ପଲିଥିନ ତଳେ ୫ ଜୀବନ ସରକାରୀ ସହାୟତା ସାତସପନ
ାା ପ୍ରଭାନୁ୍ୟଜ୍ ।ା ବଡ଼ସାହି: ବଡ଼ସାହି ବ୍ଲକ ଅନ୍ତର୍ଗତ ଖାନୁଆ ପଞ୍ଚାୟତ ଖାନୁଆ ଗ୍ରାମ ଜାନସାହିର ବିଧବା ମହିଳା ସୋମବାରୀ ସିଂ ସରକାରୀ ସୁବିଧା ଓ ସରକାରୀ ଯୋଜନାରୁ ବଞ୍ଚିତ ହୋଇଥିବା ନଜରକୁ ଆସିଛି । ଘର ଅଭାବରୁ ଏକ ପଲିଥିନ ତଳେ ୫ ପ୍ରାଣୀ କୁଟୁମ୍ବକୁ ନେଇ ଜୀବନ ବିତାଉଛି । ପ୍ରଶାସନ କିମ୍ବା ପଞ୍ଚାୟତିରାଜ ବିଭାଗର କୌଣସି ନିର୍ବାଚିତ ପ୍ରତିନିଧିଙ୍କ ଶୁଭ ଦୃଷ୍ଟି ତାଙ୍କ ଉପରେ ପଡି ନଥିବା ବେଳେ ଏବେ ଗଣମାଧ୍ୟମର ପ୍ରତିନିଧି ଏହାକୁ ଲୋକଲୋଚନକୁ ଆଣିବାରେ ସକ୍ଷମ ହୋଇଛନ୍ତି । ସୋମବାରୀର ସ୍ୱାମୀ ଟୁକୁନ ସିଂଙ୍କ ଗତ କିଛି ବର୍ଷ ହେବ ପାଣିରେ ବୁଡି ମୃତୁ୍ୟ ଘଟିଥିଲା । ଏଥି ମଧ୍ୟରେ ପ୍ରାୟ୫ ବର୍ଷ ବିତିଯାଇଥିଲେ ସୁଦ୍ଧା ସେ ବିଧବା ଭତ୍ତା ପାଇ ପାରି ନାହାଁନ୍ତି । ଏପରିକି ତାର ୬୪ ବର୍ଷୀୟ ବୃଦ୍ଧ ଶଶୁରଙ୍କୁ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ମିଳି ନାହିଁ । ବିଧବା ମହିଳା ସୋମବାରୀର ୩ ନାବାଳକ ଝିଅ ସହିତ ୫ ଜଣ ଏହି ପଲିଥିନ ତଳେ ଜୀବନ ବିତାଉଛନ୍ତି ।
ସୂଚନା ଯେ, ସେମାନେ ଚଳି ନ ପାରିବାରୁ ତାର ୧୩ ବର୍ଷୀୟ ବଡ ଝିଅକୁ ପାଇଟି କରିବାକୁ ଜନୈକ ବାବୁ ଘରକୁ ସୁଦୂର ଦିଲ୍ଲୀକୁ ପଠାଇ ଦେଇଛନ୍ତି । ଅନ୍ୟ ୨ ଝିଅଙ୍କୁ ସମ୍ବଳ ଅଭାବରୁ ପାଠ ପଢ଼ାଇ ପାରୁ ନଥିବା ସେ କହୁଛି । ଖାନୁଆ ପଞ୍ଚାୟତ ବାରିପଦା ବିଧାନସଭା କ୍ଷେତ୍ର ଅନ୍ତର୍ଭୁକ୍ତ ହୋଇଥିବାରୁ ଏ ସମ୍ପର୍କରେ ବିଧାୟକ ପ୍ରକାଶ ସୋରେନ ଜାଣିବା ପରେ ବିଧାନସଭାରେ ସେ ଯୋଗ ଦେଇଥିବାରୁ ତାଙ୍କ ଦଳୀୟ କାର୍ଯ୍ୟକର୍ତ୍ତା ପ୍ରମୋଦ ସାହୁଙ୍କ ଜରିଆରେ ବଡ଼ସାହି ବିଡ଼ିଓଙ୍କୁ ଅବଗତ କରାଇ ଏହାର ତୁରନ୍ତ ସମାଧାନ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ବଡ଼ସାହି ବିଡ଼ିଓ ବନୋଜା ଦାସ ସଂଗେସଂଗେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାଧ୍ୟମରେ ତଦନ୍ତ କରାଇଥିଲେ । ଏଥିସହିତ ବିଧବା ସୋମବାରୀକୁ ପକ୍କା ଘର ସହ ବିଧବା ଭତ୍ତା ଓ ସମସ୍ତ ସରକାରୀ ସହାୟତା ଖୁବଶୀଘ୍ର ଯୋଗାଇ ଦେବାର ବିଡ଼ିଓ ପ୍ରତିଶ୍ରୁତି ଦେଇଛନ୍ତି । ହେଲେ ଏହି ପ୍ରତିଶ୍ରୁତି କେବେ କାର୍ଯ୍ୟକାରୀ ହେଉଛି ତାହା କେବଳ ଦେଖିବାକୁ ବାକି ରହିଲା ।