ପରିଷ୍କାର ହେଲା ଥାନା ପରିସର

ବିଭିନ୍ନ ସମୟରେ ଥାନାର ପରିସରକୁ ପରିଷ୍କାର ରଖିବା ପାଇଁ ଏବଂ ଥାନା ପରିସରର ସୌନ୍ଦର୍ଯ୍ୟକରଣ ପାଇଁ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ନେଉଛନ୍ତି । ଏ ଦିଗରେ ବିପୁଳ ଅର୍ଥ ବ୍ୟୟ ମଧ୍ୟ ହେଉଛି । ଏସବୁ ସତ୍ତ୍ୱେ ବିଭିନ୍ନ ସମୟରେ ବିଭିନ୍ନ ଅପରାଧ ଏବଂ ଦୁର୍ଘଟଣାରେ ସଂପୃକ୍ତ ଥିବା ଗାଡ଼ି ଗୁଡ଼ିକୁ ଜବତ୍ କରାଯାଇ ଥାନା ପରିସର ଭିତରେ ରଖାଯାଉଥିବାରୁ ଥାନା ଗୁଡ଼ିକର ପରିସରକୁ ଯେତେ ପରିଷ୍କାର କରିଲେ ମଧ୍ୟ ଏହା ଅପରିଷ୍କାର ହୋଇ ରହୁଛି । କେବଳ ସେତିକି ନୁହେଁ, ଥାନା ପରିସର କେତେକ କ୍ଷେତ୍ରରେ ଜବତ୍ ଗାଡ଼ିରେ ପରିପୂର୍ଣ୍ଣ ହୋଇ ଯାଉଥିବାରୁ କ୍ରେନ୍ ସାହାଯ୍ୟରେ ଗାଡ଼ି ଗୁଡ଼ିକର ଉପରେ ଗାଡ଼ି ଲଦା ଯାଉଛି । ଏଭଳି ଦୃଶ୍ୟ ସବୁ ବିଭିନ୍ନ ସମୟରେ ଥାନା ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛି । ଏଭଳି ଅସୁବିଧା ସବୁକୁ ଦୃଷ୍ଟିରେ ରଖି ଭବୁନେଶ୍ୱର ସହରାଞ୍ଚଳ ପୁଲିସ୍ ଜିଲ୍ଲା ଭିତରେ ଥିବା ବିଭିନ୍ନ ଥାନା ଗୁଡ଼ିକରେ ପଡ଼ି ରହିଥିବା ୬୯୩ଟି ଦାବିଦାର୍ ବିହୀନ ଗାଡ଼ିର ନିଲାମ କରିଛି । ଏହି ଗାଡ଼ି ଗୁଡ଼ିକ ଦୀର୍ଘ ଦିନ ଧରି ଥାନା ପରିସରରେ ପଡ଼ି ରହିଥିଲା ଏବଂ ଏହିସବୁ ଗାଡ଼ିରେ ବିଭିନ୍ନ ପ୍ରକାରର ବିଷାକ୍ତ ଜୀବଜନ୍ତୁ ବସବାସ କରି ଥାନାର ପରିସରକୁ ବିପଦସଙ୍କୁଳ କରି ଦେଉଥିଲେ । ଏହି ସବୁ ଗାଡ଼ି ଗୁଡ଼ିକ ମଧ୍ୟରେ ୬୬୬ଟି ଦୁଇଚକିଆ ଯାନ, ୯ଟି ତିନିଚକିଆ ଯାନ ଏବଂ ୧୮ଟି ଚାରି ଚକିଆ ଯାନ ରହିଛି । ଏହି ସମସ୍ତ ଯାନ ଗୁଡ଼ିକୁ ଥାନା ପରିସରରୁ ତୁରନ୍ତ ହଟେଇ ନେବା ପାଇଁ ପଦକ୍ଷେପ ନିଆଯାଉଛି । ବର୍ତ୍ତମାନ ଏହି ପଦକ୍ଷେପ ଭୁବନେଶ୍ୱର ସହରାଞ୍ଚଳ ପୁଲିସ୍ ଜିଲ୍ଲା ଭିତରେ ନିଆଯାଇଥିବା ବେଳେ ସମଗ୍ର ରାଜ୍ୟର ସବୁ ଥାନାରେ ଏ ପ୍ରକାରର ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି । ଥାନା ଗୁଡ଼ିକ ଗ୍ୟାରେଜ୍ରେ ପରିଣତ ହୋଇ ଯାଉଥିବାରୁ ଏସବୁକୁ ତୁରନ୍ତ ପରିଷ୍କାର କରାଯିବାର ଆବଶ୍ୟକତା ରହିଛି । କେବଳ ଦାବିଦାରବିହୀନ ଗାଡ଼ି ନୁହେଁ, ବରଂ ଗାଡ଼ି ନ ମୁକୁଳିବା ଭଳି ବିଭିନ୍ନ ଅପରାଧରେ ଜବତ୍ ହୋଇଥିବା ଗାଡ଼ି ଗୁଡ଼ିକୁ ମଧ୍ୟ ଦାବିଦାରବିହୀନ ତାଲିକାଭୁକ୍ତ କରି ସେଗୁଡ଼ିକର ନିଲାମୀ କରାଯିବା ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବା ଉଚିତ୍ । ଆହୁରି ମଧ୍ୟ ଏ ପ୍ରକାରର ବ୍ୟବସ୍ଥା କେବଳ ପୁଲିସ୍ ଥାନା ପାଇଁ ସୀମିତ ନକରି ଜଙ୍ଗଲ ବିଭାଗ ଥାନା ଏବଂ ଅନ୍ୟାନ୍ୟ ନିରାପତ୍ତା ବ୍ୟବସ୍ଥାରେ ସଂପୃକ୍ତ ଥିବା ଥାନା ଗୁଡ଼ିକରେ ପଡ଼ି ରହୁଥିବା ଗାଡ଼ି ଗୁଡ଼ିକୁ ତୁରନ୍ତ ସ୍ଥାୟୀ ଭାବରେ ହଟେଇବା କାର୍ଯ୍ୟ କରାଯିବା ଉଚିତ୍ । ଏହିସବୁ ପରିତ୍ୟକ୍ତ ଗାଡ଼ି ଗୁଡ଼ିକ କେବଳ ଥାନା ପାଇଁ ବିପଦ ସୃଷ୍ଟି କରୁନାହିଁ, ଥାନା ଅଞ୍ଚଳ ଏବଂ ଏହା ଆଖପାଖ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ମଧ୍ୟ ବିପଦ ସୃଷ୍ଟି କରୁଛି । ପରିବେଶର ସୁରକ୍ଷା ଦୃଷ୍ଟିରୁ ଏ ପ୍ରକାରର କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ କରାଯାଇ ସରକାରୀ ରାଜକୋଷକୁ ମଧ୍ୟ ସମୃଦ୍ଧ କରିବାର ରାସ୍ତାକୁ ଉନ୍ମୁକ୍ତ କରାଯାଉ । କାରଣ ଏହିସବୁ ଅବ୍ୟବହୃତ ଗାଡ଼ି ଗୁଡ଼ିକ ଥାନାର ଅଧିକାଂଶ ସ୍ଥାନକୁ ମାଡ଼ି ବସୁଥିବା ବେଳେ ଏସବୁରୁ ଟଙ୍କାଟିଏ ବି ରାଜସ୍ୱ ମିଳୁନାହିଁ । ଏ ଗୁଡ଼ିକୁ ନିଲାମ୍ କରାଯାଇ ଥାନା ପରିସରକୁ ପରିଷ୍କାର କରାଗଲେ ସରକାରଙ୍କ ରାଜକୋଷକୁ କିଛି ପରିମାଣରେ ଅର୍ଥ ମଧ୍ୟ ଆସିପାରିବ । ସମଗ୍ର ରାଜ୍ୟରେ ଥାନା ଗୁଡିକରେ ବିପୁଳ ପରିମାଣର ଜବତ୍ ଗାଡି ଅଳିଆଗଦା ଭାବରେ ପଡ଼ି ରହିଥିବାରୁ ଏସବୁକୁ ପରିଷ୍କାର କରିଲେ ଏକ ମୋଟା ଅଙ୍କର ରାଜସ୍ୱ ମଧ୍ୟ ସରକାର ପାଇ ପାରିବେ । ଆହୁରି ମଧ୍ୟ ଥାନା ଗୁଡ଼ିକର ଅଧିକାରୀମାନେ ଏ ପ୍ରକାରର ଗାଡ଼ି ଗୁଡ଼ିକର ଦାୟରୁ ମୁକ୍ତ ହୋଇ ପାରିବେ । ବର୍ତ୍ତମାନ ଥାନା ପରିସରକୁ ପରିଷ୍କାର କରାଯିବାର ଏହି ଯେଉଁ ଉଦ୍ୟମ ଆରମ୍ଭ ହୋଇଛି ତାହା ବହୁ ପୂର୍ବରୁ ହେବାର ଥିଲା । ଅନ୍ତତଃପକ୍ଷେ ଏଥିରୁ ମିଳୁଥିବା ଅର୍ଥରେ ଥାନା ଗୁଡ଼ିକର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ୟ କରାଯାଇପାରିବ ।