ବଢୁଛି ରାଇସ ମିଲ ମାଲିକ ଓ ସଭାପତିଙ୍କ ଦୌରାତ୍ମ୍ୟ : ଶାଳଦେଇ ପରେ ଝାଡ଼କୁଣ୍ଡିରେ ଆକ୍ରମଣ
ଆନନ୍ଦପୁର: ରାଇସ ମିଲ ମାଲିକ ଏବଂ ସଭାପତିଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଚାଷୀ ଏବଂ ଧାନ ନେଇ ଯାଉଥିବା ଟ୍ରାକ୍ଟର ମାଲିକଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଛି । ରାଜ୍ୟ ସରକାର ଧାନ କ୍ୱିଣ୍ଟାଲ ପ୍ରତି ୩୧୦୦ ଟଙ୍କା ଦର ଧାର୍ଯ୍ୟ କରିଛନ୍ତି । ଧାନ ଦେବାର ୪୮ ଘଣ୍ଟା ମଧ୍ୟରେ ଚାଷୀ ତାର ପ୍ରାପ୍ୟ ପାଉଛି । ଧାନ କିଣା କାରବାରରେ ସରକାର ସ୍ୱଛତା କ୍ଷେତ୍ରରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଚାଷୀ ମାନଙ୍କ ମୁହଁରେ ହସ ଫୁଟିଛି । ତେବେ ଏହାକୁ ଭଣ୍ଡୁର କରିବା ପାଇଁ କିଛି ନିର୍ଦିଷ୍ଟ ରାଜନୈତିକ ଦଳ ପକ୍ଷରୁ ଅପଚେଷ୍ଟା କରାଯାଉଛି । ଏଭଳି ଘଟଣା ଗତକାଲି ଘସିପୁରା ବ୍ଳକ ଶାଳଦେଇ ସେବା ସମବାୟ ସମିତିରେ ଦେଖାଯାଇଥିଲା । ଜଣେ ଚାଷୀ ଧାନ କାହିଁକି ରଖୁନାହଁ ବୋଲି ପ୍ରଶ୍ନ କରିବାରୁ ଉକ୍ତ ରାଇସ ମିଲ ସଭାପତି ସେହି ଚାଷୀଙ୍କୁ ମରଣାନ୍ତକ ଆକ୍ରମଣ କରି ଗୁରୁତର କରିଦେଇଥିଲେ । ଠିକ ଏହିପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଘସିପୁରା ଥାନା ଅନ୍ତର୍ଗତ ଝଡ଼କୁଣ୍ଡି ଠାରେ ଥିବା ଶ୍ୟାମସୁନ୍ଦର ରାଇସ ମିଲରେ ।ସୂଚନା ଅନୁଯାୟୀ ଏହି ଥାନା ଅଧିନ ଧାଉଡ଼ିଡିହା ଗ୍ରାମର ରାଜେସ ରାଉତ ନାମକ ଟ୍ରାକ୍ଟର ମାଲିକ ଧାନ ନେଇ ରାଇସ ମିଲକୁ ଧାନ ନେଇ ଯାଇଥିଲେ । ସେଠାରେ ମିଲ କର୍ମଚାରୀଙ୍କ ଦ୍ୱାରା ଟୋକନ ଅଦଳ ବଦଳ ହୋଇଥିବାରୁ ଅଜାଣତାରେ ରାଜେସ ଅନ୍ୟଜଣଙ୍କ ଟୋକନ ଧରିଥିଲେ ବୋଲି କହିଥିଲେ । ସେହି ଟୋକନଟି ଧରି ଯେତେ ବେଳେ ଓଜନ କଂଟା ନିକଟକୁ ଯାଇଥିଲେ ସେତେ ବେଳେ ଏହି ଟୋକନକୁ ଦେଖି ମିଲ ମାଲିକ ଅରୁଣ ସାହୁ ରାଜେସଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଆକ୍ରମଣ କରିଥିଲେ ।ଏନେଇ ରାଜେସ ଘସିପୁରା ଥାନାରେ ଲିଖିତ ଅଭିଯୋଗ କରିବାପରେ ପୁଲିସ ମାମଲା ୠଜୁକରି ଘଟଣାର ଛାନଭିନ ଆରମ୍ଭ କରିଛି ।