ପ୍ଲେ ସ୍କୁଲ ଉଦ୍ଘାଟିତ

ବଡ଼ସାହି : ବଡ଼ସାହି ବ୍ଲକ୍ ଅନ୍ତର୍ଗତ ପାଉଁଶିଆ ପଞ୍ଚାୟତ କାଣିମହୁଲି ଗ୍ରାମର ଶ୍ରୀ ବିଦ୍ୟାବିହାର ପବ୍ଲିକ ସ୍କୁଲ ଅନୁବନ୍ଧିତ ଭାବେ ସ୍ଥାନୀୟ ବଡ଼ସାହି ବଜାର ମଧ୍ୟରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଛୋଟ ଛୋଟ ପିଲା ମାନଙ୍କ ଉଦେ୍ଦଶ୍ୟରେ ଏକ ପ୍ଲେ ସ୍କୁଲ ଖୋଲିଲା । ଏହାକୁ ସ୍ଥାନୀୟ ଅଞ୍ଚଳରେ ସ୍ୱାଗତ କରାଯାଇଥିବା ଦେଖାଯାଉଛି । ବିଦ୍ୟା ବିହାର ସ୍କୁଲର ପ୍ରତିଷ୍ଠାତା ଦୟାନିଧି ମହାନ୍ତ ଓ ସମ୍ପାଦକ ଦିଲ୍ଲୀପ କୁମାର ପାତ୍ର ଉକ୍ତ ପ୍ଲେ ସ୍କୁଲକୁ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ବିଦ୍ୟା ବିହାର ପବ୍ଲିକ ସ୍କୁଲର ଅଧ୍ୟକ୍ଷ କୃତ୍ତିବାସ ଦାସଙ୍କ ପୌରହିତ୍ୟରେ ଏବଂ ପ୍ଲେ ସ୍କୁଲର ଅଧ୍ୟକ୍ଷ ଜ୍ଞାନରଞ୍ଜନ ସାରଙ୍କ ଆୟୋଜନ କ୍ରମେ ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟ ପ୍ରଶାସକ ସନ୍ଦୀପ ସାମଲ, ବିକାଶ ମହାପାତ୍ର, ରତନୀ ମହାନ୍ତ, ବଡ଼ସାହି ପଞ୍ଚାୟତର ସମିତି ସଭ୍ୟା ମାମିନା ମୁର୍ମୁ, ଶିକ୍ଷାବିତ୍ ସୁଶିଲ ଉପାଧ୍ୟାୟ, ଶଚିନ୍ଦ୍ର ବିଶ୍ୱାଳ, ସାମ୍ବାଦିକ ଅମିୟ ବଳା, ପୂର୍ବତନ ବଡ଼ସାହି ବିଧାୟକ ଗଣେଶ୍ୱର ପାତ୍ର ଏବଂ ଅନ୍ୟମାନେ ଉପସ୍ଥିତ ରହି ସ୍କୁଲର ଆବଶ୍ୟକତା ସମ୍ପର୍କିତ ବକ୍ତବ୍ୟ ରଖିଥିଲେ । ଆଜିର ଶିଶୁକୁ କାଲିର ନାଗରିକ ଭାବେ ଗଢ଼ିବା ପାଇଁ ଶିକ୍ଷାର ମାନ ବୃଦ୍ଧି ନିମିତ୍ତ ଇଂରାଜୀ ମାଧ୍ୟମ ସ୍କୁଲର ଆବଶ୍ୟକତାକୁ ଉପଲବ୍ଧି କରି ଆସିବା, ବସିବା, ମିଶିବା, ଖେଳିବାର ଆଗ୍ରହ ବୃଦ୍ଧି ପାଇଁ ଶ୍ରୀ ବିଦ୍ୟା ବିହାର ପବ୍ଲିକ ସ୍କୁଲ୍ ପକ୍ଷରୁ ନୂତନ ଭାବେ ପ୍ଲେ ସ୍କୁଲ ଖୋଲାଯାଇଛି ବୋଲି ଅତିଥିଗଣ ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିବା ସହ ସ୍କୁଲର ଉନ୍ନତି କାମନା କରିଥିଲେ ।