ବଢୁଛି ବାଲି ଚୋରା ଚାଲାଣ

 ଛେଣ୍ଡିପଦା :  ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ରାତି ହେଲେ ଶହ ଶହ ଟିପ୍ପର ଓ  ହାଇୱା ଗାଡିରେ ବାଲି ମାଫିଆ ମାନେ ବେଆଇନଭାବେ ବାଲି ଲୁଟ କରି ବିକ୍ରିକରୁଥିବା ଅଭିଯୋଗ ହୋଇଛି  । ବେଆଇନ ବାଲି ଚୋରୀ ହେଉଥିଲେବି ପ୍ରଶାସନ ଏବିଷୟରେ ସବୁ ଜାଣିଶୁଣି ଚୁପ ରହୁଥିବା ବୁଦ୍ଧି ଜୀବିମହଲରେ ଆଲୋଚନା ହେଉଛି  । ଏହି ବାଲି ସାବୁ ଛେଣ୍ଡିପଦା ତହସିଲ୍ ଅଞ୍ଚଳରେ ଥିବା ମଣ୍ଡୁଆ ବାଲି ଘାଟରୁ ଜେଆଇଟିପିଏଲ କଣିହାଁ ଓ ଜେଏସପିଏଲ ନିଶା ସହିତ ବିଭିନ୍ନ ଠିକାଦାର ପାଖକୁ ଯାଉଥିବା ବେଳେ ସାଧାରଣ ଲୋକ ବାଲି ପାଇପାରୁନାହାଁନ୍ତି ଏବଂ ବାଲି ଚଢା ଦରରେ କିଣିବାକୁ ପଡୁଛି  । ବିଶେଷକରି ଗରିବ ପରିବାରର ଲୋକଟେ ଘର ଖଣ୍ଡିକ ପାଇଁ ସରକାରଙ୍କ ମୋ କୁଡିଆ, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଆବାସ କରିବା ନିମନ୍ତେ ବାଲି ପାଇଁ ଚଢା ଦରରେ ବାଲି କିଣିବାକୁ ପଡୁଛି  । ଅନ୍ୟପଟେ ପ୍ରଶାସନ ରାଜସ୍ୱ ହରାଉ ଥିବା ବେଳେ ବାଲି ମାଫିଆ ମାନେ ବାଲି ଚୋରୀ କରି ରାତା ରାତି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ରୋଜଗାର କରୁଛନ୍ତି  । ଗରିବ ଲୋକ ଗରିବରୁ ଅତି ଗରିବ ହେଉଥିବା ବେଳେ ପ୍ରଶାସନର ପକେଟ୍ ଗରମ ହେଉଥିବା ଅଭିଯୋଗ ହେଉଛି  । ଅନ୍ୟ ପକ୍ଷେ ବୁଢ଼ାପାଳ ଘାଟରୁ ରାତି ୧୧/୧୨ ରେ ପ୍ରତିଦିନ ଶହ ଶହ ଗାଡି ଲୋଡିଂ ହୋଇ ଏ ଅଂଚଳ କୁ ଆସି ନାହିଁ ନ ଥିବା ଦାମ୍ ରେ ବିକ୍ରି କରୁଥିବା ବେଳେ ସରକାରଙ୍କର ରାଜସ୍ୱ ହାନି ହେଇଛି  । କିନ୍ତୁ ପୁଲିସ, ପ୍ରଶାସନ ଓ ତହସିଲ ସହିତ ଖଣି ବିଭାଗ ପକ୍ଷରୁ ସେହି ଅଂଚଳ କୁ ଯାଇ ପାରୁ ଥିବା ବେଳେ କାହିଁକି କେ ଜାଣି କିଛି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନାହାନ୍ତି ତାହା ଆଉ ଅଛପା ରହି ପାରୁନାହିଁ   । ତେବେ ୨୩ ତାରିଖ ଦିନ ରାତିରେ ମଣ୍ଡୁଆ ଘଟକୁ କୁଆଡେ କଣିହାଁ ପୁଲିସ, ତହସିଲଦାର ଓ ଖଣି ବିଭାଗ ପକ୍ଷରୁ ଯାଇଥିଲେ ମଧ୍ୟ ବାଲି ଗାଡି ଓ ଜେ ସି ବି ଓ ଚେନ୍ ମେସିନ କୁ ଜବତ ନ କରି ଫେରି ଯାଇଥିଲେ ବୋଲି କିଛି ଗାଡି ମାଲିକ ନିଜର ନାମକୁ ପ୍ରକାଶ ନ କରିବା ସର୍ତ୍ତରେ କହିଛନ୍ତି  । ତେବେ ବାଲି ମାଫିଆ ମାନଙ୍କ ଚୋରୀ କୁ ରୋକି ବାକୁ ବାଲି ଘାଟରେ ସି ସି କ୍ୟାମେରା ଲଗାଯିବା କଥା ତେବେ ଏହି ଦୁଇ ଘାଟରେ ସି ସି କ୍ୟାମେରା ଲଗା ଯାଇ ନ ଥିବା ବେଳେ ଯେଉଁ ଘାଟ ଗୁଡ଼ିକ ରେ ସି ସି କ୍ୟାମେରା ଲଗି ଅଛି ସେମାନଙ୍କୁ କୁଆଡ଼େ ରସିଦ ଖଣି ବିଭାଗ ପକ୍ଷରୁ ଦିଆଯାଉନଥିବା ଅଭିଯୋଗ ହେଉଛି  । ତେବେ ବେଆଇନ ଭାବେ ବାଲି ଘାଟ ଚଳାଉ ଥିବା ବାଲି ମାଫିଆ ମାନଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ସହିତ ବାଲି ଘାଟ ଖୋଲିବା ପାଇଁ ଟଙ୍କା ଜମା କରି କ୍ୟାମେରା ଲଗାଇ ଥିବା ବାଲି ଘାଟ ମାଲିକ ମାନଙ୍କୁ ତୁରନ୍ତ କାଗଜ ପତ୍ର ଯୋଗାଇ ଦେବାକୁ ଦାବୀ ହେଉଛି  । ଏ ବିଷୟରେ ପଚାରି ବୁଝିବା ପାଇଁ ଖଣି ବିଭାଗ କର୍ତୁପକ୍ଷଙ୍କ ମତାମତ ନିମନ୍ତେ ଚେଷ୍ଟା କରିଥିଲେ ମଧ୍ୟ ମତାମତ ମିଳିପାରି ନାହିଁ  । ଏହା ଉପରେ ଉଚ୍ଚ କର୍ତ୍ତୁପକ୍ଷ ଦୃଷ୍ଟି ଆକର୍ଷଣ କରିବା ପାଇଁ ଦାବୀ ହେଉଛି  ।