ପୁଣି ଚାଲିଲା ବିରଜା ହାଟ
ଯାଜପୁର ଟାଉନ: ପ୍ରାୟ ଦେଢ଼ ବର୍ଷ ହେବ ବିରଜା ହାଟକୁ ନେଇ ଚାଲିଛି ବିବାଦ । ଆଜକୁ ପ୍ରାୟ ୩ଶହ ବର୍ଷ ହେବ ବିରଜା ମନ୍ଦିର ସନ୍ନିକଟରେ ବିରଜା ହାଟ ଚାଲି ଆସୁଥିଲା । ତେବେ ବିରଜା ମନ୍ଦିର ପ୍ରକଳ୍ପ ଆରମ୍ଭ ପୂର୍ବରୁ ଜିଲା ପ୍ରଶାସନ ଏହି ହାଟ ଜମିକୁ ଅଧିଗ୍ରହଣ କରି ପ୍ରକଳ୍ପ ମଧ୍ୟରେ ଅନ୍ତର୍ଭୁକ୍ତ କରିଥିଲା । ବିରଜା ହାଟକୁ ପ୍ରାୟ ୧କିଲୋମିଟର ଦୂର ସନ୍ଥମାଧବ ଠାରେ ନୂତନ ଭାବେ ଖୋଲାଯାଇଥିଲା । ତେବେ ଜିଲା ପ୍ରଶାସନର ଏପରି ନିଷ୍ପତି ବିରୁଦ୍ଧରେ ଦୀର୍ଘ ପ୍ରାୟ ଦେଢ଼ବର୍ଷ ଧରି ହାଟର ବ୍ୟବସାୟୀ ଓ ଖାଉଟିଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଯାଇଥିଲା । ଫଳସ୍ୱରୂପ ପ୍ରଶାସନର ଏପରି ନିଷ୍ପତି ବିରୁଦ୍ଧରେ ଅଗ୍ନେଶ୍ୱର ବିରଜା ହାଟ ବ୍ୟବସାୟୀଙ୍କ ପକ୍ଷରୁ ବିଭିନ୍ନ ସମୟରେ ଆନେ୍ଦାଳନ ଓ ବିକ୍ଷୋଭ କରାଯାଇ ମୁଖ୍ୟମନ୍ତ୍ରୀ ଓ ରାଜ୍ୟସରକାରଙ୍କ ପାଖରେ ଅଭିଯୋଗ କରିଥିଲେ । ଅପରପକ୍ଷରେ ବିରଜା ମନ୍ଦିର ପ୍ରକଳ୍ପ ପାଇଁ ଏହି ନିଷ୍ପତି ଯଥାର୍ଥ ଥିବାର ଦର୍ଶାଇ ଏକ ଗୋଷ୍ଠୀ ମଧ୍ୟ ଆନେ୍ଦାଳନ ଓ ବିକ୍ଷୋଭ କରିଆସୁଥିଲେ । ତେବେ ହାଟକୁ ନେଇ ପ୍ରାୟତଃ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଚାଲିଥିଲା । ତେବେ ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟାଇ ଗତ ୧୨ତାରିଖ ଜିଲାପାଳ ପି.ଅନ୍ୱେଷା ରେଡ୍ଡୀ ଏକ ବୈଠକ ଡାକଇ ଆଲୋଚନା କରିବା ପରେ ରବିବାର ଠାରୁ ପୁରୁଣା ସ୍ଥାନରେ ବିରଜା ହାଟ ଖୋଲିବା ପାଇଁ ଘୋଷଣା କରିଥିଲେ । ଏହି ଘୋଷଣା ପରେ ଆଜି ବିରଜା ମନ୍ଦିର ସନ୍ନିକଟରେ ପୂର୍ବ ସ୍ଥାନରେ ପୁନର୍ବାର ଖୋଲିଛି ।