ଆଧୁନିକ ଜୀବନଶୈଳୀ ଓ ମଧୁମେହ 

ଆଧୁନିକ ଜୀବନଶୈଳୀ ଓ ମଧୁମେହ 

ଡ.ପ୍ରଫୁଲ୍ଲ କୁମାର ଦାସ : ଗତ ୧୦-୧୫ ବର୍ଷ ମଧ୍ୟରେ ଭାରତରେ ରୋଗୀ ବୋଝ ଏବେ ସଂକ୍ରାମକ ରୋଗ ଠାରୁ ଅଣସଂକ୍ରାମକ ରୋଗ ଆଡ଼କୁ ଯାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ଦେଶରେ ଛଅ କୋଟିରୁ ଊଦ୍ଧ୍ୱର୍ ଜନତା ମଧୁମେହରେ ଆକ୍ରାନ୍ତ । ବିଶେଷଜ୍ଞମାନଙ୍କ ମତ ଭାରତରେ ମଧୁମେହୀଙ୍କ ସଂଖ୍ୟା ଆସନ୍ତା ଦୁଇ ଦଶକ ମଧ୍ୟରେ ୧୨କୋଟିକୁ ଛୁଇଁବ। ଭାରତୀୟ ସହରାଞ୍ଚଳରେ ତ୍ରୁଟିପୂର୍ଣ୍ଣ ଆଧୁନିକ ଜୀବନଶୈଳୀ ମଧୁମେହ, ହୃଦ୍‌ରୋଗ, ଉଚ୍ଚ ରକ୍ତଚାପ ଓ କେତେକ କ୍ୟାନ୍‌ସର ପରି ଅଣ ସଂକ୍ରାମକ ରୋଗ ପାଇଁ ମୁଖ୍ୟତଃ ଦାୟୀ । ସତେଜ ଖାଦ୍ୟ ତୁଳନାରେ ଅଧିକ ପରିମାଣର ପ୍ରକ୍ରିୟାକୃତ ଓ ଫ୍ୟାଟ ବିଶିଷ୍ଟ ଖାଦ୍ୟ ସହ ଶାରୀରିକ ପରିଶ୍ରମ ଅଭାବ ମଧୁମେହର ଆଶଙ୍କାକୁ ବହୁଗୁଣିତ କରିଛି ଭାରତୀୟ ସହରମାନଙ୍କରେ । ଏହି ଖାଦ୍ୟ ମେଦବହୁଳତାର କାରଣ ହେଉଛି । ମେଦ ବହୁଳତା ମଧ୍ୟ ମଧୁମେହ ସହ ପ୍ରତ୍ୟକ୍ଷ ଭାବରେ ଜଡ଼ିତ । ମେଦ ବହୁଳତା ମଧୁମେହର ଆଶଙ୍କା ଦ୍ୱିଗୁଣିତ କରୁଛି । ଜଣେ ଠିକ୍‌ ଓଜନର ବ୍ୟକ୍ତି ତୁଳନାରେ ଅତ୍ୟଧିକ ମୋଟାଲୋକର ମଧୁମେହ ଆଶଙ୍କା ପ୍ରାୟ ଦଶଗୁଣ ବଢ଼ିଯାଏ । 


     ସଚେତନତାର ଅଭାବ, ସ୍ୱାସ୍ଥ୍ୟ ଉପରେ ନଜରର ଅଭାବ, ରୋଗ ପରୀକ୍ଷାରେ ବିଳମ୍ବ ସହ ଚିକିତ୍ସାରେ ଅବହେଳା - ସବୁ ମିଶି ମଧୁମେହକୁ ମହାମାରୀରେ ପରିଣତ କରିବାକୁ ଯାଉଛି । ଭାରତରେ ଯେତେ ଲୋକ ମଧୁମେହରେ ପୀଡ଼ିତ ସେମାନଙ୍କ ମଧ୍ୟରୁ ମାତ୍ର ୫୦ ପ୍ରତିଶତ ହିଁ ନିଜ ରୋଗ ବିଷୟରେ ଜାଣନ୍ତି । ଅନେକ ମଧୁମେହୀ କେବେ ନିଜର ଶର୍କରା ପରୀକ୍ଷା ମଧ୍ୟ କରିନଥାନ୍ତି । ଏହାଛଡ଼ା ଅନ୍ୟ ଏକ ବିପଦ ଭାରତୀୟ ମାନଙ୍କର ଜିନ୍‌କୁ ନେଇ । ଭାରତୀୟ ଗୁଣସୂତ୍ରରେ ଏହି ରୋଗ ଅଧିକ ଲୁଚି ରହିଥାଏ ପାଶ୍ଚାତ୍ୟ ଦେଶର ବାସିନ୍ଦାଙ୍କ ତୁଳନାରେ । ଅର୍ଥାତ୍‌ ପ୍ରାକ୍‌ ମଧୁମେହ ପରିସ୍ଥିତି ଏଠାରେ ଅଧିକ । କିନ୍ତୁ ଶୀଘ୍ର ଚିହ୍ନଟ ନହେବା କାରଣରୁ ଏହା ମଧୁମେହରେ ପରିଣତ ହେବାକୁ ବିଳମ୍ବ ହେଉନି । ଭାରତରେ ପରିବେଶ, କନେଟିକ୍‌, ଆଭ୍ୟନ୍ତରୀଣ ଶାରୀରିକ ସଂରଚନା ଓ ପାଚନକ୍ରିୟାରେ ତ୍ରୁଟି ସବୁମିଶି ମଧୁମେହୀଙ୍କ ସଂଖ୍ୟା ବୃଦ୍ଧି କରିଥାଏ । ଚଳିତବର୍ଷ ଆଦ୍ୟଭାଗରେ ପ୍ରକାଶିତ ଡାଇବେଟିସ୍‌ ମେଡ଼ିସିନ୍‌ ଅଧ୍ୟୟନ ଅନୁଯାୟୀ ଦକ୍ଷିଣ ଏସୀୟ ପୁରୁଷ ଓ ମହିଳା ଉଭୟେ ମଧୁମେହ ପ୍ରବଣ । ସମାନ ବୟସ ଓ ଜୀବନ ମାନର ଧଳା ୟୁରୋପୀୟଙ୍କ ତୁଳନାରେ ଦକ୍ଷିଣ ଏସୀୟଙ୍କର ମଧୁମେହ ଆଶଙ୍କା ୩-୪ଗୁଣ ଅଧିକ । ଟାଇପ-୨ ଡାଇବେଟିସ ପାଶ୍ଚାତ୍ୟବାସୀଙ୍କ ତୁଳନାରେ ଦକ୍ଷିଣ ଏସୀୟମାନଙ୍କୁ ଏକ ଦଶନ୍ଧି ପୂର୍ବରୁ ଯନ୍ତ୍ରଣା ଦେବା ଆରମ୍ଭ କରିଥାଏ । ମଧୁମେହ ଜନିତ କିଡ଼ନୀ ସମସ୍ୟା ମଧ୍ୟ ଦକ୍ଷିଣ ଏସୀୟମାନଙ୍କୁ ଦଶବର୍ଷ ଆଗୁଆ ଆକ୍ରମଣ କରିଥାଏ । ମଧୁମେହର ନିରାକରଣର ମୁଖ୍ୟ ଅଙ୍ଗ ସଚେତନତା । ତେଣୁ ଜାତୀୟ ସ୍ତରରେ ଏକ ପ୍ରଭାବଶାଳୀ ସ୍ୱଳ୍ପବ୍ୟୟୀ, ରୂପାୟନ ଓ କ୍ରୀୟାଶୀଳଯୋଗ୍ୟ ରଣନୀତି ଆବଶ୍ୟକ ମଧୁମେହକୁ ଅଟକାଇବା ପାଇଁ ଜରୁରି ।


   ମଧୁମେହ ଏକ ବିପଜ୍ଜନକ ରୋଗ ଏବଂ ଏହାକୁ ଅବହେଳା କରିହେବନାହିଁ । କିନ୍ତୁ ରକ୍ତ ଶର୍କରା ସ୍ତର ଉପରେ ସତର୍କ ଦୃଷ୍ଟି ଓ ଆବଶ୍ୟକୀୟ ଔଷଧର ବ୍ୟବହାର, ବ୍ୟାୟାମ ଓ ଖାଦ୍ୟ ନିୟନ୍ତ୍ରଣ ଦ୍ୱାରା ଏହି ରୋଗକୁ ଭୟଙ୍କର ହେବାରୁ ଓ ଶରୀରର ବିଭିନ୍ନ ଅଙ୍ଗକୁ ଏହାର ପ୍ରଭାବରୁ ମୁକ୍ତ ରଖିବା ସମ୍ଭବ । ବର୍ତ୍ତମାନ ଔଷଧ ମଧ୍ୟ ଆଧୁନିକ ହେଲାଣି ଯୁଗ ସହ ପାଦ ମିଳାଇ । ତେଣୁ ଇନ୍‌ସୁଲିନ ବାରମ୍ବାର ନେବାକୁ ପଡ଼ୁନି, ଔଷଧ ଦ୍ୱାରା ମଧ୍ୟ ଏହାକୁ ନିୟନ୍ତ୍ରଣରେ ରଖି ହେଉଛି । ମଧୁମେହରେ ସବୁଠାରୁ ଜରୁରୀ ଓଜନ ନିୟନ୍ତ୍ରଣ । ଓଜନ ହ୍ରାସ ନାଟକୀୟ ଭାବରେ ରୋଗ ନିୟନ୍ତ୍ରଣ କରିବା ସହ ଏହାର କୁପ୍ରଭାବକୁ ଅଟକାଏ । ଅନ୍ତଃରାଷ୍ଟ୍ରୀୟ ମଧୁମେହ ସଂଘର ସୂଚନା ଅନୁଯାୟୀ ଟାଇପ-୨ ମଧୁମେହ ଓ ମେଦ ବହୁଳତାର ଶିକାର ବ୍ୟକ୍ତିବିଶେଷଙ୍କ ପାଇଁ ବାରିଆଟ୍ରିକ୍‌ ସର୍ଜରୀ ବା ଓଜନ ନିୟନ୍ତ୍ରଣ ଅସ୍ତ୍ରୋପଚାର ଏକ ଉପଯୋଗୀ ଚିକିତ୍ସା । ଔଷଧ ଓ ଅନ୍ୟାନ୍ୟ ଉପଚାର ଦ୍ୱାରା ମଧ୍ୟ ସହଜରେ ଓଜନ ହ୍ରାସ ଅସ୍ତ୍ରୋପଚାର ପରି ସୁଫଳ ମିଳିବା ସମ୍ଭବ ନୁହେଁ । ଗତ ଦୁଇଦଶକ ଧରି ମଧୁମେହଙ୍କ ନିମନ୍ତେ ଏଣ୍ଡୋସ୍କୋପିକ୍‌ ଡାଇବେଟିକ୍‌ ସର୍ଜରୀ ସବୁଠାରୁ ସଫଳ ଚିକିତ୍ସା ପଦ୍ଧତି ଭାବରେ ପରିଗଣିତ ହେଉଛି । ଏଥିରେ ସଫଳତା ହାର ୮୨-୮୮ ପ୍ରତିଶତି । କିନ୍ତୁ ଅନ୍ୟପକ୍ଷରେ ବାରିଆଟ୍ରିକ୍‌ ସର୍ଜରୀରେ ଅନେକ ବିପଦ ରହିଛି ଯଦିଓ ଏହା ଭୟଙ୍କର ଭାବରେ ମୋଟା ଲୋକଙ୍କ ପାଇଁ ଜୀବନରକ୍ଷା କାରକ ହେଉଛି । ତେବେ ଦୀର୍ଘକାଳୀନ ଅନିୟନ୍ତ୍ରିତ ମଧୁମେହ ଯୋଗୁଁ ଯେଉଁ ବିପଦ ରହିଛି ତା ତୁଳନାରେ ବାରିଆଟ୍ରିକ୍‌ ସର୍ଜରୀ ଅଧିକ ବିପଜ୍ଜନକ ନୁହେଁ । ଡାଇବେଟିସ୍‌ ବିଶ୍ୱରେ କିଡ଼୍‌ନୀ ଅଚଳ ହେବାର ମୁଖ୍ୟ କାରଣ । ଏହାଛଡ଼ା ଘା' ନଶୁଖିବା ଯୋଗୁଁ ହଜାର ହଜାର ମଧୁମେହୀ ନିଜର ହାତ ବା ଗୋଡ଼ ହରାଇଥାନ୍ତି । ତେବେ ଏହା ବୟସ୍କ ମାନଙ୍କର ଦୃଷ୍ଟିହୀନତାର ମୁଖ୍ୟକାରଣ । ପ୍ରାୟ ୫ ଅୟୁତ ବୟସ୍କଙ୍କର ଚକ୍ଷୁ ନଷ୍ଟ ହେବାର କାରଣ ଏହି ମଧୁମେହ । ଏହାଛଡ଼ା ମଧୁମେହ ଅନେକାଂଶରେ ହୃଦ୍‌ରୋଗ, ଉଚ୍ଚରକ୍ତଚାପ ଓ ହୃଦଘାତର କାରଣ । ଶୁଣାନଯିବା ମଧ୍ୟ ମଧୁମେହ କାରଣରୁ ହୋଇଥାଏ । ତେଣୁ ମଧୁମେହୀମାନେ ନିୟମିତ ଭାବରେ ପାଦ, ଚକ୍ଷୁ ଓ ଇଏନ୍‌ଟି ବିଶାରଦଙ୍କ ପରାମର୍ଶ ନେବା ଆବଶ୍ୟକ ।

   ଚକ୍ଷୁ ବିଶେଷଜ୍ଞମାନଙ୍କ ସୂତ୍ରରୁ ଜଣାପଡ଼ିଛି ରେଟିନା ନଷ୍ଟ ହେବା ଯୋଗୁଁ ଆକସ୍ମିକ ଦୃଷ୍ଟି ଶକ୍ତି ହରାଇବା ପରି ପରିସ୍ଥିତି ଉପୁଜିଥାଏ । ଏହି କାରଣରୁ ଅଖିରେ ବା ଦୃଷ୍ଟିରେ ସାମାନ୍ୟ ପରିବର୍ତ୍ତନ ହେଲେ ମଧୁମେହ ତୁରନ୍ତ ଡାକ୍ତରଙ୍କୁ ଦେଖାଇବା ସହ ନିୟମିତ ଚକ୍ଷୁ ପରୀକ୍ଷା କରାଇନେବା ଉଚିତ । ନିୟମିତ ଯାଞ୍ଚ ଦ୍ୱାରା ଚକ୍ଷୁ ନଷ୍ଟ ହେବାର ଆଶଙ୍କାକୁ ଏଡ଼ାଇ ଯାଇହେବ । ଅନିୟନ୍ତ୍ରିତ ମଧୁମେହର ଅନ୍ୟ ଏକ ପାଶ୍ୱର୍ ପ୍ରଭାବ ହେଉଛି ଶ୍ରବଣ ଶକ୍ତି ହ୍ରାସ । ସାଧାରଣ ଲୋକଙ୍କ ତୁଳନାରେ ମଧୁମେହୀଙ୍କ ଠାରେ ଏ ଆଶଙ୍କାର ଦୁଇଗୁଣ ଥାଏ । ସମୟ ପୂର୍ବ ଚିହ୍ନଟ କେବଳ ବର୍ଷରେ ଥରେ ଦୁଇଥର ଶ୍ରବଣ ଶକ୍ତି ପରୀକ୍ଷା ଦ୍ୱାରା ସମ୍ଭବ । ଶ୍ରବଣ ଶକ୍ତି ହ୍ରାସ ହେଉଛି ଏହା ସୂଚନା ମିଳେ ବାରମ୍ବାର ପଡ଼ିଯିବାରୁ । ଆଭ୍ୟନ୍ତରୀଣ କର୍ଣ୍ଣର ଶକ୍ତି ହ୍ରାସ ହେବା ଦ୍ୱାରା ସନ୍ତୁଳନ ରକ୍ଷା କରିବାର ଶକ୍ତି ମଧ୍ୟ ହ୍ରାସ ପାଏ । ମଧୁମେହର ସବୁଠାରୁ ଯନ୍ତ୍ରଣାଦାୟକ ପାର୍ଶ୍ୱ ପ୍ରଭାବ ଭୋଗ କରେ ପାଦ । ମଧୁମେହରେ ପାଦକୁ ରକ୍ତ ସଂଚାଳନ କମ ହୋଇଯାଏ । ଏହାକୁ କୁହାଯାଏ ଗେଫ୍ଟେରାଲ ଭସ୍କୁଲାର ଡିଜିଜ୍‌ । ପାଦର ସମ୍ବେଦନା କମ୍‌ ହେବା ସହ କ୍ଷତ ଭରଣା ହେବା କମ୍‌ ହୋଇଯାଏ ଏହାଦ୍ୱାରା । ରକ୍ତ ସଂଚାଳନରେ ଅଭାବ ହେତୁ ଘା' ନଶୁଖିଲେ ଗାଙ୍ଗ୍ରିନ୍‌ହୋଇ ପାଦ କଟା ହେବା ପରିସ୍ଥିତି ଉପୁଜେ । ଆମ ଦେଶରେ ମଧୁମେହକୁ ଅବହେଳା କରିବା ଦ୍ୱାରା ପ୍ରାୟ ୬୦ ହଜାର ରୋଗୀ ନିଜର ପାଦ ହରାଇବାର ଯନ୍ତ୍ରଣା ଭୋଗୁଛନ୍ତି । ଏଥିସହ ସ୍ନାୟୁ ଦୁର୍ବଳ ହେବା ଯୋଗୁଁ ପାଦ ପୋଡ଼ା, ଝିମ୍‌ଝିମ ହେବା, ଅସ୍ଥିରତା ଓ ପାଦ ଦୁର୍ବଳ ଲାଗିବା ଆଦି ସମସ୍ୟା ଦେଖାଦିଏ । ଅନେକେ ଥଣ୍ଡା ଓ ଗରମ ମଧ୍ୟରେ ଫରକ ଜାଣିପାରନ୍ତି ନାହିଁ । ସୁସ୍ଥ ଜୀବନଶୈଳୀ ମଧୁମେହ ମୁଖ୍ୟତଃ ଏକ ଜୀବନଶୈଳୀ ରୋଗ । ତେଣୁ ଏହାର ନିରାକରଣ ସମ୍ଭବ । ଜୀବନଶୈଳୀରେ ସକାରାତ୍ମକ ପରିବର୍ତ୍ତନ ରକ୍ତଶର୍କରାକୁ ନିୟନ୍ତ୍ରଣ କରିବା ସହ ଶରୀରର ଓଜନକୁ ନିୟନ୍ତ୍ରଣରେ ରଖିଥାଏ । ଏହା ହିଁ ମଧୁମେହକୁ ନିୟନ୍ତ୍ରଣ କରିବା ଓ ଅଟକାଇବା ନିମନ୍ତେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।

ମୋ: ୯୪୩୭୦୨୩୪୪୩