ବଢୁଛି ବୁଲା ଗାଈଙ୍କ ଦୌରାତ୍ମ୍ୟ
ବ୍ରହ୍ମଗିରି : ବ୍ରହ୍ମଗିରି-ପୁରି ଜିଲ୍ଲାର ବ୍ରହ୍ମଗିରିରୁ ସାତପଡା ଏକ ମୁଖ୍ୟ ଯାତାୟାତ ରାସ୍ତା ରୂପେ ବିବେଚନା କରାଯାଏ । ଏ ରାସ୍ତା ଦେଇ ପୁରି ରୁ ସାତପଡା ବ୍ରହ୍ମପୁର ଭାୟା ବ୍ରହ୍ମଗିରି ଶହଶହ ଟୁରିଷ୍ଟ ଗାଡି ଯାତାୟାତ କରିଥାଏ । ଓଡ଼ିଶା ରାଜ୍ୟରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳି ମଧ୍ୟରୁ ସାତପଡା ଓ ବ୍ରହ୍ମଗିରି ଅନ୍ୟତମ । ଚିଲିକାର ଅପରୂପ ସୌନ୍ଦର୍ଯ୍ୟ ସହିତ ଇରାଓଡି ଡଲଫିନ, ରାଜହଂସ, ସି ମାଉଥ, ଅଲାରନାଥ ଆଦି ପର୍ଯ୍ୟଟନସ୍ଥଳ ରହିଥିବାରୁ ଓ ଚିଙ୍ଗୁଡି ବ୍ୟବସାୟର ମୁଖ୍ୟ ଅଞ୍ଚଳ ହୋଇଥିବାରୁ ପ୍ରାୟତ ଏ ରାସ୍ତା ଚଳଚଞ୍ଚଳ ରହିଥାଏ । ପୁରି-ସାତପଡା ରାସ୍ତାରେ ଟୁରିଷ୍ଟ ଗାଡ଼ି ଗୁଡିକ ବୁଲାବୁଲି କରି ସନ୍ଧ୍ୟାରେ ଫେରନ୍ତି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ସଞ୍ଜ ନଇଁଲେ ଏହି ରାସ୍ତାରେ ଅଧିକାଂଶ ଯାଗରେ ପଲପଲ ଗାଈ, ହଢା, ବଳଦ ରାସ୍ତାରେ ଶୋଇ ଯାଆନ୍ତି । ଏହା ସହିତ ନିଜ ନିଜ ଭିତରେ ରାସ୍ତାରେ ଲଢେଇ ଆରମ୍ଭ କରିଦିଅନ୍ତି । ଯା ଦ୍ୱାରା ରାସ୍ତାରେ ଯାତାୟାତ କରୁଥିବା ଦୁଇଚକିଆ ଯାନ, ଚାରି ଚକିଆ ଯାନ, ସାଇକେଲ ଆରୋହୀଙ୍କ ସହ ଦୁର୍ଘଟଣା ହେବା ଫଳରେ ଚାଳକଙ୍କ ଜୀବନ ପ୍ରତି ବିପଦ ରହୁଛି । ଏବେ କିଛିଦିନ ପୂର୍ବେ ଏ ଭଳି ଏକ ଦୁର୍ଘଟଣାର ଏକ ଅମୂଲ୍ୟ ଜୀବନ ଚାଲିଯିବାର ନଜିର ରହିଛି । ପ୍ରତିଦିନ ଏ ରାସ୍ତା ଚଳ ଚଞ୍ଚଳ ଥିବାରୁ ଏ ବୁଲା ପଶୁଙ୍କ ପାଇଁ ଛୋଟ ବଡ ଯାନବାହାନ ଦୁର୍ଘଟଣା ହୋଇଥାଏ । ପ୍ରଶ୍ନ ଉଠେ ଏଥିନେଇ ପ୍ରତ୍ୟେକ୍ଷ ଓ ପରୋକ୍ଷରେ ଏଥିନେଇ ଦାୟୀ କିଏ? ଗୃହପାଳିତ ପଶୁଙ୍କ ରହିବା ପାଇଁ ଆବଶ୍ୟକ ଘରର ଅଭାବ ଯୋଗୁଁ ରାସ୍ତା ପାଖ ଗ୍ରାମ ବାସିନ୍ଦାମାନେ ସଂଧ୍ୟା ପରେ ନିଜ ଗାଇ ଗୋରୁଙ୍କୁ ଖୋଲି ଦିଅନ୍ତି,ଫଳରେ ଏମାନେ ରାସ୍ତା କୁ ଚାଲିଆସି ଗହଳି କରିବା ସହ ସେଠି ଶୋଇଯାଆନ୍ତି ।ଫଳରେ ଏ ସବୁ କୃତ୍ରିମ ଅସୁବିଧା ସୃଷ୍ଟି ହୁଏ । ଦୁତୀୟତ ଏ ସବୁ ଅଞ୍ଚଳ ରେ ବୁଲା ଗୋରୁଗାଈ ବାନ୍ଧି ନେଇ ରଖିବା ପାଇଁ କାଞ୍ଜିଆ ଗଦା ର ସୁବିଧା ନ ଥିବାରୁ ଏ ମାନେ ରାସ୍ତା ରେ ସେମିତି ଯାମ କରନ୍ତି । ତୃଣମୂଳ ସ୍ତରରୁ ଗ୍ରାମ ସଭାରେ ଉକ୍ତ ପ୍ରସଙ୍ଗ କୁ ନେଇ ଅଲୋଚନା କରିବା ଦରକାର ବୋଲି ପଣସପଦା ର ଯୁବ ବ୍ୟବସାୟୀ ଓ ସମାଜସେବୀ ସୁରିଲ ସାହୁ ମତ ରଖିଛନ୍ତି । ଦହିଖିଆ, ପଣସପଦା, ଗୋଲା, ସେରା, ଗୋପିନାଥପୁର, ସୁନାମୁହିଁ, କାଳିକାବାଡି ଛକ, ଢାବା ଛକ, ବ୍ରହ୍ମଗିରି ବଜାର ପ୍ରଭୁତି ଛକ ଏହି ବୁଲା ଗାଈଗୋରୁଙ୍କ ଆଡ୍ଡାସ୍ଥଳୀ ହୋଇଥିବାରୁ ଦୁର୍ଘଟଣାକୁ ଏଡେଇବା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ରୂପେ ଧ୍ୟାନ ଦେବାକୁ ସାଧାରଣରେ ଦାବି ହୋଇଛି ।