ଛଟେଇ ଶ୍ରମିକ ନିଯୁକ୍ତ ଦାବିରେ ଗଣବିକ୍ଷୋଭ

 କାଳିଆପାଣି : ଛଟେଇ ଶ୍ରମିକ ଓ ଖଣି କ୍ଷତିଗ୍ରସ୍ତଙ୍କୁ ସାରୁଆବିଲ ଓ କମର୍ଦା ଖଣିରେ ନିଯୁକ୍ତି ସହ ଅନ୍ୟାନ୍ୟ ଦାବିରେ ସୁକିନ୍ଦା ଉପତ୍ୟକା ଖଣି କ୍ଷତିଗ୍ରସ୍ତ ଗଣମଂଚ ପକ୍ଷରୁ ଗଣ ବିକ୍ଷୋଭ କରାଯାଇଛି । ଖଣି ଇଲାକାରେ ପାନୀୟ ଜଳ ଓ ସ୍ୱାସ୍ଥ୍ୟ ସେବାର ସୁବନେ୍ଦାବସ୍ତ କରିବା ଆଦି ଦାବିରେ ଗଣମଂଚ ପକ୍ଷରୁ ଖଣି ପ୍ରଭାବିତ ଯୁବକ ଯୁବତୀ ଓ ଛଟେଇ ଶ୍ରମିକ ଶୋଭାଯାତ୍ରାରେ ବାହାରି ଟାଟାଷ୍ଟିଲର କମର୍ଦା କାର୍ଯ୍ୟାଳୟ ସମ୍ମୁଖରେ ପହଁଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଗଣମଂଚର ଅନ୍ୟତମ ଆବାହକ ଶଙ୍କର ସିଧୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଏଆଇୟୁଟିୟୁସିର ରାଜ୍ୟ ସମ୍ପାଦକ ଜୟସେନ ମେହେର, ସଂଗଠନର ଆବାହକ ତଥା ଯାଜପୁର ଜିଲା ସମ୍ପାଦକ ସୁରେଶ ପ୍ରଧାନ କର୍ମକ୍ଷମ ଯୁବକ ଯୁବତୀ ମାନଙ୍କୁ ଟାଟା କମ୍ପାନୀ ନଯୁକ୍ତି କ୍ଷେତ୍ରରେ ଅଣଦେଖା କରୁଥିବାର ଅଭିଯୋଗ କରିଥିଲେ । ଖଣି ସଂଲଗ୍ନ ଗ୍ରାମ ଗୁଡିକ ବେକାର ବାହିନୀରେ ଭର୍ତୀ ହୋଇଥିବା ସ୍ଥଳେ ବାହାର ଅଂଚଳରୁ ଲୋକମାନଙ୍କୁ ଆମଦାନୀ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ନେତାମାନେ ଦର୍ଶାଇଥିଲେ । ପୂର୍ବରୁ ବର୍ଷବର୍ଷ ଧରି କାମ କରି ଆସୁଥିବା ଶ୍ରମିକ ମାନଙ୍କୁ କାମରେ ନନେବା ଭଳି ଅତ୍ୟନ୍ତ ଷଢଯନ୍ତ୍ର ପୂର୍ଣ୍ଣ ଘଟଣା କମ୍ପାନୀ ଘଟାଇ ଚାଲିଛି । ବିଷାକ୍ତ ପାଣି, ପବନ, ଭୁଗର୍ବସ୍ତ ଜଳ ସ୍ତର ନିମ୍ନଗାମୀ ହେବା କାରଣରୁ ଜଳ ସଂକଟ ବୃଦ୍ଧି ଓ ଖଣିରେ ବ୍ଲାଷ୍ଟିଙ୍ଗ ହୋଇ ସ୍ଥାନୀୟ ଅଂଚଳରେ ବାସ କରୁଥିବା ଘର ଗୁଡିକଭାଙ୍ଗିବା ଭଳି ସମସ୍ୟା ସ୍ଥାନୀୟ ଅଧିବାସୀ ଭୋଗୁଛନ୍ତି । ଏହାର ପ୍ରତିକାର କରି ପ୍ରଭାବିତ ମାନଙ୍କୁ ଅବିଳମ୍ବେ ନିଯୁକ୍ତି ଦିଆନଗଲେ ଆଗାମୀ ଦିନରେ ଆନେ୍ଦାଳନ କରାଯିବ ବୋଲି ନେତା ଚେତାବନୀ ଦେଇଥିଲେ ।