ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଜେଜେ-ଜେଜେମା, ଅଜା-ଆଈ ଦିବସ ପାଳିତ
କେନ୍ଦ୍ରାପଡା: କେନ୍ଦ୍ରାପଡା ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଜେଜେ-ଜେଜେମା, ଅଜା-ଆଈ ଦିବସ ପାଳିତ ହୋଇ ଯାଇଛି । ପ୍ରାଥମିକ ବିଭାଗର ସମସ୍ତ ଛାତ୍ରଛାତ୍ରୀଙ୍କର ଜେଜେ, ଜେଜେମା ଏବଂ ଅଜା-ଆଈ ଏହି ଉସôବରେ ନିମନ୍ତ୍ରିତ ଅତିଥି ରୂପେ ଯୋଗ ଦେଇ ଦୀପ ପ୍ରଜ୍ଜ୍ୱଳନ କରିଥିଲେ । ବିଦ୍ୟାଳୟର ପ୍ରାଚାର୍ଯ୍ୟ ଶଶି କୌଶଲ ସମସ୍ତଙ୍କୁ ସ୍ୱାଗତ କରିଥିଲେ । କୁନି କୁନି ପିଲାମାନେ ଜେଜେ-ଜେଜେମାଙ୍କୁ ପୁଷ୍ପ, ତିଳକ ପ୍ରଦାନ ପୂର୍ବକ ପାଦ ସ୍ପର୍ଶକରି ଆଶୀର୍ବାଦ ଭିକ୍ଷା କରିଥିଲେ । ବିଭିନ୍ନ ନୃତ୍ୟ, ସଙ୍ଗୀତ ଓ ନାଟକ ଦ୍ୱାରା ସମସ୍ତଙ୍କର ମନୋରଞ୍ଜନ କରିଥିଲେ । ସମାଜରେ ବୟୋଜ୍ୟେଷ୍ଠ ଲୋକ ମାନଙ୍କର ଭୂମିକା ଏବଂ ଛାତ୍ରଛାତ୍ରୀ ମାନଙ୍କର ଚରିତ୍ର ଗଠନରେ, ନୈତିକତା ନିର୍ମାଣରେ, ସୃଜନଶୀଳତା ର ବିକାଶରେ ଜେଜେ-ଜେଜେମା କିପରି ମହତ୍ୱପୂର୍ଣ୍ଣ ଭୂମିକା ନେଇ ପାରିବେ ସେ ବିଷୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବରଞ୍ଜନ ସାହୁ ଉପସ୍ଥିତ ୨୫୦ରୁ ଉଦ୍ଧ୍ୱର୍ ଜେଜେ-ଜେଜେମାଙ୍କୁ ବୁଝାଇ ଥିଲେ । ସଂସ୍କାର ବିନା ଶିକ୍ଷା, ବିବେକହୀନ ବୁଦ୍ଧି ଏବଂ କୌଶଳ ନିରର୍ଥକ । ତେଣୁ ପୁରାତନ ସଂସ୍କୃତି ଓ ପରମ୍ପରାର ବାହକ ବୃଦ୍ଧ ଅଜା-ଆଈଙ୍କ ସମ୍ମାନରେ ସମାଜର ମୂଳଦୁଆ ମଜବୁତ୍ ହେବ ବୋଲି କହି ପ୍ରଧାନ ଶିକ୍ଷକ ଛାତ୍ରଛାତ୍ରୀ ଙ୍କୁ ବୃଦ୍ଧ ଲୋକ ମାନଙ୍କ ସମ୍ମାନ ଓ ଯତ୍ନ ନେବା ପାଇଁ ଶପଥ କରାଇଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।