ଗଣେଶ ବିସର୍ଜନ ବେଳେ ଅଘଟଣ: ପୋଖରୀରେ ବୁଡ଼ି ଅଷ୍ଟମ ଶ୍ରେଣୀ ଛାତ୍ର ମୃତ
ବୈତରଣୀ ରୋଡ଼: ଗଣେଶ ବିସର୍ଜନ ବେଳେ ଘଟିଛି ଅଘଟଣ । ପୋଖରିରେ ବୁଡ଼ି ଅଷ୍ଟମ ଶ୍ରେଣୀ ଛାତ୍ରର ମୃତୁ୍ୟ ଘଟିଛି । ଏଭଳି ଅଭାବନୀୟ ଘଟଣା କୋରେଇ ବ୍ଲକ ଅମୃତିଆ ପଞ୍ଚାୟତରେ ଘଟିଛି । ପଞ୍ଚାୟତ ପ୍ରହଲ୍ଲାଦ ଉଚ୍ଚ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ଗ୍ରାମର ବସନ୍ତ କୁମାର ସାହୁ ପୁଅ ସତ୍ୟ ପ୍ରକାଶ (ଚଗୁଲୁ)(୧୪)ର ଘଟିଛି ମୃତୁ୍ୟ । ମିଳିଥିବା ଖବର ମତେ ଚଗୁଲ ସହ ଅନ୍ୟ ଛାତ୍ରଛାତ୍ରୀ ସ୍କୁଲରେ ହୋଇଥିବା ଗଣେଶ ଠାକୁର ବିସର୍ଜନ କରିବାକୁ ଗାଁ ପୋଖରିକୁ ଯାଇଥିଲେ । ପୋଖରିରେ ମୂର୍ତି ବିସର୍ଜନ ବେଳେ ପିଲାମାନଙ୍କ କୋଳାହଳ ଶୁଭିଥିଲା । ଖବର ନେବାରେ ଛାତ୍ର ଚଗୁଲ ଅନୁପସ୍ଥିତ ଥିବା ଜଣାପଡ଼ିଥିଲା । ଗାଁ ଲୋକଙ୍କ ସହାୟତାରେ ପାଣିରୁ ଚଗୁଲକୁ ଉଦ୍ଧାର କରାଯାଇ ବୈତରଣୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ହେଲେ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ଦେବପ୍ରିୟ ଷଡ଼ଙ୍ଗୀ ପରିବାର ବର୍ଗଙ୍କ ଅବସ୍ଥାକୁ ନେଇ ଜିଲ୍ଲା ମେଡ଼ିକାଲକୁ ରେଫର୍ କରିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଛାତ୍ର ମୃତୁ୍ୟକୁ ନେଇ ଗ୍ରାମରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ବେଫିକର ନୀତିକୁ ନେଇ ଅସନ୍ତୋଷ ଦେଖାଦେଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଝରଣା ନାୟକଙ୍କ ଅନୁପସ୍ଥିତିରେ ସ୍କୁଲ୍ ପିଅନ ରମାକାନ୍ତ ବାରିକ୍ ତତ୍ୱାବଧାନରେ ମୂର୍ତି ବିସର୍ଜନ କରାଯାଉଥିଲା ଶୁଣିବାକୁ ମିଳିଛି । ଅଘଟଣକୁ ନେଇ ସରକାରଙ୍କ ନିଷ୍ପତି ସମ୍ପର୍କରେ ବିଦ୍ୟାଳୟ ଗୁଡିକରେ କେବଳ ପୂଜା ବ୍ୟବସ୍ଥା ଥିବାବେଳେ ଭସାଣି ବିଦ୍ୟାଳୟ କର୍ତୁପକ୍ଷଙ୍କ ବ୍ୟବସ୍ଥାରେ ହେବାକଥା । କିନ୍ତୁ ଏଠି ଖାମଖିଆଲି ମନୋଭାବ ଯୋଗୁ ଏକ ନିରୀହ ଛାତ୍ରର ଜୀବନ ଅକାଳରେ ଚାଲିଗଲା ବୋଲି କୁହାଯାଉଛି । ଛାତ୍ରମୃତୁ୍ୟ ଘଟଣା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।