ଫଳକ ଭାଙ୍ଗି ସମିତିସଭ୍ୟଙ୍କ ସହ ୨ ସହଯୋଗୀ ଗିରଫ
ଭଦ୍ରକ: ଭିତ୍ତି ପ୍ରସ୍ତର ଫଳକରେ ସରପଞ୍ଚଙ୍କ ଓ ସମିତି ସଭ୍ୟଙ୍କ ନାମ ନଥିବାରୁ ଫଳକ ଭାଙ୍ଗିବା ଘଟଣାର ଆଉ ଏକ ନୂଆ ମୋଡ଼ ନେଇଛି । ଏତଲା ପରେ ସମିତି ସଭ୍ୟ ଓ ତାଙ୍କ ସହ ୨ ଜଣ ସହଯୋଗୀଙ୍କୁ ପୋଲିସ ଗିରଫ୍ କରି କୋର୍ଟ ଚାଲାଣ କରିଛି । ଖବର ଅନୁଯାୟୀ ଭଦ୍ରକ ବ୍ଲକ ଅଧିନ ଅଣ୍ଢେଇପଲ୍ଲୀ ପଞ୍ଚାୟତର ମିନତୀ ଦେବୀ ଉଚ୍ଚ ବାଳିକା ବିଦ୍ୟାଳୟ ଶ୍ରେଣୀ ଗୃହର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଶୁଭ ଭିତ୍ତି ପ୍ରସ୍ତାର ସ୍ଥାପନ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା । ଏହି ପ୍ରକଳ୍ପର ଆନୁମାନିକ ମୂଲ୍ୟ ପ୍ରାୟ ୩୫ ଲକ୍ଷ ଥିଲା । କିନ୍ତୁ ଏହି ଫଳକରେ ସରପଞ୍ଚ ଓ ସମିତି ସଭ୍ୟଙ୍କ ନାମ ନଥିଲା । ଏହାକୁ ନେଇ ସରପଞ୍ଚ, ସମିତି ସଭ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ । ପରେ ସରପଞ୍ଚ, ସମିତି ସଭ୍ୟ ଓ ତାଙ୍କ ସହଯୋଗୀମାନେ ସେଠାକୁ ଯାଇ ହୋ ହାଲ୍ଲା କରିବା ସହ ଫଳକକୁ ଭାଙ୍ଗି ଥିଲେ ।
ତେବେ ଏହି ଘଟଣା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ଅଭିଯୋଗ ଆଧାରରେ ସମିତି ସଭ୍ୟଙ୍କ ସହ ୨ ଜଣ ସହଯୋଗୀଙ୍କୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ତେବେ ୧୪୯/୨୫ ନଂ ମାମଲା ମୂଳେ ସମିତି ସଭ୍ୟ ଦଶରଥ ସେଠୀ, ସହଯୋଗୀ ତପନ ବାରିକ ଓ ମହେଶ୍ୱର ଜେନାଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।