ଛଟେଇ ଗୃହରକ୍ଷୀଙ୍କୁ ପୁନଃ ନିଯୁକ୍ତି ଦାବି
ବାଲେଶ୍ୱର : ଛଟେଇ ହୋଇଥିବା ସାତ ଜଣ ଗୃହରକ୍ଷୀଙ୍କୁ ପୁନଃ ନିଯୁକ୍ତି ନେଇ ନିଖିଳ ଉକôଳ ଗୃହରକ୍ଷୀ ମହାସଂଘର ଦାମଦରପୁର ସ୍ଥିତ କନକଦୁର୍ଗା ମଣ୍ଡପ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିନା କାରଣରେ ସାତଜଣ ଗୃହରକ୍ଷୀଙ୍କୁ ଛଟେଇ କରାଯାଇଥିଲା । ଏ ନେଇ ଛଟେଇ ଗୃହରକ୍ଷୀ ବାରମ୍ବାର ଏସ୍ପିଙ୍କୁ ଗୁହାରି ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ଏଥିସହ ଗତ ମାର୍ଚ୍ଚ ୧ ତାରିଖ ଦିନ ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛଟେଇ ସାତଜଣ ଗୃହରକ୍ଷୀ ଧାରଣାରେ ବସିଥିଲେ । ଏସ୍ପି ତାଙ୍କ କଥା ବୁଝିବାର ପ୍ରତିଶ୍ରୁତି ଦେଇ ତାଙ୍କୁ ଧାରଣାରୁ ଉଠାଇ ଦେଇଥିଲେ । ପରେ ସେମାନଙ୍କ କଥା ବୁଝିବା ପରିବର୍ତ୍ତେ ଟାଳଟୁଳ କରି ଚାଲିଛନ୍ତି । ତେବେ ସେମାନଙ୍କୁ ପୁନଃ ନିଯୁକ୍ତି ଦେବା, ବକେୟା ଏରିୟର ବିଲ୍ ପ୍ରଦାନ କରିବା ପାଇଁ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଥିଲା । ସାତ ଦିନ ମଧ୍ୟରେ ସେମାନଙ୍କୁ ପୁନଃ ନିଯୁକ୍ତି ଏବଂ ଏରିୟର ବିଲ୍ ପ୍ରଦାନ କରାନଗଲେ ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିବେ ବୋଲି ମହାସଂଘ ପକ୍ଷରୁ ସୂଚନା ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଛଟେଇ ଗୃହରକ୍ଷୀ କାଳୀଚରଣ ରଣା, ମମତା ଶର୍ମା, ରାଧାକୃଷ୍ଣ ଜେନା, ବିଶ୍ୱନାଥ ଜେନା, ଦେବେନ୍ଦ୍ର ଦେ, ହରେନ୍ଦ୍ର ଜେନା ଓ ସୁରେନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।