ବକେୟା ଟଙ୍କା ମାଗିବାରୁ ହଣାକଟା
ବାଲିଅନ୍ତା : ବକେୟା ଟଙ୍କା ମାଗିବାକୁ କେନ୍ଦ୍ରକରି ବାଳକାଟି ଫାଣ୍ଡି ଅଧିନ ସାଇଫୋନ ସ୍ଥିତ ଭାର୍ଗବୀ ନଦୀବନ୍ଧ ବାମପାର୍ଶ୍ୱ ବସ୍ତିରେ ହଣାକଟା ହୋଇଛି । ଏଥିରେ ୩ ଜଣ ଗୁରୁତର ହୋଇଥିବା ବେଳେ, ଜଣେ ଫେରାର ଥିବା ଜଣାପଡିଛି । ଗୁରୁତର ଆହତ ହେଲେ ସମ୍ପୃକ୍ତ ବସ୍ତିରେ ରହୁଥିବା ସନାତନ ଦାଶ, ତାଙ୍କ ପୁଅ ସୁନୀଲ ଦାଶ ଏବଂ ଖଣ୍ଡଗିରି ଥାନା ଯଦୁପୁର ଅଞ୍ଚଳର ଏସ୍କେ ଜାଭେଦ । ଖବର ନେବାରେ ଜଣାପଡିଛି ସନାତନ ଗତ ୧୫ ଦିନ ତଳେ ଏସ କେ ଜାଭେଦଙ୍କୁ ଏକ ଅଟୋ ବିକ୍ରି କରିଥିଲେ । ବିକ୍ରି ସମୟରେ ଜାଭେଦ କିଛି ପଇସା ଦେଇଥିବା ବେଳେ, ଆଉ କିଛି ପଇସା ବାକି ରଖିଥିଲେ । ଏହି ପଇସା ଦେବାପାଇଁ ଜାଭେଦ ଦିନ ପରେ ଦିନ ଗଡେଇ ଚାଲିଥିଲା । ଆସନାତନ ଜାଭେଦ ଏବଂ ତା ସାନଭାଇ ଏସ୍କେ ଡାନିସଙ୍କୁ ଖାଇବା ନିମନ୍ତେ ଘରକୁ ଡାକିଥିଲେ । ସେଠାରେ ଉଭୟ ସନାତନ ଓ ଜାଭେଦଙ୍କ ମଧ୍ୟରେ ଏହି ବକେୟା ଟଙ୍କାକୁ ନେଇ କଥା କଟାକଟି ହୋଇଥିଲା । ଏହା କାଳକ୍ରମେ ଉଗ୍ରରୂପ ଧାରଣ କରିଥିଲା । ପରେ ସନାତନ, ପୁଅ ସୁନୀଲ ଏବଂ ଜାଭେଦ ଓ ତା ଭାଇ ଡାନିସଙ୍କ ମଧ୍ୟରେ ଭୀଷଣ ପାଟିତୁଣ୍ଡ ହେବା ସହ ମାରଣାସ୍ତ୍ରରେ ଆକ୍ରମଣ ପ୍ରତ୍ୟାକ୍ରମଣ ହୋଇଥିଲେ । ଫଳରେ ଘଟଣା ସ୍ଥଳ ରକ୍ତ ରଞ୍ଜିତ ହୋଇଥିଲା । ଖବରପାଇ ବାଳକାଟି ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ସନାତନ, ସୁନୀଲ ଏବଂ ଜାଭେଦଙ୍କୁ ଉଦ୍ଧାର କରି ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ, ଡାନିସ ପଳାଇଥିବା ଜଣାପଡିଛି । ସେଠାରେ ଜାଭେଦଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ରାଜଧାନୀ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏନେଇ ଉଭୟ ପକ୍ଷରୁ ଅଭିଯୋଗ ହୋଇଛି । ପୁଲିସ ଉଭୟ ପକ୍ଷରୁ ଅଭିଯୋଗ ପାଇ ତଦନ୍ତ ଚଲାଇଛି ।