ପୁନରୁଦ୍ଧାର ହେବ ଐତିହାସିକ ଲକ୍ଷ୍ମୀସାଗର ପୋଖରୀ

 ଗଡ଼ଜାତ ମାଟି ନୀଳଗିରିରେ ବହୁ ପୁରାତନ ଓ ଐତିହାସିକ କୀର୍ତ୍ତିରାଜି ରହିଥିବା ବେଳେ, ଲକ୍ଷ୍ମୀସାଗର ପୋଖରୀ ତନ୍ମଧ୍ୟରୁ ଅନ୍ୟତମ । ନୀଳଗିରି ବସଷ୍ଟାଣ୍ଡ ବାଇପାସ ନିକଟରେ ଅବସ୍ଥିତ ପୋଖରୀଟି ୫୨ବର୍ଷ ତଳେ ନିର୍ମିତ ହୋଇଥିଲା । ତେବେ ଏହି ସ୍ଥାନରେ ଏକ ସାପ୍ତାହିକ ହାଟ ବସୁଥିବା ବେଳେ କୌଣସି ପୁଷ୍କରିଣୀ ନ ଥିବାରୁ ହାଟକୁ ଆସୁଥିବା ଲୋକଙ୍କ ପାନୀୟଜଳ ସମସ୍ୟାକୁ ଦୂରୀଭୂତ କରିବାକୁ ବାଲିଗୋହିରୀ ଅଞ୍ଚଳର ଅଙ୍କୁର ଚରଣ ମହାପାତ୍ରଙ୍କ ର୍ପତ୍ନୀଙ୍କ ବଡ଼ଭଉଣୀ ଲକ୍ଷ୍ମୀଦେଇଙ୍କ ଦ୍ୱାରା ପ୍ରଦତ୍ତ ଜମିରେ ଏକ ପୋଖରୀ ଖନନ କରାଯାଇଥିଲା । ଏଥିସହିତ ସହରର ସୌନ୍ଦର୍ଯ୍ୟବର୍ଦ୍ଧନ କରିବା ସହିତ ଅଭାବୀ ଜଳସଙ୍କଟକୁ ଦୂରକରି କୃଷିକ୍ଷେତ୍ରକୁ ଜଳଯୋଗାଣ ପାଇଁ ଏହି ପୋଖରୀର ଅବଦାନ ଅତୁଳନୀୟ । ତେବେ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଏବଂ ସ୍ଥାନୀୟ ପ୍ରଶାସନର ଅପରିଣାମଦର୍ଶିତା ପାଇଁ ଉକ୍ତ ଐତିହାସିକ ପୋଖରୀକୁ ପୋତି ଏହାଉପରେ କେନାଲ ନିର୍ମାଣ କରାଯାଇଥିବା ବେଳେ, ନୀଳଗିରି ଅଞ୍ଚଳର ବହୁ ସ୍ୱାଭିମାନୀ ବ୍ୟକ୍ତି ଏବଂ କିଛି ରାଜନୈତିକ ଦଳ ଓ ସଂଗଠନ ଏହାକୁ ବିରୋଧ କରିଥିଲେ । ତୁରନ୍ତ ପୁନରୁଦ୍ଧାର ନ ହେଲେ ତୀବ୍ର ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ପ୍ରଶାସନ ଠାରେ ଅଭିଯୋଗ କରିଥିଲେ । ଏନେଇ ବାରମ୍ବାର ଆନେ୍ଦାଳନ ମଧ୍ୟ ହୋଇଥିଲା । ତେବେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ଅବଦାନରେ ସାଳନ୍ଦୀ କେନାଲ ନିର୍ମାଣ କାର୍ଯ୍ୟ କରାଯାଉଥିବା ବେଳେ ଉକ୍ତ ପୋଖରୀଟିକୁ ପୋତି ଡ୍ରେନଜ୍ କାମ ଚାଲୁରହିଛି । ବିରୋଧପରେ ସ୍ଥାନୀୟ ପ୍ରଶାସନ ତତ୍ପର ହୋଇଥିବା ପରିଲକ୍ଷିତ ହୋଇଥିଲା । ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁରୀ ବିକାଶଙ୍କ ନିଦେ୍ର୍ଦଶ, ତହସିଲଦାର ସୋନମ ଦାସଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସାଳନ୍ଦୀ କେନାଲ ଡିଭିଜନ ସୋରର ଏସଡିଓ ମଳୟ ଧାରୁଆ, ସହକାରୀଯନ୍ତ୍ରୀ ଭବାନୀଶଙ୍କର ପାଣିଗ୍ରାହି, ପୂର୍ତ୍ତବିଭାଗ ଯନ୍ତ୍ରୀ ଶ୍ରୀନିବାସ ଜେନା, ସହକାରୀଯନ୍ତ୍ରୀ ଲକ୍ଷ୍ମଣ ସିଂ, ସନ୍ତୋଷ ପଣ୍ଡା ଓ କନିଷ୍ଠ ଯନ୍ତ୍ରୀ ଜୟଦେବ ଦେ, ଏନ୍ଏସି ନିର୍ବାହୀ ଅଧିକାରୀ ହିମାଂଶୁ ଅଂଶୁମାନ ପରିଡ଼ା, ସିପିଏମ ଦଳର ଅଭିଯୋଗକାରୀ ବିଜୟ ପାତ୍ର, ଜ୍ୟୋତିର୍ମୟ ରାଉତ, ପୋଖରୀ ଲିଜ୍ ଧାରି ପ୍ରଫୁଲ୍ଲ ମହାନ୍ତି, ସାମ୍ୱାଦିକ ରବି ରାଉତ, ସମରେନ୍ଦ୍ର ବାରିକ, ଲୋକନାଥ ଦଳେଇ ଓ ଯୁବ ସମାଜସେବୀ ଜଗବନ୍ଧୁ ମୁନିଙ୍କ ଉପସ୍ଥିତିରେ ବିଶେଷ ଭାବେ ଆଲୋଚନା ହୋଇଥିଲା । ଶେଷରେ ତହସିଲଦାର ଶ୍ରୀମତୀ ଦାସ ପୂର୍ତ୍ତ ଓ ଗୃହନିର୍ମାଣ ବିଭାଗ ଓ ଡ୍ରେନେଜ ବିଭାଗକୁ ପୋଖରୀର ପୁନରୁଦ୍ଧାର ଓ ଏନ୍ଏସି ନିର୍ବାହୀ ଅଧିକାରୀଙ୍କୁ ସୌନ୍ଦର୍ଯ୍ୟକରଣ ପାଇଁ ଦାୟିତ୍ୱ ଦେଇଛନ୍ତି । ଯେତେଶୀଘ୍ର ବର୍ଷାଦିନ ପୂର୍ବରୁ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ କୁହାଯାଇଛି । ତେବେ ଏହି ନିଦେ୍ର୍ଦଶ କେତେ କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ ବାକି ରହିଛି ।