ପେଟ୍ରୋଲ ଟାଙ୍କି-କ୍ଷୀର ଭ୍ୟାନ ମୁହାଁମୁହିଁ, ୨ ଗୁରୁତର

ଆନନ୍ଦପୁର : ଆନନ୍ଦପୁର-ଭଦ୍ରକ ରାଜ୍ୟ ରାଜପଥର ଛେନାପଦି-ଅଣା ଛକ ମଧ୍ୟରେ ପେଟ୍ରୋଲ ଟାଙ୍କି ଓ କ୍ଷୀରଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ବେଳେ, ଦୁଇଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ ଆନନ୍ଦପୁରରୁ ଭଦ୍ରକ ଅଭିମୁଖେ ଯାଉଥିବା ଓଡ଼ି୦୧ଏ- ୪୫୭୧ ଇଣ୍ଡିଆନ ପେଟ୍ରୋଲ ଟ୍ୟାଙ୍କର ସହିତ ଭଦ୍ରକରୁ ଛେନାପଦି ଅଭିମୁଖେ ଆସୁଥିବା ଓଡ଼ି୨୨ଏଚ-୪୦୭୭ ଓମଫେଡ଼ ଭ୍ୟାନ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ତେଲ ଗାଡି ସାମାନ୍ୟ କ୍ଷତି ହୋଇଥିବା ବେଳେ, କ୍ଷୀର ଗାଡି କ୍ଷତିଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ ତେଲ ଗାଡି ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ, କ୍ଷୀର ଗାଡିର ଡ୍ରାଇଭର ଭଦ୍ରକ ଅଞ୍ଚଳର ଟୁଡୁ ପଣ୍ଡା (୫୫) ଓ ହେଲ୍ପର ମନୋଜ (୩୨) ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ, ଦୁର୍ଘଟଣାର କାରଣ ଘନ କୁହୁଡି ବୋଲି ଅନୁମାନ କରାଯାଉଛି । ଖବର ପାଇ ନନ୍ଦିପଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ିକୁ ଜବଦ କରି ତଦନ୍ତ କରିଛି ।