ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ

କେନ୍ଦୁଝର : ସୋମବାର କେନ୍ଦୁଝର ଫାଷ୍ଟ ଟ୍ରାକ୍ କୋର୍ଟ ର ବିଚାରପତି ବିଜୟ କୁମାର ମିଶ୍ର ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ହରିଚନ୍ଦନପୁର ଥାନା ଅନ୍ତର୍ଗତ ବଡପଳାଶପାଳ ଗ୍ରାମର ଅଭିଯୁକ୍ତ ଦୀପ୍ତରଞ୍ଜନ ମହାକୁଡ କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହ ପୀଡିତାକୁ ୭ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ପାଇଁ ଆଇନ ସେବା ପ୍ରାଧିକରଣଙ୍କୁ ସୁପାରିଶ କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ୨୦୨୩ ମସିହା ଜାନୁଆରୀ ମାସରେ ୧୪ ବର୍ଷର ନାବାଳିକା ପୀଡିତାଙ୍କୁ ବିବାହର ପ୍ରତିଶୃତି ଦେଇ ଅଭିଯୁକ୍ତ ଜଣକ ବାରମ୍ବାର ଦୁଷ୍କର୍ମ କରି ୨ ମାସର ଅନ୍ତସତ୍ତ୍ୱା କରିବା ସହ ଏକଥା କାହାକୁ କହିଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲା । ପୀଡିତା ଗର୍ଭବତୀ ହେବା ପରେ ଏକଥା ତାର ବାପା ମାଆକୁ କହିବାରୁ ପୀଡିତାର ବାପା ମାଆ ଅଭିଯୁକ୍ତ ଘରେ ଏ ଘଟଣା ସଂପର୍କରେ ଜଣାଇବାରୁ ସେମାନେ ଝିଅକୁ ୫ହଜାର ଟଙ୍କା ଦେଇ ଗୁଜୁରାଟ ପଳା ବୋଲି କହିବାରୁ ପୀଡିତାର ବାପା ହରିଚନ୍ଦନପୁର ଥାନାରେ ତା ୨୪ା୫ା୨୩ ରିଖରେ ଏକ ଲିଖିତ ଅଭିଯୋଗ କରିଥିଲେ । ହରିଚନ୍ଦନପୁର ପୋଲିସ ଥାନା କେଶ ୬୮ ୨୪ା୫ା୨୩ ତାରିଖରେ ଏକ ମକଦ୍ଦମା ରୁଜୁ କରି ଅନୁସନ୍ଧାନ କରିବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲେ । ସୋମବାର ଫାଷ୍ଟ ଟ୍ରାକ୍ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ୧୩ ଜଣ ସାକ୍ଷ୍ୟ ଓ ସେତେବେଳର ପୋଲିସ ଅନୁସନ୍ଧାନ ରିପୋର୍ଟକୁ ଭିତ୍ତି କରି ଅଭିଯୁକ୍ତକୁ ଦୋଷୀ ପାଇବା ସହ ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି । ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପିପି ଜ୍ଞାନେନ୍ଦ୍ର ନାଥ ଜେନା କୋର୍ଟ ପରିଚାଳନା କରୁଥିଲେ ।