ପ୍ରଶାସନିକ ନାଲିଫିତା ତଳେ ଏନ୍ଏସି
କାକଟପୁର: ପୂର୍ବ ସରକାର ରାଜ୍ୟରେ ନୂଆ ଏନ୍ଏସି ଘୋଷଣା କରିଥିବା ବେଳେ, ପୁରୀ ଜିଲ୍ଲା କାକଟପୁର ମଧ୍ୟ ପ୍ରସ୍ତାବିତ ଏନ୍ଏସି ଘୋଷଣାରେ ରହିଥିଲା । ୨୦୨୪ ଫେବୃଆରୀ ୨୯ ତାରିଖରୁ କାକଟପୁର ଅଞ୍ଚଳ ସଚେତନ ନାଗରିକ, ବୁଦ୍ଧିଜୀବୀ ଓ ବିଭିନ୍ନ ସଂଗଠନର ଯୁବବନ୍ଧୁ ମାନେ ଏନ୍ଏସି ଘୋଷଣା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନିବାସ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ । ଏହା ସହ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଏନ୍ଏସି ଘୋଷଣା ପାଇଁ ପ୍ରସ୍ତାବ ଦିଆଯାଇଥଲା । ଯାହାଫଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାକଟପୁରକୁ ଏନଏସି ଭାବେ ଘୋଷଣା ମଧ୍ୟ କରିଥିଲେ । ଘୋଷଣା ପରେ ସର୍ଭେ କାର୍ଯ୍ୟ ଆରମ୍ଭ କରାଯିବାର ସୂଚନା ମିଳିଥିଲା । ମାତ୍ର ରାଜ୍ୟରେ ସାଧାରଣ ନିର୍ବାଚନ ଘୋଷଣା ଯୋଗୁଁ କାର୍ଯ୍ୟ ବନ୍ଦ ରହିଥିଲା । ନୂତନ ସରକାର ଦାୟିତ୍ୱ ଗ୍ରହଣ କରିବା ପରେ ଏନ୍ଏସି ପ୍ରସଙ୍ଗ କାର୍ଯ୍ୟକାରୀ ହେବାକୁ ଯାଉଛି । କିନ୍ତୁ ସ୍ଥାନୀୟ ପ୍ରଶାସନର ଉଦାସୀନତା ମନୋଭାବ ପାଇଁ ଆଜି ପର୍ଯ୍ୟନ୍ତ ଉକ୍ତ ପ୍ରସଙ୍ଗରେ କୌଣସି ଅଗ୍ରଗତି ହେଉନଥିବାରୁ ଏହା ପ୍ରଶାସନିକ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳି ନିଦେ୍ର୍ଦଶ କରୁଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଦଃଖ ପ୍ରକାଶ କରିଛନ୍ତି । ବିଡିଓ ଓ ତହସିଲଦାର ଏହି ଘଟଣାକୁ ଗୁରୁତର ସହ ନେବା ସହ ସର୍ଭେ କାର୍ଯ୍ୟ ଆରମ୍ଭ କରିବାକୁ ତୁରନ୍ତ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।