ବାଲି ବୋଝେଇ ହାଇୱା ଜବତ କରିବାରୁ ବଦଳିଲେ ଥାନାବାବୁ

ଜଗତସିଂହପୁର :  ତିର୍ତ୍ତୋଲ ପୋଲିସ ପକ୍ଷରୁ ଭାରପ୍ରାପ୍ତ ଥାନା ଅଧିକାରୀ ସବଇନ୍ସ୍ପେକ୍ଟର ଅନିରୁଦ୍ଧ ରାଉତ ଗତକାଲି ବିଳମ୍ବିତ ରାତିରେ ପାଟ୍ରୋଲିଂ ସମୟରେ ବିନା ଟ୍ରାଞ୍ଜିଟ୍ ପାସ୍ରେ ଏକ ବେଆଇନ ବାଲି ବୋଝେଇ ହାଇୱାକୁ ଜବତ କରି ଥାନାରେ ଅଟକ ରଖିଥିଲେ । ହାଇୱା ଜବତ କରିବାରୁ ଶ୍ରୀଯୁକ୍ତ ରାଉତଙ୍କ ପାଇଁ କାଳ ହେଲା । ରାତିଯାକ ପୋଲିସ ବାବୁଙ୍କର ନିଦ ହଜିଯାଇଥିଲା । ଯେତେବେଳେ ଜାଣିଲେ ଯେ ଶାସକ ଦଳର ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ଜବତ ହାଇୱା ମାଲିକଙ୍କର ସମ୍ପର୍କ ଅତି ଘନିଷ୍ଠ । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ରାଉତଙ୍କୁ ତିର୍ତ୍ତୋଲରୁ ଜଗତସିଂହପୁର ମୁଖ୍ୟ କାର୍ଯ୍ୟାଳୟକୁ ଚିଠି ନମ୍ବର ୯୧୧୨ରେ ତୁରନ୍ତ ବଦଳି କରିଥିବା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।  ଜବତ ହାଇୱା ନମ୍ବର ଓଡି୦୯ସି-୭୫୮୪କୁ ଛଡାଇବା ପାଇଁ ଜନୈକ ବିଜେପିର ପ୍ରଭାବଶାଳୀ ନେତା ପୋଲିସ ଉପରେ ଚାପ ପ୍ରୟୋଗ କରୁଥିବା ଜଣାପଡିଥିଲା । ନେତା, ପୋଲିସ ଓ ମାଇନ୍ସ ଅଧିକାରୀଙ୍କ ମଧ୍ୟରେ ଜବତ ବାଲିବୋଝଇ ହାଇୱାକୁ ଛଡାଇବା ପାଇଁ ଚାଲିଥିଲା ମସୁଧା । ସୂଚନାଥାଉକି, ବେଆଇନ ବାଲି ବୋଝେଇ ହାଇୱା ପାରାଦ୍ୱୀପ ଅଭିମୁଖେ ଯାଉଥିଲା । ବିନା ପେପରରେ ଓ ବିନା ଟ୍ରାଞ୍ଜିଟ୍ ପାସରେ ଅଢାପତି ବାଲି ଘାଟରୁ ବାଲି ଆଣି ପାରାଦ୍ୱୀପ ଆଭିମୁଖେ ଯାଉଥିଲା । ତିର୍ତ୍ତୋଲ ହାଇୱାକୁ ଜବତ କରି ଥାନାରେ ଅଟକ ରଖିଥିଲା । ଏ ସମ୍ପର୍କରେ ତିର୍ତ୍ତୋଲ ପୁଲିସ ମୁହଁ ଖୋଲୁନଥିବାବେଳେ ଜଗତସିଂହପୁର ମାଇନ୍ସ ଅଧିକାରୀ ତଦନ୍ତ କରାଯିବ ବୋଲି କହିଥିଲେ ।