ସରକାରୀ ଜମି ଚିହ୍ନଟ ପାଇଁ ଦାବି
ତାଳଚେର: ତାଳଚେର ବ୍ଲକ୍ ଘଣ୍ଟପଡ଼ା ପଞ୍ଚାୟତରେ ବିଭିନ୍ନ ସରକାରୀ ଜମିକୁ ଚିହ୍ନଟ କରି ସରକାରଙ୍କ ଅକ୍ତିଆରରେ ରଖିବା ନିମନ୍ତେ ସରପଞ୍ଚ ସସ୍ମିତା ବିଶ୍ୱାଳଙ୍କ ତରଫରୁ ଏକ ଦାବିପତ୍ର ପଞ୍ଚାୟତ ସମିତି ସଭାଗୃହ ଠାରେ ଅନୁଷ୍ଠିତ ଅନୁଗୁଳ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି ଶିବିରରେ ପ୍ରଦାନ କରାଯାଇଛି । ୨୦୧୧ ଜନଗଣନା ଅନୁସାରେ ଘଣ୍ଟପଡ଼ା ପଞ୍ଚାୟତରେ ୧୭ ହଜାରରୁ ଅଧିକ ଲୋକ ବାସ କରୁଛନ୍ତି । ଏହି ପଞ୍ଚାୟତରୁ ଏମ୍ସିଏଲ୍ ୫୦୦ ଏକରରୁ ଅଧିକ ଜମି ଅଧିଗ୍ରହଣ କରିସାରିଛି । ବାକିଥିବା ସରକାରୀ ଜମିଗୁଡ଼ିକ ବିଭିନ୍ନ ଜବରଦଖଲକାରୀଙ୍କ କବଜାରେ ରହିଥିବା ବେଳେ ସମସ୍ତ ସରକାରୀ ଜମି ଗୁଡ଼ିକୁ ସରକାର ନିଜ ଅକ୍ତିଆରକୁ ଆଣିପାରିଲେ, ଭବିଷ୍ୟତରେ ସରକାରୀ ଅନୁଷ୍ଠାନ ପ୍ରତିଷ୍ଠା କିମ୍ୱା ସରକାରୀ କାର୍ଯ୍ୟରେ ଲାଗି ପାରିବ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ସୂଚନା ଥାଉକି, ପଞ୍ଚାୟତ ଅଧିନସ୍ଥ ସରକାରୀ ଜମି ତଥା ସର୍ବସାଧାରଣ ସ୍ଥାନଗୁଡ଼ିକୁ କିଛି ବ୍ୟକ୍ତି ନିଜ ଅକ୍ତିଆରରେ ରଖିଛନ୍ତି । ଫଳରେ ସେଗୁଡ଼ିକ ଜନକଲ୍ୟାଣ କାର୍ଯ୍ୟରେ ଲାଗି ପାରୁନାହିଁ । ଏନେଇ ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ନିଆଗଲେ ପଞ୍ଚାୟତବାସୀ ଉପକୃତ ହେବେ ବୋଲି ସରପଞ୍ଚ ଆଶା ବ୍ୟକ୍ତ କରିଛନ୍ତି ।
 
 Rasmita Behera
                                    Rasmita Behera                                 
    
             
    
 
    
 
 
 
