙ୍କର ପ୍ରଜନନ କ୍ଷମତା ହ୍ରାସ ପାଏ । କମ୍ ବୟସ ମହିଳାଙ୍କ ଋତୁସ୍ରାବରେ ଅନିୟମିତତା ଦେଖାଗଲେ ମଧ୍ୟ ସେମାନଙ୍କର ପ୍ରଜନନ କ୍ଷମତା ହ୍ରାସ ପାଏ । ସାଧାରଣତଃ ୩୫ ବର୍ଷ ବୟସରୁ ମା' ହେବାର ସମସ୍ୟା ଦେଖାଯାଏ । କାରଣ ଏଭଳି ସମସ୍ୟା ଦେଖାଦେଲେ ଡିମ୍ବାଣୁ ସଂଖ୍ୟା ହ୍ରାସ ପାଏ । ଏହାଦ୍ୱାରା ପ୍ରଜନନ କ୍ଷମତା କମିଯାଏ । ଅଧିକାଂଶ ମହିଳା ହୁଏତ ଜାଣିନଥାନ୍ତି ଯେ ସାଧାରଣରେ ମାମୁଲି ଲାଗୁଥିବା ଥାଇରଏଡ଼ର ପ୍ରଭାବରେ କେତେକ କ୍ଷେତ୍ରରେ ମହିଳାମାନେ ନିଜର ସନ୍ତାନ ଜନ୍ମ କରିବାର ବା ପ୍ରଜନନ କ୍ଷମତାରେ ସମସ୍ୟାକୁ ସାମ୍ନା କରିଥାନ୍ତି । ଥାଇରଏଡ଼ ହର୍ମୋନ୍ରେ ପରିବର୍ତ୍ତନ ଦେଖାଦେଲେ ଏହା ଗର୍ଭଧାରଣରେ ସମସ୍ୟା ସୃଷ୍ଟି କରେ । କେତେକ ମହିଳାଙ୍କ ଠାରେ ଦେଖାଯାଏ ଥାଇରଏଡ଼୍ ସମସ୍ୟା ଯୋଗୁଁ ସେମାନେ ଗର୍ଭ ଧାରଣ କରିପାରନ୍ତି ନାହିଁ । ଡାକ୍ତରଙ୍କ ପରାମର୍ଶ କ୍ରମେ ଏହାକୁ ନିୟନ୍ତ୍ରଣରେ ରଖିବା ପରେ ଗର୍ଭ ଧାରଣ କରିଥାନ୍ତି । 
ସେହିପରି ଯୌନ ସମ୍ପର୍କ ମଧ୍ୟ ପ୍ରଜନନ କ୍ଷମତାକୁ ହ୍ରାସ କରିବାରେ ଏକ ସ୍ୱାସ୍ଥ୍ୟଗତ କାରଣ ଭାବେ ଦେଖାଯାଇଥାଏ । ଯୌନ ସମ୍ପର୍କ ସମୟରେ ଯୌନାଙ୍ଗ ଯଦି ସଂକ୍ରମଣ ହୋଇ ଏଥିରେ ପ୍ରମେହ ରୋଗ ହୋଇଥିଲେ ପ୍ରଜନନ କ୍ଷମତା ହ୍ରାସ ପାଏ । ଫଳରେ ଦମ୍ପତି ସହଜରେ ପିତାମାତା ହୋଇପାରନ୍ତି ନାହିଁ । ଆଜିକାଲି ଫିଟ୍ଫାଟ୍ ରହିବା ସହ ସୁନ୍ଦର ଓ ସତେଜତା ପାଇଁ କେବଳ ମହିଳାମାନେ ନୁହେଁ ଯୁବତୀମାନେ ନାନା ପ୍ରକାର ଟିପ୍ସ ଗ୍ରହଣ କରିବା ସହ ନିଜେ ନିଜେ ଡାକ୍ତର ବନିଯାଇ ବିଭିନ୍ନ ପ୍ରକାର ବ୍ୟାୟାମ ଚାଲୁ ରଖନ୍ତି । ଏ କ୍ଷେତ୍ରରେ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞଙ୍କ ମତ ବା ପରାମର୍ଶ ନନେଇ ଟିଭି ଚ୍ୟାନେଲରେ ପ୍ରସାରିତ ବିଭିନ୍ନ ପ୍ରକାର ବ୍ୟାୟାମ ଦେଖି ନିଜେ ଫିଟ୍ ରହିବାକୁ ଚେଷ୍ଟା କରିଥାନ୍ତି । ତେବେ କଥା ହେଉଛି ସ୍ଲିମ୍ ଓ ଶକ୍ତିଶାଳୀ ହେବାରେ ବ୍ୟାୟାମ ସହାୟକ ହୁଏ । ହେଲେ ମହିଳାମାନେ ସ୍ଲିମ୍ ହେବା ଲକ୍ଷ୍ୟରେ ଆବଶ୍ୟକତା ଠାରୁ ଅଧିକ ବ୍ୟାୟାମ କରନ୍ତି । ଏହା ଗର୍ଭାଶୟ ଉପରେ ପ୍ରଭାବ ପକାଏ । ଫଳରେ ପ୍ରଜନନ କ୍ଷମତା ହ୍ରାସ ପାଏ । ଆଜିକାଲି ସ୍ତ୍ରୀ ଲୋକମାନେ ମୋଟା ହୋଇ ଯାଉଛନ୍ତି । ସ୍ଲିମ୍ ହେବା ପାଇଁ ଯେଉଁ ମହିଳାମାନେ ସପ୍ତାହକୁ ୫ ଘଣ୍ଟାରୁ ଅଧିକ ବ୍ୟାୟାମ କରନ୍ତି ସେମାନଙ୍କ ପ୍ରଜନନ କ୍ଷମତା ହ୍ରାସ ପାଏ । ସେମାନେ ମା' ହେବା ମଧ୍ୟ କଷ୍ଟସାଧ୍ୟ ହୋଇଥାଏ । ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବ ବା ହାଇସୋସାଇଟିରେ ଷ୍ଟାଟସ୍ ଦେଖାଇବା ହେଉ ବା ନିଜର ଅଭ୍ୟାସ । କେତେକ ମହିଳାମାନେ ମଦ୍ୟପାନ ବା ପ୍ରଚୁର ଧୂମପାନ, କେହି କେହି ବିିଭିନ୍ନ ପ୍ରକାର ନିଶା ସେବନରେ ଅଭ୍ୟସ୍ତ ହୋଇଯାଇଥାନ୍ତି । କେତେକ କ୍ଷେତ୍ରରେ ଦେଖାଯାଏ ମହିଳାମାନେ ନିୟମିତ ଭାବରେ ପ୍ରତିଦିନ ନିଶାସେବନ କରିଥାନ୍ତି କିନ୍ତୁ ଏହା ସେମାନଙ୍କ ପ୍ରଜନନ କ୍ଷମତା ପାଇଁ ଘାତକ ସାବ୍ୟସ୍ତ ହୋଇଥାଏ । କେବଳ ସେତିକି ନୁହେଁ ଖୁବ୍ କମ୍ ଦିନରେ ସେମାନେ ପ୍ରଜନନ  କ୍ଷମତା ହରାଇଥାନ୍ତି । ମଦ୍ୟପାନ ଯୋଗୁଁ ମଧ୍ୟ ମହିଳାଙ୍କ ପ୍ରଜନନ କ୍ଷମତା ହ୍ରାସ ହୋଇଥାଏ । ମଦ୍ୟପାନ କରୁଥିବା ମହିଳାଙ୍କ ହର୍ମୋନ୍ରେ ସନ୍ତୁଳନ ରହେନାହିଁ । ଏହା ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଏ । ପ୍ରାୟ ୭ ହଜାର ମହିଳାଙ୍କୁ ନେଇ ଏହି ଗବେଷଣା କରାଯାଇଥିଲା । ଦେଖାଯାଇଥିଲା ଯେ ଯେଉଁମାନେ ଅଧିକ ପରିମାଣରେ ମଦ୍ୟପାନ କରୁଥିଲେ ସେମାନଙ୍କ ପ୍ରଜନନ କ୍ଷମତା ହ୍ରାସ ପାଇଥିଲା । ଗର୍ଭଧାରଣ ପାଇଁ ଯୋଜନା କରୁଥିଲେ ମଦ୍ୟପାନ ଛାଡ଼ିଦିଅନ୍ତୁ । ମଦ୍ୟପାନ ଯୋଗୁଁ ମଧ୍ୟ ସମୟ ପୂର୍ବ ପ୍ରସବ ହୋଇଥାଏ । ଯାହାକି ମା' ଓ ଛୁଅାଁ ପାଇଁ ବିପଦ । କଥାରେ ଅଛି ଲୁଣ ଖାଏ ହାଣ୍ଡି ଚିନ୍ତା ଖାଏ ଗଣ୍ଡି ତେବେ ମହିଳାଙ୍କ କ୍ଷେତ୍ରରେ ଚିନ୍ତା କେବଳ ଗଣ୍ଡିକୁ କ୍ଷତି ପହଞ୍ଚାଇ ନଥାଏ ବରଂ ଏହି ଚିନ୍ତା ସେମାନଙ୍କ ପ୍ରଜନନ କ୍ଷମତାକୁ ପ୍ରଭାବିତ କରିଥାଏ । ଏ କ୍ଷେତ୍ରରେ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନିହାତି ଜରୁରି । ପ୍ରଜନନ କ୍ଷମତା ହ୍ରାସ କରିବାରେ ଚିନ୍ତା ଅନ୍ୟତମ ମୁଖ୍ୟ କାରଣ । ଯେଉଁ ମହିଳାମାନେ ସର୍ବଦା ଚିନ୍ତାଗ୍ରସ୍ତ ରହିଥାନ୍ତି, ସେମାନେ ଚାହିଁଲେ ବି ଗର୍ଭଧାରଣ କରିପାରନ୍ତି ନାହିଁ । କାରଣ ସେମାନଙ୍କର ପ୍ରଜନନ କ୍ଷମତା ବହୁତ କମକ୍ । ଚିନ୍ତା ପ୍ରଜନନ ହର୍ମୋନର ସ୍ତରକୁ ବହୁତ କମେଇ ଦେଇଥାଏ । ତେଣୁ ଚିନ୍ତା ଦୂର କରିବା ପରେ ହିଁ ଜଣେ ମା' ହେବାର ଦକ୍ଷତା ଫେରି ପାଇଥାଏ । ସେହିପରି ଧୂମପାନ ପ୍ରଜନନ କ୍ଷମତାକୁ ହ୍ରାସ କରିବାରେ ପ୍ରମୁଖ ଭୂମିକା ନିଭାଇଥାଏ । ଆମେରିକାର ଏକ ସର୍ଭେରୁ ଜଣାପଡ଼ିଛି ପ୍ରାୟ ୧୩ ପ୍ରତିଶତ ମହିଳାଙ୍କ ଧୂମପାନ ଯୋଗୁଁ ପ୍ରଜନନ କ୍ଷମତା ହ୍ରାସ ପାଇଛି । ଧୂମପାନ କରୁଥିବା ମହିଳାଙ୍କ ସନ୍ତାନର ମଧ୍ୟ ପ୍ରଜନନ କ୍ଷମତା ହ୍ରାସ ପାଏ । ସିଗାରେଟରେ ଥିବା କେମିକାଲ ହର୍ମୋନକୁ ଅସନ୍ତୁଳନ କରିବା ସହ ଡିଏନ୍ଏ ଉପରେ ପ୍ରଭାବ ପକାଏ । ଉଭୟ ମହିଳା ଓ ପୁରୁଷ ଏଥିରେ ପ୍ରଭାବିତ ହୋଇଥାନ୍ତି । ତେବେ ପ୍ରଜନନ କ୍ଷମତା ହ୍ରାସ ହେବା ପୂର୍ବରୁ ମହିଳାମାନେ ନିଶ୍ଚିନ୍ତ ଭାବରେ ଏହାକୁ ଜାଣି ପାରିବେ । ଏ କ୍ଷେତ୍ରରେ ତୁରନ୍ତ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନିହାତି ଜରୁରି । 
ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ
 ମୋ: ୯୮୬୧୪୬୩୪୦୬