ପୂର୍ବ ତ୍ରୁଟିରୁ ଶିଖିଲାନି ପ୍ରଶାସନ
ସ୍ୱତନ୍ତ୍ର ପ୍ରତିନିଧି ଉକôଳ କେଶରୀ ପାହାଡସିଂ : ପରମ୍ପରା ଅନୁଯାୟୀ ଶ୍ରୀଗୁଣ୍ଡିଚାର ଦ୍ୱିତୀୟ ଦିନର ଅପରାହ୍ନରେ ନୀତିକାନ୍ତି ପରେ ଦୁଇ ଘଟିକା ସମୟରେ କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ସିଦ୍ଧ ବଳଦେବଜୀଉଙ୍କ ବ୍ରହ୍ମତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଥିଲା । ହେଲେ ମାତ୍ର ହାତେ ଗଡି ବ୍ରହ୍ମତାଳଧ୍ୱଜ ରଥ ନେଇଥିଲା ବାମ ମୋଡ । ତେବେ ତୁରନ୍ତ ଭାରତୀୟ ରେଳ ବିଭାଗର ଇଂଜିନିୟର ମାନେ ରଥ ଦାଣ୍ଡରେ ପହଞ୍ଚି ହାଇଡ୍ରୋଲିକ ଜ୍ୟାକ୍ ସହଯୋଗରେ ବାମ ମୋଡ ନେଇଥିବା ବ୍ରହ୍ମତାଳଧ୍ୱଜ ରଥକୁ ଡାହାଣ ପାର୍ଶ୍ୱକୁ ଆଣିବା ପାଇଁ ଦୀର୍ଘ ସମୟ ଧରି ଚେଷ୍ଟା କରିଥିଲେ ମଧ୍ୟ ଏଥିରେ ଅସଫଳ ହେବାରୁ ଆଜିପାଇଁ ରଥ ଟଣା ବନ୍ଦ ରଖା ଯାଇଥିଲା । ଗତ ଦୁଇ ବର୍ଷ ଭଳି ବ୍ରହ୍ମତାଳଧ୍ୱଜ ରଥରେ ସମାନ ବିଭ୍ରାଟ ଦେଖାଦେଇଥିବାରୁ ଲକ୍ଷ ଲକ୍ଷ ଭକ୍ତଙ୍କ ମନରେ ଅସନ୍ତୋଷ ଦେଖାଯାଇଛି । ଶ୍ରୀଜୀଉଙ୍କ ବ୍ରହ୍ମତାଳଧ୍ୱଜ ରଥ ଦକ୍ଷିଣ ମୋଡ଼ ନେବାପରେ ରଥ ପରିଚାଳନା କମିଟିର ସଭାପତି କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ କହିଛନ୍ତି ,ଆମ ରଥ ବେଶ୍ ଓଜନଦାର ଓ ପଞ୍ଚଷଠି ଫୁଟିଆ ରଥ । ବୈଷୟିକ ଦୃଷ୍ଟିରୁ ଆମ ରଥ ସବୁକିଛି ସଠିକ୍ ଥିଲା କିନ୍ତୁ ଯାହା ପ୍ରଭୁ ବଳଦେବଜୀଉଙ୍କ ଇଚ୍ଛା । ରେଳ ବିଭାଗ ଲାଗିଛନ୍ତି ଆମେ ରଥ ଅଧ ଘଣ୍ଟା ଭିତରେ ଟାଣିବା ଆରମ୍ଭ କରିବୁ । କିନ୍ତୁ ଦେଖିବାକୁ ମିଳିଥିଲା ଦୀର୍ଘ ସମୟ ବିତିଯାଇ ଥିଲେ ମଧ୍ୟ ସମସ୍ୟାରେ ସମାଧାନ ହୋଇନପାରିବାରୁ ଦ୍ୱିତୀୟ ଦିନରେ ରଥ ଟଣା କାର୍ଯ୍ୟ ବନ୍ଦ ରଖାଯାଇଥିଲା ।
ବିଧାୟକ ଗଣେଶ୍ୱର ବେହେରା ବ୍ରହ୍ମତାଳଧ୍ୱଜ ଅଟକି ଯିବା ଘଟଣା ଉପରେ ପ୍ରତିକ୍ରିୟା ଦେବାକୁ ଯାଇ ଅଭିଯୋଗ ଆଣି କହିଛନ୍ତି, ଏମିତି ତୃଟି ଧାରାବାହିକ ଭାବେ ତିନି ବର୍ଷ ହେଲାଣି ଘଟୁଛି । ଯେଉଁମାନେ କହୁଛନ୍ତି ଏହା ବଳଦେବଜୀଉଙ୍କ ଇଚ୍ଛା,ସେମାନେ କେବଳ ନିଜର ଦାଇତ୍ୱକୁ ଏଡ଼ାଇବା ପାଇଁ ଏପରି କହୁଛନ୍ତି । ଏକଥା ସହିତ ମୁଁ ଏକମତ ନୁହେଁ । ଠାକୁରଙ୍କ ଇଚ୍ଛା ନୁହେଁ ସେ ବାଟରେ ଅଟକିବେ । ଠାକୁରଙ୍କ ଇଚ୍ଛା ସେ ଶ୍ରୀମନ୍ଦିରରୁ ବାହାରିଛନ୍ତି ମାଉସୀ ଘରକୁ ଯିବେ,ଆଡ଼ପ ମଣ୍ଡପ ବିଜେ କରିବେ । ତେଣୁ ନିଶ୍ଚିନ୍ତ ଭାବରେ ଏହା ଏକ ବିରାଟ ତ୍ରୁଟି । ଏହା ହେଉଛି ନିର୍ମାଣ ଗତ ତ୍ରୁଟି । ଏବଂ ଏପରି ବାରମ୍ବାର ଘଟୁଥିବାରୁ ଏହା ଅତ୍ୟନ୍ତ ଦୁଃଖଦାୟକ । ତେଣୁ ଏହାର ତୁରନ୍ତ ନିରାକରଣ ହେବା ଦରକାର । ସେହିପରି ସେବାୟତ ମାନେ କହିଛନ୍ତି ଆଜି ପ୍ରବଳ ବର୍ଷା ସତ୍ତ୍ୱେ ପ୍ରବଳ ଭକ୍ତ ସମାଗମ ହୋଇଥିଲା । ତମାମ ଭକ୍ତ ମହଲରେ ଭରପୁର ଉସôାହ ରହିଥିବା ବେଳେ ମାତ୍ର ପଚାଶରୁ ଷାଠିଏ ମିଟର ରଥ ଗଡିବା ପରେ ବା ମାତ୍ର ଦୁଇ ଦୌଡ଼ି ଟଣା ହେବା ପରେ ରଥ ବାମକୁ ମାଡିଗଲା, ଯାହାକୁ ହାତରେ କିମ୍ବା ମାନୁଆଲି ଟ୍ରାକକୁ ଆଣିବା କଷ୍ଟକର ବ୍ୟାପାର । ତେଣୁ ରେଳ ବିଭାଗର ଜ୍ୟାକ ଲଗାଯାଇ ଏହାକୁ ଟ୍ରାକକୁ ଅଣାଯାଇ ରଥ ଟଣାଯିବ ।ତେବେ ରଥଦାଣ୍ଡ ରାସ୍ତାର ନିର୍ମାଣରେ ତୃଟି ଥିବାରୁ ପ୍ରତିବର୍ଷ ଏଭଳି ସମସ୍ୟା ଦେଖାଯାଉଥିବା କଥାକୁ ଏଡ଼ାଇ ଦିଆଯାଇନପାରେ ବୋଲି ମଧ୍ୟ କିଛି ସେବାୟତ କହିଛନ୍ତି । ତେବେ ଶେଷ ଖବର ଅନୁଯାୟୀ ରଥ ପରିଚାଳନା କମିଟିର ବୈଠକ ବସି ନିଷ୍ପତ୍ତି ନିଆଯାଇଛି ଯେ ଶନିବାର ରାତିରେ ହାଇଡ୍ରୋଲିକ୍ ଜ୍ୟାକ ସାହାଯ୍ୟରେ ରଥକୁ ରଥ ଦାଣ୍ଡ ରାସ୍ତାର ମଝିକୁ ଆଣିବା ପରେ ଗତକାଲି ଅର୍ଥାତ୍ ରବିବାର ଦିବା ଏଗାର ଘଟିକା ସମୟରେ ବ୍ରହ୍ମତାଳଧ୍ୱଜ ରଥ ପୁନର୍ବାର ଟଣା ଯିବ ।