ପ୍ରଧାନମନ୍ତ୍ରୀ ଆବାସ ଯୋଜନା : ଲାଞ୍ଚ ନ ଦେବାକୁ ଏନ୍ଏସି ଅଧ୍ୟକ୍ଷାଙ୍କ ତାଗିଦ

 ଖଣ୍ଡପଡ଼ା : ଖଣ୍ଡପଡ଼ା ଏନ୍ଏସି କାର୍ଯ୍ୟାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ପାଇବା ନିମନ୍ତେ ୧୦୨ ଜଣ ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇବା ପରେ ଉକ୍ତ ତାଲିକାରେ ଅନେକ ଅଯୋଗ୍ୟ ହିତାଧିକାରୀଙ୍କ ନାମ ଥିବାରୁ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଏପରିକି ବିଶିଷ୍ଟ ବ୍ୟବସାୟୀ ,ଏକର ଏକର ଜମିବାଡି, ଲକ୍ଷ ଲକ୍ଷ ଟଙ୍କା ବ୍ୟାଙ୍କ ବାଲାନ୍ସ ଥିବା ଲୋକମାନଙ୍କର ନାମ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ତାଲିକାରେ ସ୍ଥାନ ପାଇଥିଲା । ଏପରିକି ହିତାଧିକାରୀ ଚୟନରେ ହୋଇଥିବା ଦୁର୍ନୀତିକୁ ନେଇ ମାଳମାଳ ଅଭିଯୋଗ ପତ୍ର ଏନଏସି କାର୍ଯ୍ୟାଳୟରେ ପହଞ୍ଚିଥିଲା ବେଳେ ମହିଳା ସଂଗଠନର ସଦସ୍ୟମାନେ ଏନଏସି କାର୍ଯ୍ୟାଳୟରେ ପହଞ୍ଚି ପାଟିତୁଣ୍ଡ କରିଥିଲେ । ଖଣ୍ଡପଡ଼ା ଏନଏସି ଅଧକ୍ଷା ଆରତୀ ପ୍ରଧାନ ଏ ସଂର୍ପକରେ ଅବଗତ ହେବା ପରେ ଏବେ ମୁହଁ ଖୋଲିଛନ୍ତି । ଆବାସ  ଯୋଜନାରେ ବାସଗୃହ ପାଇବା ନିମନ୍ତେ ଏନଏସି କାର୍ଯ୍ୟାଳୟର କର୍ମଚାରୀଙ୍କୁ ନତୁବା ଅନ୍ୟ କାହାରିକୁ ଲାଞ୍ଚ  କିମ୍ୱା ହାତଗୁଞ୍ଜା ନଦେବା ପାଇଁଁ  ଅଧ୍ୟକ୍ଷା ଶ୍ରୀମତି ପ୍ରଧାନ ଖଣ୍ଡପଡ଼ା ସହରାଞ୍ଚଳବାସୀଙ୍କୁ ନିବେଦନ କରିବା ସହ ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି ।ଏନଏସି ଅଧ୍ୟକ୍ଷାଙ୍କ ତାଗିଦକୁ ବୁଦ୍ଧିଜୀବୀ ମହଲରୁ ସ୍ୱାଗତ କରାଯାଇଥିବା ବେଳେ, ଏ ନେଇ ସହର ସାରା ସବୁଠି ଚର୍ଚ୍ଚା ହେଉଛି ।