ପୂଜା ଗହଳିରେ ରୋମିଓ ରାଇଡରଙ୍କ ରାଜୁତି
ତାଳଚେର : କାହିଁ କେତେ ଦୂରରୁ ଝିଅ, ମାଆ, ମାଉସୀମାନେ ସନ୍ଧ୍ୟା ସମୟରେ ନାତି ନାତୁଣୀଙ୍କୁ ସାଥିରେ ନେଇ ପୂଜା ମାହୋଲକୁ ଉପଭୋଗ କରିବାକୁ ଆସୁଥିବା ବେଳେ, ଠିକ୍ ଏହି ସମୟରେ ରୋମିଓଙ୍କ ବାଇକ ଯୋରରେ ଯିବା ସହ ଦେଉଛି ଫଟା ବିକଟାଳ ହର୍ଣ୍ଣ । କିଏ ସାଇରନ୍ ଦେଇଯାଉଛି ତ, ଆଉ କିଏ ବସ୍ ଭଳି ହର୍ଣ୍ଣ । କେବଳ ସେତିକି ନୁହଁ ବାଇକରୁ ବାହାରୁଛି ପ୍ରଚଣ୍ଡ କାନଫଟା ଶଦ୍ଦ । ଭଳିକି ଭଳି ସ୍ପିଡ୍ ବାଇକ ଯୁବପିଢୀ ଏପରିକି ବିକଟାଳ ହର୍ଣ୍ଣ ଓ ସାଇଲେନ୍ସସରରୁ ଶଦ୍ଦ ବାହାର କରୁଛନ୍ତି । ଆଉ ଏହି ସଉକ୍ ରାସ୍ତାରେ ଭୟ ଓ ବିପଦ ସୃଷ୍ଟି କରୁଛି । ମାତ୍ର ଏଥିପ୍ରତି କୌଣସି ଲଗାମ ରହୁନାହିଁ । ସେପଟେ ପରିବହନ ବିଭାଗ ମଧ୍ୟ ନିଦ୍ରାରେ ଥିବାରୁ ଏପରି ହର୍ଣ୍ଣର ମାତ୍ରା ବଢିଯାଇଛି । ବିକଟାଳ ଶଦ୍ଦ କରୁଥିବା ବାଇକକୁ ଜବତ କରିବା ସହିତ ମୋଟା ଅଙ୍କର ଜରିମନା ଆଦାୟ କରାଗଲେ କିଛି ସାବାଡ୍ ହୋଇଯାଆନ୍ତେ । ଏମିତିକି ଯେଉଁ ଦୋକାନରେ ସାଇଲେନ୍ସସର ପାଇପ୍ ବଦଳା ଯାଉଛି ସେଠାରେ ଚଢ଼ଉ କରାଗଲେ ଅମାନିଆ ବାଇକ ଚାଳକଙ୍କ ମଧ୍ୟରେ ଛନକା ପଶନ୍ତା । ଏଥିରେ ରୋକ ଲାଗାଇବାକୁ ପୋଲିସ୍ ସ୍ୱତନ୍ତ୍ର ଟିମ ଗଠନ କରି ଅଭିଯାନ ଚଳାଇବା ପାଇଁ ଅତ୍ୟନ୍ତ ଜରୁରୀ ହୋଇପଡୁଛି । ପୋଲିସ୍ କି ପରିବହନ ବିଭାଗର କୌଣସି ଲଗାମ ନଥିବାରୁ ତାଳଚେର ସହରରେ ଏହି ବିକଟାଳ ହର୍ଣ୍ଣର ମାତ୍ରା ଉଦବେଗ ଜନକଭାବେ ବୃଦ୍ଧି ପାଉଛି । ନିୟମ ମୂତାବକ କୌଣସି ବାଇକର ହର୍ଣ୍ଣ ୬୫ ଡେସିମିଲରୁ ଅଧିକ ହୋଇପାରିବ ନାହିଁ । ସେହିପରି ବାଇକରେ କମ୍ପାନୀ ଲଗାଇଥିବା ସାଇଲେନ୍ସସର ବଦଳାଇ ପାରିବେ ନାହିଁ । ମାତ୍ର ଏବେ ଯୁବପିଢୀ ଭଳିକି ଭଳି ସ୍ପିଡ ବାଇକ ଚଢୁଥିବା ବେଳେ ନିଜଆଡକୁ ଆକର୍ଷିତ କରାଇବା ପାଇଁ ଘନଘନ ହର୍ଣ୍ଣ ବଜାଉଛନ୍ତି । ଏମିତିକି ପୂଜା ମାହୋଲ ସେ ପୁଣି ସନ୍ଧ୍ୟାରେ ନିଜର ବାହାଦୂରି ଦେଖାଉଥିବା ଭଳି ମନେ କରୁଛନ୍ତି । ତେଣୁ ଗଣେଶପୂଜା ଗହଳିକୁ ଦୃଷ୍ଟିରେ ରଖି ତୁରନ୍ତ ପୁଲିସ୍ ଏହାର କଡାପଦକ୍ଷେପ ନେଇ ଚଢ଼ଉ ଜୋରଦାର କରି ଧରପଗଡ ସହ ମୋଟା ଅଙ୍କର ଜରୀମାନା କଶିବାର ଆବଶ୍ୟକତା ରହିଛି ବୋଲି ସାଧାରଣ ମହଲରେ ଦାବି ହେଉଛି ।