ମରଣଯନ୍ତା ପାଲଟିଛି ରାସ୍ତା
ଭୁବେନଶ୍ୱର: ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ପଞ୍ଚାୟତ ଗୁମିକିଆ ଓ ଅଲିମାହା ରାସ୍ତା ମରଣଯନ୍ତା ପାଲଟିଛି । ବୁଡ଼ାଗୁଡ଼ାଠାରୁ ଅଲିମାହା ଗ୍ରାମକୁ ପ୍ରାୟ ୭ କିଲୋମିଟର ରାସ୍ତା ଖାଲଖମା ହୋଇ ରହିଥିବାବେଳେ ଯାତାୟତରେ ଘୋର ସମସ୍ୟା ଦେଖାଯାଉଛି । ବିଶେଷକରି ଗର୍ଭବତୀ ମହିଳା ଓ ଅନ୍ୟ ରୋଗୀଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇବା କ୍ଷେତ୍ରରେ ବହୁତ ସମସ୍ୟା ଦେଖାଦେଉଥିବା ଅଭିଯୋଗ ହେଉଛି । ଦୀର୍ଘଦିନ ହେଲା ଏହି ରାସ୍ତା ମରାମତି କରାଯାଉନାହିଁ । ଏକ ଦଶନ୍ଧି ପୂର୍ବରୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଏହି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ କରାଯାଇଥିବା ବେଳେ ତାହାକୁ ଆଉ ତଦାରଖ କରାଯାଉନାହିଁ । ବୁଡ଼ାଗୁଡ଼ା ପଞ୍ଚାୟତ ସମେତ ଗୁମିକିଆ ପଞ୍ଚାୟତ ଓ ପଡୋଶୀ କୋଟଗଡ଼ ବ୍ଲକର କିଛି ଅଞ୍ଚଳର ହଜାର ହଜାର ଜନସାଧାରଣ ଏହି ରାସ୍ତା ଉପରେ ନିର୍ଭରଶୀଳ । ସେହିପରି ବିଦ୍ୟାଳୟ ଓ କଲେଜ ଛାତ୍ରୀଛାତ୍ରମାନଙ୍କର ଏହି ରାସ୍ତାରେ ଯାତାୟତ କରିବାରେ ସମସ୍ୟା ହେବା ସହ ବାରମ୍ବାର ଦୁର୍ଘଟଣା ଘଟୁଛି ବୋଲି ଗୁମିକିଆ ସରପଞ୍ଚ କହିଛନ୍ତି । ଅଞ୍ଚଳବାସୀ ବାରମ୍ବାର ଏନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ ସୁଦ୍ଧା କେହି ଗୁହାରି ଶୁଣୁ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।