ପେଟ୍ରୋଲ ପମ୍ପରେ ରହୁନି ଅଗ୍ନି ନିରାପତ୍ତା ବ୍ୟବସ୍ଥା 

  କଟକ: ସହରରେ ଅଧିକାଂଶ ପେଟ୍ରୋଲ ଓ ଡିଜେଲ ପମ୍ପରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ରହୁନି । ଅଗ୍ନିଶମ ବିଭାଗ ପକ୍ଷରୁ ନିୟମିତ ଯାଞ୍ଚ ହେଉନଥିବାରୁ ସହରରେ ଅଧିକାଂଶ ପେଟ୍ରୋଲ ପମ୍ପରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କାର୍ଯ୍ୟକାରୀ ହେଉନାହିଁ ବୋଲି ସାଧାରଣରେ ଅଭିଯୋଗ ହେଉଛି । ଯେଉଁଠି ବି ଅଗ୍ନି ନିର୍ବାପକ ଯନ୍ତ୍ର ରହିଛି, ସେଗୁଡ଼ିକ ବହୁ ପୁରୁଣା । ନିୟମାନୁସାରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଅଗ୍ନି ନିର୍ବାପକ ଯନ୍ତ୍ର ଓ ସାମଗ୍ରୀକୁ ବଦଳା ଯାଇଥାଏ । ମାତ୍ର, ଯାଞ୍ଚ ଅଭାବରୁ ଏଗୁଡ଼ିକୁ କେହି ଗୁରୁତ୍ୱ ଦେଉନାହାନ୍ତି ବୋଲି ଅଭିଯୋଗ ହୋଇଛି । ପ୍ରାୟ ପେଟ୍ରୋଲ ପମ୍ପରେ ବାଲଟି ଥିଲେ ମଧ୍ୟ ସେଥିରେ ବାଲି ନଥିବା ଦେଖାଯାଉଛି । ଏହାଛଡ଼ା ରାସାୟନିକ ଫେଣଯୁକ୍ତ (ଫୋମ ଏଷ୍ଟିଂ ଗୁ୍ୟସର) ନିଆଁ ଲିଭା ଯନ୍ତ୍ର ବ୍ୟବସ୍ଥା ରହିଥିଲେ ହେଁ ସେଗୁଡ଼ିକ ଆଉ କାମ କରୁନି । ସିଏମଜି ପମ୍ପର ଅବସ୍ଥା ଆହୁରି ସାଂଘାତିକ । ଏହି ପମ୍ପ ଗୁଡ଼ିକରେ ମାତ୍ରାଧିକ ଜ୍ୱଳନଶୀଳ ଗ୍ୟାସ ରହୁଥିଲେ ବି ସେଠାରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ନାହିଁ କହିଲେ ଚଳେ । ଯେତିକି ପରିମାଣର ନିଆଁ ଲିଭା ଯନ୍ତ୍ର ରହିବା କଥା ତାଠାରୁ ଢ଼େର କମ ରହିଛି । ଯଦି କୌଣସି ସମୟରେ ଅଗ୍ନିକାଣ୍ଡ ଘଟେ ତେବେ ତାହା ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼ିବ । 
ସୂଚନାଯୋଗ୍ୟ, ପେଟ୍ରୋଲ ପମ୍ପ ଆରମ୍ଭ କରିବାବେଳେ ପ୍ରଥମତଃ ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ଆଣିବା ନିହାତି ଆବଶ୍ୟକ । ଏହା ୨ ବର୍ଷ ପାଇଁ ମିଳିଥାଏ । ଏହି ସମୟପରେ ଏହାର ନବୀକରଣ ବାଧ୍ୟତାମୂଳକ ଅଟେ । ତେବେ ପେଟ୍ରୋଲ ଓ ଡିଜେଲ ପମ୍ପରେ ଅଗ୍ନି ନିରାପତ୍ତା ପାଇଁ ଅଏଲ ଇଣ୍ଡ୍ରଷ୍ଟ୍ରିଜ ସେଫ୍ଟି ନିଦେ୍ର୍ଦଶାଳୟ ରହିଛି । ନିଦେ୍ର୍ଦଶାଳୟ ମାର୍ଗଦର୍ଶିକା ଅନୁସାରେ, ପମ୍ପ ପାଇଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରାଯାଏ । ଏହି ଅନୁସାରେ ପ୍ରତି ପମ୍ପରେ ୫ରୁ ଅଧିକ ଅଗ୍ନି ନିର୍ବାପକ ଯନ୍ତ୍ର, ୫ ରୁ ଅଧିକ ବାଲିଭରା ବାଲଟି, ୫ରୁ ଅଧିକ ଶୁଖିଲା ରାସାୟନିକ ଥିବା ନିଆଁଲିଭା ଯନ୍ତ୍ର, ୫ ରୁ ଅଧିକ ତରଳ ରାସାୟନିକ ନିଆଁଲିଭା ଯନ୍ତ୍ର ରଖାଯିବାକୁ ନିୟମ କରାଯାଇଛି । ଏହାଛଡ଼ା ସାମାନ୍ୟ ଅଗ୍ନି ଦୁର୍ଘଟଣାକୁ ଏଡାଇବା ପାଇଁ ପମ୍ପଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣରେ ସୂଚନା ଫଳକ ଲଗାଯିବ । ଯେଉଁଥିରେ କି ସେଠାରେ ବିଡ଼ି, ସିଗାରେଟ ଓ ମୋବାଇଲ ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯିବ । ସେହିପରି ସିଏମଜି ବିକି୍ର ହେଉଥିବା ପମ୍ପ ପାଇଁ ଗ୍ୟାସ ସିଲିଣ୍ଡର ନିୟମ-୨୦୧୬ ରହିଛି । ଏହି ନିୟମ (ସିଓ-୨) ଯନ୍ତ୍ର, ବାଲି ବାଲଟି ଓ ରସାୟନିକ ପାଉଡର ଏଷ୍ଟିଙ୍ଗ ଗୁ୍ୟସର ରଖାଯିବ, କିନ୍ତୁ ଏଠାରେ ଫୋମ ବ୍ୟବହାର କରାଯାଇପାରିବ ନାହିଁ । ଏହି ସମସ୍ତ ନିୟମ ଓ ବ୍ୟବସ୍ଥା ଠିକ ଭାବେ ପାଳନ ହେଉଛି କି ନାହିଁ ତାହାକୁ ଯାଞ୍ଚ କରିବା କାର୍ଯ୍ୟ ଅଗ୍ନିଶମ ବିଭାଗର ହୋଇଥିଲେ ହେଁ ଏବେ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଯଦିଓ ପେଟ୍ରୋଲ ପମ୍ପର ସୁରକ୍ଷା ଯାଞ୍ଚ ପାଇଁ କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍ଲୋସିପ ସେଫ୍ଟି ଅର୍ଗାନାଇଜେସନ ରହିଥିଲେ ହେଁ ସ୍ଥାନୀୟ ଯାଞ୍ଚ ଅନୁଷ୍ଠାନ ଭାବେ ଅଗ୍ନିଶମ ବିଭାଗର ସମପରିମାଣର ଦାୟିତ୍ୱ ରହିଛି । ତେବେ ଥରେ ଯାଞ୍ଚ କରି ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପ୍ରଦାନ କରିବା ପରେ ବିଭାଗର କାମ ଶେଷ ହୋଇଯାଉଛି । ସେହିପରି ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ନବୀକରଣ ବେଳେ ପମ୍ପ ପରିଦର୍ଶନ କରି ଯାଞ୍ଚ କରାଯିବା କଥା, କିନ୍ତୁ ବାସ୍ତବରେ ତାହା କରାଯାଉନାହିଁ ବୋଲି ସାଧାରଣରେ ଅଭିଯୋଗ ହୋଇଛି ।