ରବିବାର ବନ୍ଦ ପ୍ରାଣୀ ସହାୟକ କେନ୍ଦ୍ର : ପଶୁ ସମ୍ପଦ ହନ୍ତସନ୍ତ 

ବ୍ରହ୍ମବରଦା : ରାଜ୍ୟ ସରକାର ପଶୁ ସମ୍ପଦର ସୁରକ୍ଷା ନିମନ୍ତେ ଗ୍ରାମାଞ୍ଚଳ ସ୍ତରରେ ପ୍ରାଣୀ ସହାୟକ କେନ୍ଦ୍ରମାନ ପ୍ରତିଷ୍ଠା କରିଛନ୍ତି  । ଏଥି ସହିତ ଅସୁସ୍ଥ ଓ ଗୁରୁତର ଗାଈଗୋରୁ,ପଶୁପକ୍ଷୀ ଆଦି ପ୍ରାଣୀମାନଙ୍କର ଘରେ ଘରେ ଚିକିତ୍ସା ନିମନ୍ତେ ପ୍ରାଣୀଧନ ନିରୀକ୍ଷକମାନଙ୍କୁ ନିଯୁକ୍ତି କରି ଚିକିତ୍ସା ଯୋଗାଇ ଦେଉଛନ୍ତି । କିନ୍ତୁ ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ପଞ୍ଚାୟତ ବେଲଗୁଡି ଗ୍ରାମ ନିକଟରେ ଅବସ୍ଥିତ ପ୍ରାଣୀ ସହାୟକ କେନ୍ଦ୍ରରେ ବହୁ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି । ଏହା ନିୟମିତ ନିର୍ଘଣ୍ଟ ଅନୁଯାୟୀ ଖୋଲା ହେଉ ନଥିବା ବେଳେ ରବିବାର ବନ୍ଦ ରହୁଛି । ଫଳରେ ନିଯୁକ୍ତ ଥିବା ପ୍ରାଣୀଧନ ନିରୀକ୍ଷକଙ୍କ ଅନୁପସ୍ଥିତି ଯୋଗୁ ରବିବାର ଗୁରୁତର ହୋଇ ଚିକିତ୍ସା ପାଇଁ ଆସୁଥିବା ଗାଈ, ଗୋରୁ, ପଶୁ, ପକ୍ଷୀ ଆଦି ଚିକିତ୍ସା ନପାଇ ଯନ୍ତ୍ରଣା ଭୋଗୁଥିବା ବେଳେ କେତେକ ମୃତୁ୍ୟମୁଖରେ ମଧ୍ୟ ପଡ଼ୁଛନ୍ତି । ଏହା ସହିତ ଉକ୍ତ ଦିନରେ ଅନେକ ଦୁର୍ଘଟଣାଗ୍ରସ୍ତ ଗୃହପାଳିତ ପଶୁ ଓ ରୋଗାଗ୍ରସ୍ତ କୁକୁର, ବିଲେଇ, ପକ୍ଷୀ, ଗାଇଗୋରୁ ଆଦି ଚିକିତ୍ସା ନ ପାଇ ପ୍ରଭାବିତ ହେଉଛନ୍ତି  । ବିଶେଷ କରି ଅଞ୍ଚଳର ଲୋକେ ସେମାନଙ୍କ ଗାଈଗୋରୁଙ୍କ ଟୀକାକରଣ, ଡି-ୱାର୍ମିଙ୍ଗ ଓ ଗୋ-ବନ୍ଧ୍ୟା ନିରାକରଣ ସମ୍ବନ୍ଧୀୟ ସେବା ନ ପାଇ ହନ୍ତସନ୍ତ ହେଉଛନ୍ତି । କିନ୍ତୁ ସରକାରୀ ନିୟମ ମୁତାବକ ପ୍ରତି ରବିବାର ପ୍ରାଣୀ ସହାୟକ କେନ୍ଦ୍ର ଗୁଡିକ ଗୋଟିଏ ଓଳି ଖୋଲା ରହିବାର ବ୍ୟବସ୍ଥା ରହିଥିବା ବେଳେ ବ୍ରହ୍ମବରଦା ପଞ୍ଚାୟତରେ ଥିବା ପ୍ରାଣୀ ସହାୟକ କେନ୍ଦ୍ରଟି କୌଣସି ରବିବାର ଖୋଲୁନି କି ପଶୁ ଡାକ୍ତର ଆସୁନାହାନ୍ତି  । ଯାହାଦ୍ୱାରା ଲୋକେ ସେମାନଙ୍କ ଗୃହପାଳିତ ପଶୁମାନଙ୍କ ଚିକିତ୍ସା କରି ନପାରି ନାନା ହଇରାଣ ହରକତ ହେଉଛନ୍ତି  । ଏହି କେନ୍ଦ୍ର ଉପରେ ବ୍ରହ୍ମବରଦା, ବନ୍ଧଢିଅ, ମହେଶ୍ୱରପୁର, ମଙ୍ଗରାଜପୁର, ଅର୍ଥଙ୍ଗା ଆଦି ୫ ଗୋଟି ପଞ୍ଚାୟତର ଲୋକେ ସେମାନଙ୍କ ଗୃହପାଳିତ ପଶୁ ପକ୍ଷୀମାନଙ୍କ ଚିକିତ୍ସା ନିମନ୍ତେ ନିର୍ଭର କରୁଥିବା ବେଳେ ଏଠାରେ ଦେଖା ଯାଉଥିବା ଅନିୟମିତତା ଯୋଗୁ ବହୁ ପଶୁ ମୃତୁ୍ୟମୁଖରେ ପଡ଼ୁଛନ୍ତି । ତେଣୁ ଉକ୍ତ ପ୍ରାଣୀ ସହାୟକ କେନ୍ଦ୍ରଟି ପ୍ରତି ରବିବାର ଖୋଲା ରଖିବାକୁ ସାଧାରଣରେ ଦାବି ହୋଇଛି  ।