ଯାଜପୁର ମେଡ଼ିକାଲ କଲେଜ ୧୦ଜିଲ୍ଲାକୁ ସ୍ୱାସ୍ଥ୍ୟ ସେବା ଯୋଗାଇବ: ମୁଖ୍ୟମନ୍ତ୍ରୀ

 ଯାଜପୁର ଟାଉନ : ୪୯୧ କୋଟି ବ୍ୟୟ ଅଟକଳରେ ୪୧ଏକର ପରିଧିରେ ଠିଆ ହୋଇଥିବା ମହାରାଜା ଯଯାତି କେଶରୀ ମେଡ଼ିକାଲ କଲେଜ ଆଖପାଖ ୧୦ଜିଲାବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇପାରିବ । ଶନିବାର ଯାଜପୁର ହେଡକ୍ୱାଟରରେ ସ୍ଥାପିତ ମହାରାଜା ଯଯାତି କେଶରୀ ଭେଷଜ ମହାବିଦ୍ୟାଳୟ ଓ ଅଧ୍ୟାପନା ଚିକିତ୍ସାଳୟକୁ ଉଦ୍ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମତବ୍ୟକ୍ତ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ କି ଯାଜପୁର ଐତିହ୍ୟ ଓ କିମ୍ବଦନ୍ତୀ ବହନ କରୁଥିବା ଜିଲା । ଏକଦା କେଶରୀ ବଂଶ ରାଜତ୍ୱ ସମୟରେ ମହାରାଜା ଯଯାତି କେଶରୀଙ୍କ ରାଜତ୍ୱ ସମୟରେ ଯାଜପୁର ଓଡ଼ିଶାର ରାଜଧାନୀ ଥିଲା । ତେଣୁ ଏହି ପରମ୍ପରାକୁ ଉଦ୍ଜୀବିତ ରଖିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ମେଡ଼ିକାଲ କଲେଜ ପ୍ରତିଷ୍ଠା କରାଯାଇଛି । ଯାହାସବୁ ଆବଶ୍ୟକ ଅଛି ତାହା ଖୁବ ଶୀଘ୍ର ପୂରଣ କରାଯିବା ସହିତ ମେଡ଼ିକାଲ କଲେଜ ପରିସରରେ ସେବିକା ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯୋଗଦେଇ ଏକାଦଶତମ ମେଡ଼ିକାଲ କଲେଜ ଭାବେ ଏହି କଲେଜ ପରିଗଣିତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଏହି କଲେଜ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ୫୬୨ କୋଟି ଟଙ୍କା ଯୋଗାଇ ଦିଆଯାଇଥିବା ବେଳେ ପ୍ରକଳ୍ପ ପାଇଁ ଯେତିକି ଖର୍ଚ୍ଚ ହୋଇଛି ଅବଶିଷ୍ଟ ଟଙ୍କା ଖର୍ଚ୍ଚ କରାଯିବ, ଯେଉଁସବୁ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରପାତି ଆବଶ୍ୟକ ଅଛି ତାହା ଖୁବଶୀଘ୍ର ପୂରଣ କରାଯିବ ବୋଲି ସୂଚନା ଦେଇଥିଲେ । ଉଦ୍ଘାଟନୀ ଉତ୍ସବରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ସାଂସଦ ଡ.ରବୀନ୍ଦ୍ର ନାରାୟଣ ବେହେରା, ବିରୋଧୀ ଦଳ ମୁଖ୍ୟ ସଚେତକା ତଥା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ବରୀ ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକ, ଯାଜପୁର ବିଧାୟିକା ସୁଜାତା ସାହୁ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, କୋରେଇ ବିଧାୟକ ଆକାଶ ଦାସ ନାୟକ, ବଡ଼ଚଣା ବିଧାୟକ ଅମର ପ୍ରସାଦ ନାୟକ, ଜିଲାପାଳ ପି. ଅନ୍ୱେଷା ରେଡ୍ଡୀ, ଜିଲା ପରିଷଦ ଅଧ୍ୟକ୍ଷା ନଳିନୀପ୍ରଭା ଜେନା, କଲେଜ ଅଧ୍ୟକ୍ଷ ଡା. ସୀତାରାମ ମହାପାତ୍ର, ଓଡ଼ିଶା ବିଶ୍ୱ ବିଦ୍ୟାଳୟ କୁଳପତି ମାନସ ରଞ୍ଜନ ସାହୁ, ଡିଏମଟି ଡ. ବ୍ରଜକିଶୋର ଦାସ, କଲେଜ ସୁପରିଟେଣ୍ଡ ମନୋରମା ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଜିଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ, ଜିଲା ବିଜେପି ସଭାପତି ଗୌତମ ରାୟ, ଯୁବନେତା ଉମେଶ ଚନ୍ଦ୍ର ଜେନା ସମେତ ବହୁ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ଆଇନଜୀବୀ, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ନୂତନ ଛାତ୍ରଛାତ୍ରୀଙ୍କ ସହିତ ସିଧା ଆଲୋଚନା କରିଥିଲେ ।  ଏକ ବିରାଟ ଶୋଭାଯାତ୍ରାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସଠିପୁର ଠାରୁ ପାଛୋଟି ଅଣାଯାଇଥିଲା । ୧୬ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ସ୍ୱାସ୍ଥ୍ୟ କେନ୍ଦ୍ର, ୧୨କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ସେବିକା ମହାବିଦ୍ୟାଳୟ, ୨୮କୋଟି ବ୍ୟୟ ଅଟ୍ଟକଳରେ ୫୧ଟି ସ୍ୱାସ୍ଥ୍ୟ ପ୍ରକଳ୍ପ ଓ ୫୪୮ କୋଟି ବ୍ୟୟ ଅଟ୍ଟକଳରେ ୮୮ଟି ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା ।