ଶୀତଳଷଷ୍ଠୀ ଯାତ୍ରା ପାଇଁ ଉଠିଲା ଥାଳ

ଶୀତଳଷଷ୍ଠୀ ଯାତ୍ରା ପାଇଁ ଉଠିଲା ଥାଳ

ସମ୍ବଲପୁର: ଦେବ ଦେବ ମହାଦେବ ଶିବ-ଦେବୀ ପାର୍ବତୀଙ୍କ ପରିଣୟ ଉପରେ ଆଧାରିତ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ପ୍ରସ୍ତୁତି ଧୀରେ ଧୀରେ ଆରମ୍ଭ ହେବାରେ ଲାଗିଛି । ଶୁକ୍ରବାର ପବିତ୍ର ଅକ୍ଷୟ ତୃତୀୟ ତିଥିରେ ଥାଳ ଉଠା ପର୍ବ ସହିତ ଯାତ୍ରା ପାଇଁ ବିଧି ଅନୁଯାୟୀ ଆନୁଷ୍ଠାନିକ ପ୍ରସ୍ତୁତି ଅନୁକୂଳ ହୋଇଛି । ଶିବ-ପାର୍ବତୀଙ୍କ ବିବାହ ପାଇଁ ବରପକ୍ଷ ଭୂମିକା ନିର୍ବାହ ସକାଶେ ଆଗରୁ ଧାଡିରେ ଥିବା ଦମ୍ପତି ଚୟନ ଓ ସେମାନଙ୍କ ଦ୍ୱାରା ସଂକଳ୍ପ ବିଧି ଅନୁଷ୍ଠିତ ହୋଇଥିଲା । ପୂଜକ, ପୁରୋହିତ, କର୍ତାବୃନ୍ଦ, ଯାତ୍ରା କମିଟୀର କର୍ମକର୍ତା ଓ ସ୍ୱେଛାସେବୀ ଏଥିରେ ଯୋଗ ଦେଇଥିଲେ । ଏହି ଅବସରରେ ଝାଡ଼ୁଆପଡ଼ାର ଶ୍ରୀ ଶ୍ରୀ ଲୋକନାଥଙ୍କ ମନ୍ଦିରରେ ଜଳଶାୟୀ ଅନୁଷ୍ଠିତ ହୋଇଥିଲା । ବରାଡ଼ ବାଲୁଙ୍କେଶ୍ୱରଙ୍କ ବିବାହ ପାଇଁ ନନ୍ଦପଡ଼ାର ରାମ ପ୍ରସାଦ ମିଶ୍ର ଓ ବବିତା ମିଶ୍ର ବରପିତାମାତା  ଚାରଭାଟିର ସୁମନ୍ତ ପଣ୍ଡା ଓ ନିତିପି୍ରୟା ଦେବୀ କନ୍ୟା ପିତାମାତା ଭୂମିକା ଗ୍ରହଣ କରିଥିଲେ । ମନ୍ଦିରରେ ଥାଳ ଉଠାବିଧିରେ ପଣ୍ଡିତ ଆଲୋକ ପଣ୍ଡା ମନ୍ତ୍ରୋଚ୍ଚାରଣ କରିଥିଲେ । ଲୋକନାଥ ବାବା ଓ ଦେବୀ ପାର୍ବତୀଙ୍କ ବିବାହ ପାଇଁ ଅମରନାଥ ସୂପକାର ଓ ଅମୟ ସୂପକାର ବରପିତାମାତା ଏବଂ କନ୍ୟାପିତାମାତା ଭୂମିକା ନେଉଥିବା ଆ"ର୍ଜାତୀୟ କ୍ରିକେଟ ତାରକା ଦେବାଶୀଷ ମହାନ୍ତି ଓ ତାଙ୍କ ପତ୍ନୀ ରିତିମୁକ୍ତା ମହାନ୍ତି ସଂକଳ୍ପ ପୂଜାରେ ଯୋଗ ଦେଇଥିଲେ । ପଣ୍ଡିତ ମହେନ୍ଦ୍ର କୁମାର ପୂଜାରୀ ଏହାକୁ ସଂଯୋଜନା କରିଥିଲେ ।  ପଣ୍ଡିତ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଏହାକୁ ପରିଚାଳନା କରିଥିଲେ । ଏହି ଅବସରରେ ମନ୍ଦିରରେ ପଣ୍ଡିତମାନଙ୍କ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଶିବ ପାର୍ବତୀଙ୍କ ପୂଜା କରାଯାଇଥିଲା । 
ଆଗାମୀ ଜ୍ୟେଷ୍ଠମାସ ଶୁକ୍ଲ ପକ୍ଷ ପଞ୍ଚମୀ ତିଥି ଜୁନ ୧୦ ତାରିଖ ରାତି ଶିବ-ପାର୍ବତୀଙ୍କ ପରିଣୟ ଅନୁଷ୍ଠିତ ହେବ । ୧୧ ତାରିଖ  ଶୀତଳଷଷ୍ଠୀ ତିଥିରେ ନବ ପରିଣତ ଦେବଦେବୀ ମନ୍ଦିର ବେଢ଼ାକୁ ପ୍ରତ୍ୟାବର୍ତନ କରିବେ । ୧୨ ତାରିଖ ଅପରାହ୍ନରେ ଦେବଦମ୍ପତିଙ୍କ ଗମ୍ଭୀରା ପ୍ରବେଶ କାର୍ଯ୍ୟକ୍ରମ ରହିଛି । 
ଏହି ଅବସରରେ ଲୋକସଭାର ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେଡ଼ି ପ୍ରାର୍ଥୀ ତଥା ବିଧାୟକ ପ୍ରଣବପ୍ରକାଶ ଦାଶ (ବବି), ସ୍ଥାନୀୟ ବିଧାନସଭା ଆସନ ବିଜେପି ପ୍ରାର୍ଥୀ ତଥା ବିଧାୟକ ଜୟନାରାୟଣ ମିଶ୍ର, ବିଜେଡ଼ି ପ୍ରାର୍ଥୀ ତଥା ବିଧାୟକ ରୋହିତ ପୂଜାରୀ, ଜାତୀୟ କଂଗ୍ରେସ ପ୍ରାର୍ଥୀ ଦୁର୍ଗା ପ୍ରସାଦ ପାଢ଼ୀଙ୍କ ସମେତ ବହୁ କର୍ମକର୍ତ୍ତା ନନ୍ଦପଡ଼ା, ଝାଡ଼ୁଆପଡ଼ା, ମୁଦିପଡ଼ା, ବାଲିବନ୍ଧା ଶିବ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ ।